ରାଜ୍ୟ

୧୦୦ ଦିନର ହିସାବ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ, ୮୫ ହଜାର କୋଟିର ରେଳ କାମ ଚାଲିଛି

ଭୁବନେଶ୍ୱର, ୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳି ସରକାରକୁ ଶହେ ଦିନ ପୂରିଲା । ଶହେ ଦିନର ବିଜେପି ସରକାର ଦେଶ ଓ ରାଜ୍ୟରେ କେତେ କାମ କରିଛି ତା’ର ହିସାବ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ୟୁପିଏ ସରକାର ତୁଳନାରେ ମୋଦି ସରକାରରେ ପ୍ରତି କ୍ଷେତ୍ରରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଏବେ ରାଜ୍ୟରେ ୮୫ ହଜାର କୋଟିର ରେଳ ପ୍ରକଳ୍ପ କାମ ଚାଲିଛି । ୨୫ ହଜାର କୋଟିର ନୂଆ କାମକୁ ମଞ୍ଜୁରୀ ମିଳିଛି । ଆଗାମୀ ଦିନରେ ଦେଶରେ ବାହାନଗା ଭଳି ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇବାକୁ ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଏହା ସହିତ ଆସନ୍ତା ୬ ବର୍ଷରେ ସାରା ଦେଶରେ କବଚ ସିଷ୍ଟମ କାମ ସରିବ ବୋଲି ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି । ଅଶ୍ୱିନୀ କହିଛନ୍ତି, ୟୁପିଏ ସରକାର ତୁଳନାରେ ମୋଦିଙ୍କ ସମୟରେ ରେଳ କ୍ଷେତ୍ରରେ ଓଡ଼ିଶାର ଯଥେଷ୍ଟ ଅବଦାନ ବଢିଛି । ଗତ ତିନିବର୍ଷ ହେବ ଲଗାତାର ୧୦ ହଜାର କୋଟିରୁ ଅଧିକ ଅର୍ଥ ରେଳ ବଜେଟରେ ଦିଆଯାଇଛି । ହ୍ୱାଟସ୍ଆପରେ ଯାହା ମେସେଜ୍ ଆସୁଛି, ତାହାକୁ ଫରୱାର୍ଡ ନ କରିବାକୁ ଅଶ୍ୱିନୀ ପରାମର୍ଶ ଦେଇଛନ୍ତି । ଖବରର ସତ୍ୟତା ଯାଞ୍ଚ କରିବା ପରେ ଅନ୍ୟଙ୍କୁ ପଠାନ୍ତୁ ।

ଆଗାମୀ ଦିନରେ ମିଥ୍ୟା ଖବର ବା ଫେକ୍ ମେସେଜ୍ ରୋକିବାକୁ ପଦକ୍ଷେପ ନିଆଯିବ । ଆଗକୁ ଏ ନେଇ କଡ଼ାକଡ଼ି ନିୟମ ଆସିବ ବୋଲି ସେ ଚେତାବନୀ ଦେଇଛନ୍ତି । ଗତ ୧୦୦ ଦିନରେ ଭାରତକୁ ବିକଶିତ କରିବା ଲାଗି ଅନେକ କାମ ହୋଇଛି । ସମାଜର ଶେଷ ବର୍ଗରେ ଥିବା ଲୋକଙ୍କ ଲାଗି ସେବା ଭାବନା ରଖି କାମ କରାଯାଉଛି । ୧୫ ଲକ୍ଷ କୋଟିର କାମ ଆରମ୍ଭ କରାଯାଇଛି । ୩ କୋଟି ପିଏମ୍ ଆବାସ ଦିଆଯାଉଛି । ୩ କୋଟି ବୟସ୍କଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍ ନିଷ୍ପତ୍ତି ହୋଇଛି । ପୂର୍ବୋଦୟ ବିକାଶ ଯୋଜନାରେ ଓଡ଼ିଶାକୁ ପ୍ରାଥମିକତା ଦିଆଯାଉଛି ବୋଲି ଅଶ୍ୱିନୀ କହିଛନ୍ତି । ଆଗାମୀ ଦିନରେ ବାହାନଗା ଭଳି ରେଳ ଦୁର୍ଘଟଣା କିଭଳି ନହେବ ସେ ନେଇ ବ୍ୟାପକ ପଦକ୍ଷେପ ବାବଦରେ ରେଳମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ଘଟଣା ଏଡ଼ାଇବା ପାଇଁ ନୂଆ ବ୍ୟବସ୍ଥା ଅଣାଯାଇଛି । ପ୍ୟାନେଲ ଡାଇରେକ୍ଟ ଡ୍ରାଇଭ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିରେ ଆଉ ପ୍ୟାନେଲ ରହିବ ନାହିଁ । ତେଣୁ ସେଥିରେ କିଛି ତ୍ରୁଟିବିଚ୍ୟୁତି କରାଯାଇପାରିବନି । ମଧ୍ୟପ୍ରଦେଶ ରତଲାମ୍ରେ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉପା ସରକାର ବେଳେ ବର୍ଷକୁ ୧୭୧ଟି ରେଳ ଦୁର୍ଘଟଣା ଘଟୁଥିଲା । ଏବେ ଏହା ହ୍ରାସ ପାଇଛି ।

ଗତବର୍ଷ ମାତ୍ର ୪୦ଟି ରେଳ ଦୁର୍ଘଟଣା ଘଟିଛି । ପ୍ରତି ଘଟଣାକୁ ଗମ୍ଭୀରତାର ସହ ନିଆଯାଇ ତଦନ୍ତ କରାଯାଉଛି । କେଉଁ ତ୍ରୁଟି କାରଣରୁ ଦୁର୍ଘଟଣା ଘଟିଲା ତଦନ୍ତ କରାଯାଇ ସୁଧାର ଅଣାଯାଉଛି । ଏଥିସହ ୯୭ ହଜାର ସିଗ୍ନାଲ ପ୍ୟାନେଲ ଯାଞ୍ଚ କରାଯାଇଛି । ୨୫ ହଜାର କିମି ରେଳ ଲାଇନ୍ ନବୀକରଣ କାର୍ଯ୍ୟ କରାଯାଇଛି । ୧ ଲକ୍ଷ ୮୬ ହଜାର କିମି ଟ୍ରାକ୍ ଅଲଟ୍ରାସାଉଣ୍ଡ ଟେଷ୍ଟ କରାଯାଇଛି । ୯୯୦ ରେଳ ସେତୁ ନବୀକରଣ ହୋଇଛି । ୫୩ଶହ ଫଗ୍ ସେଫ୍ଟି ଡିଭାଇସ୍ ଲାଗିଛି । ରେଳ ଦୁର୍ଘଟଣା ରୋକିବାକୁ କବଚ ସିଷ୍ଟମ୍ ଲାଗୁଛି । ଆସନ୍ତା ୬ ବର୍ଷ ଭିତରେ ସାରା ଦେଶରେ କବଚ ସିଷ୍ଟମ ଲଗାଯିବ । କବଚ ଲଗାଇବା ନେଇ ଜୋରଦାର୍ ଭାବେ କାମ ଚାଲିଛି । ୯୬ଶହ ଟ୍ରାକ୍ରେ କବଚ ଲଗାଇବା ପାଇଁ ଟେଣ୍ଡର ଡକାଯାଇଛି ବୋଲି ରେଳମନ୍ତ୍ରୀ ସୂଚନା ଦେଇଛନ୍ତି ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button