ରାଜ୍ୟ

ମେଜର୍‌ ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ଯାହାଙ୍କ ପାଇଁ ଏତେ ପାଲା ସେମାନେ ଗଲେ କୁଆଡ଼େ ?

ଭୁବନେଶ୍ୱର ୧୯/୦୯: ମେଜର ଓ ତାଙ୍କ ବାନ୍ଧବୀକୁ ନିର୍ଯାତନା ଦେବା ଘଟଣାରେ କମିସନରେଟ୍ ପୁଲିସ୍ ସାରା ଦେଶରେ ବଦନାମ ହୋଇଛି । ୫ ଜଣଙ୍କୁ ନିଲମ୍ବନ କରି ସାରିଛନ୍ତି ଡିଜିପି । ହେଲେ ଯେଉଁମାନଙ୍କ ପାଇଁ ଏତେ ପାଲା ହେଲା । ପୁଲିସ୍ ବଦନାମ ମୁଣ୍ଡାଇଲା । ସେମାନଙ୍କ କିଛି ଟେର ପାଇନି କି ଖୋଜାଖୋଜି ବି କରିନି ପୁଲିସ । ଏମିତି ଚୁପ୍ ବସିବା ପଛରେ ଭରତପୁର ଥାନାର କି ଉଦ୍ଦେଶ୍ୟ ରହିଛି ତାକୁ ନେଇ ଏବେ ଚର୍ଚ୍ଚା ଲାଗିରହିଛି ।

 

ମେଜର ଗୁରୁବଂଶ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ଗତ ଶନିବାର ରାତି ପ୍ରାୟ ୧୨ଟା ୩୦ରେ କାର୍ରେ ପଟିଆରୁ ଭରତପୁର ଆସୁଥିଲେ । ଏହି ସମୟରେ ରାସ୍ତାରେ ୨ଟି କାର୍କୁ ଓଭରଟେକ୍ କରି ଆଗକୁ ଯାଇଥିଲେ ମେଜର । ସେହି ଦୁଇଟି କାର୍ରେ ଥିବା ୫ରୁ ଅଧିକ ଯୁବକ ଗୁରୁବଂଶ ଏବଂ ଅଙ୍କିତାଙ୍କ କାର୍କୁ ଓଭରଟେକ୍ କରି ଦୁଇ ଜଣଙ୍କୁ ରାସ୍ତାରେ ଅଟକାଇଥିଲେ । ତା’ପରେ ସେମାନେ କାର୍ରୁ ବାହାରି ଗୁରୁବଂଶଙ୍କୁ ଧକ୍କା ମାରିବା ସହ ଧମକ ଦେଇ ପଳାଇଥିଲେ । ଏ ସମ୍ପର୍କରେ ଅଭିଯୋଗ କରିବା ଲାଗି ଗୁରୁବଂଶ ଏବଂ ଅଙ୍କିତା ଭରତପୁର ଥାନାରେ ରାତି ପ୍ରାୟ ସାଢ଼େ ଗୋଟାଏରେ ପହଞ୍ଚିଥିଲେ । ତା’ପରେ ଥାନାରେ ଯାହା ଘଟିଛି ତାହା ଓଡ଼ିଶା ପୁଲିସ ଇତିହାସରେ କଳଙ୍କିତ ଅଧ୍ୟାୟ ।

ଗତ ୩ ଦିନ ହେବ ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ହେଲେ ଯେଉଁ ଆସାମାଜିକ ଯୁବକଙ୍କ ଆତଙ୍କ ବିରୋଧରେ ମେଜର ଥାନାକୁ ଯାଇ ଅଭିଯୋଗ କରିଥିଲେ, ସେମାନଙ୍କୁ ପୁଲିସ୍ ଭୁଲି ଯାଇଛି । ପୁଲିସ୍ ଚାହିଁଲେ ଅତି ସହଜରେ ସେମାନଙ୍କୁ ଧରିପାରିବ। ଫଳରେ ପୁଲିସ୍କୁ କିଛି ନୂଆ ତଥ୍ୟ ମିଳିବ । ଭରତପୁର ଛକରେ ସିସିଟିଭି କ୍ୟାମେରା ଲାଗିଛି । ଚନ୍ଦକା-ଭରତପୁର ରାସ୍ତାରେ ଅନେକ ଦୋକାନୀ ମଧ୍ୟ ସିସି କ୍ୟାମେରା ଲଗାଇଛନ୍ତି । ପୁଲିସ ଏଥିରୁ ଗାଡି ନମ୍ବର ପାଇ ସେମାନଙ୍କୁ ଗିରଫ କରିପାରିବ । ସିସିଟିଭି ନ ଥିଲେ ମେଜରଙ୍କୁ ଯୁବକମାନେ ଯେଉଁଠାରେ ଅଟକାଇ ଥିଲେ ସେ ସ୍ଥାନରୁ ‘ଟାୱାର ଡମ୍ପ୍’ ମାଧ୍ୟମରେ ଅଭିଯୁକ୍ତ ଚିହ୍ନଟ ହୋଇପାରିବେ । ସେମାନଙ୍କୁ ଗିରଫ କରି ଜେରା କରିବା ପରେ ସେ ରାତିର କଥା ପଦାକୁ ଆସିବ ।

ପୁରୁଣା ଥାନାରେ ଶୋଇଥିଲେ ପୁଲିସ

ଶନିବାର ରାତିରେ ୮ ଜଣ ପୁଲିସ କର୍ମଚାରୀ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ମାଡ଼ ମାରିଥିଲେ । ଯାହା ସବୁ ଘଟୁଥିଲା ଥାନା ଅଧିକାରୀଙ୍କ ପାଖକୁ ଖବର ଯାଉଥିଲା । ଭରତପୁର ପୁରୁଣା ଥାନାରେ ଶୋଇ ତେଲୁଗୁ ସିନେମା ଦେଖୁଥିଲେ ଆଇଆଇସି ଦୀନକୃଷ୍ଣ ମିଶ୍ର। ହେଲେ ନୂଆ ଥାନାକୁ ଗଲେ ନାହିଁ । ଥାନାରେ କର୍ମଚାରୀଙ୍କ ଠାରୁ ଭୁଲ୍ ତଥ୍ୟ ଶୁଣି ମେଜର ଓ ତାଙ୍କ ବାନ୍ଧବୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ । ପୁରୁଣା ଥାନା ଠାରୁ ନୂଆର ଦୂରତା ମାତ୍ର ୧.୫ କିମି । ଯଦି ଦୀନକୃଷ୍ଣ ସେଠାକୁ ଯାଇଥାନ୍ତେ ତା’ହେଲେ ହୁଏତ ଏତେ ବଡ଼ କାଣ୍ଡ ଘଟିନଥାନ୍ତା । କମିଶନର ଓ ଡିସିପି ରାତି ୩ଟା ପର୍ଯ୍ୟନ୍ତ ସହରରେ ପାଟ୍ରୋଲିଂ କରୁଛନ୍ତି । ହେଲେ ସାଢ଼େ ୧୨ଟା ବେଳେ ଆଇଆଇସି ଥାନାରେ ଶୋଇପଡୁଥିବା କୁହାଯାଉଛି ।

ପୁଲିସର ୮ ମୋବାଇଲ୍ କୁଆଡ଼େ ଗଲା

ଦୁଇ ପ୍ରକାର କଥା ଏବେ ପଦାକୁ ଆସୁଛି । ପୁଲିସ କହୁଛି ମେଜର ଓ ତାଙ୍କ ବାନ୍ଧବୀ ଆମକୁ ମାଡ଼ ମାରି କାମୁଡ଼ି ପକାଇଲେ । ମେଜର କହୁଛନ୍ତି ସେମାନେ ଥାନାରେ ଅକଥନୀୟ ନିର୍ଯାତନା ପାଇଛନ୍ତି । ମେଜର ଓ ତାଙ୍କ ବାନ୍ଧବୀଙ୍କ ଦେହ ଓ ମୁହଁରେ ଥିବା ଚିହ୍ନରୁ ଜଣାପଡ଼ିଛି ସେମାନଙ୍କ ଉପରେ ମାଡ଼ ହୋଇଛି । ହେଲେ ପୁଲିସ କିଛି ପ୍ରମାଣ ଦେଖାଇପାରୁନି । ଟ୍ରାଫିକ୍ ଯାଞ୍ଚ ଠାରୁ ଆରମ୍ଭ କରି ଗଞ୍ଜେଇ ଜବତ ସବୁଠି ନିଜ ଫୋନ୍ ବାହାର କରି ଭିଡିଓ କରୁଛି ପୁଲିସ୍ । ‘ହର’ ଟିମ୍ ବୁଲି ବୁଲି ଭିଡିଓ କରି ଅଭିଯୁକ୍ତଙ୍କୁ ଗିରଫ କରୁଛି । ଭରତପୁର ଥାନରେ ସେ ଦିନ ରାତିରେ ୮ ଜଣ ପୁଲିସ ଥିଲେ । ସମସ୍ତଙ୍କ ପାଖରେ ମୋବାଇଲ୍ ଥିଲା । ହେଲେ ମେଜର ଓ ତାଙ୍କ ବାନ୍ଧବୀଙ୍କ କାରନାମା କେହି ରେକର୍ଡିଂ କରିପାରିଲେ ନାହିଁ? ଯଦି ପୁଲିସ କିଛି ବେଆଇନ୍ କାର୍ଯ୍ୟ କରି ନାହିଁ ତା’ହେଲେ ମୋବାଇଲ୍ରେ ରେକର୍ଡିଂ କରିବାକୁ ପଛଘୁଞ୍ଚା ଦେଇଥିଲା କ’ଣ ପାଇଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button