ରାଷ୍ଟ୍ରପତି ପୁରସ୍କାର ପାଇବେ ପଥର ଶିଳ୍ପୀ ଅକ୍ଷୟ ମହାରଣା ଓ ପୁଅ ଆଦିତ୍ୟ

ବଳଙ୍ଗା,୧୯/୦୯: ମଧ୍ୟପ୍ରଦେଶ ସରକାରଙ୍କ ସଂସ୍କୃତ ବିଭାଗ ତରଫରୁ ଉଜ୍ଜୈନସ୍ଥିତ ରୁଦ୍ରାକ୍ଷ ହୋଟେଲ୍ରେ ଗୁରୁବାର ମହାମହିମ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିବେ ବଳଙ୍ଗା ଅଞ୍ଚଳର ପଥର ଶିଳ୍ପୀ ଅକ୍ଷୟ ମହାରଣା ଓ ତାଙ୍କ ପୁଅ ଆଦିତ୍ୟ । ବଳଙ୍ଗା ଥାନା ଅନ୍ତର୍ଗତ ମଉଜିବେଗ ଗ୍ରାମର ଅକ୍ଷୟ ପଥର ମୂର୍ତ୍ତି କାରିଗର ଭାବେ ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ସେ ଦୀର୍ଘ ୩୫ ବର୍ଷ ହେବ ପଥରରେ କଳାକୃତି ନିର୍ମାଣ କରି ଆସୁଛନ୍ତି ।
ସ୍ୱର୍ଗତ ଗୁରୁ ରଘୁନାଥ ମହାପାତ୍ରଙ୍କ ପାଖରେ ସେ ୧୫ବର୍ଷ ପର୍ଯ୍ୟନ୍ତ କାମ କରୁଥିଲେ । ଗଞ୍ଜାମ ଜିଲ୍ଲା ତାରାତାରିଣୀ, ପୁରୀ ଅଠରନଳା ଗରୁଡ଼ ମୂର୍ତ୍ତି, ଦିଲ୍ଲୀ ରାଜଘାଟର ସମାଧି, ଦିଲ୍ଲୀର ଅକ୍ଷରଧାମ ମନ୍ଦିରରେ ନିଜର ନିଖୁଣ କାରୁକାର୍ଯ୍ୟ କରି ସାରିଛନ୍ତି ଅକ୍ଷୟ । ତାଙ୍କ ହାତ ତିଆରି ମୂର୍ତ୍ତି ସ୍ୱର୍ଗତ ମହାମହିମ ପ୍ରଣମ ମୁଖାର୍ଜୀ ଓ ବର୍ତ୍ତମାନର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନରେ ଶୋଭା ପାଉଛି। ବର୍ତ୍ତମାନ ମଧ୍ୟପ୍ରଦେଶ ସରକାର ସଂସ୍କୃତି ବିଭାଗ ପକ୍ଷରୁ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ ମନ୍ଦିର ପାଇଁ ବଇଁଶୀ ପାହାଡ଼ା ପଥରରେ ୧୧ ଫୁଟର ଶିବ ଲିଙ୍ଗ ମୂର୍ତ୍ତି ନିର୍ମାଣ କରୁଛନ୍ତି ।



