ରାଜ୍ୟ

ଦୟନୀୟ ଭାବେ ଜଙ୍ଗଲ ରାସ୍ତା ପାର ହେଲେ ଲୋକେ, ଖଟିଆରେ ବୋହି ଗର୍ଭବତୀ ମହିଳାଙ୍କୁ ଆଣିଲେ ହସ୍ପିଟାଲ

ରାସ୍ତା କି ଆଲୋକର ବ୍ୟବସ୍ଥା ନାହିଁ । ଜଙ୍ଗଲୀ ଜନ୍ତୁଙ୍କ ଭୟରେ ଜଙ୍ଗଲ ଭିତରେ ଗଲେ । ଅନ୍ଧାର ହୋଇଥିବାରୁ ମୋବାଇଲ ଫୋନ ଓ ବାଇକ ଲାଇଟର ସାହାଯ୍ୟ ନେଇ ଜଙ୍ଗଲ ରାସ୍ତାରେ ଖଟିଆରେ ବୋହି ବୋହି ଜଣେ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଆଣିଲେ ସମ୍ପର୍କୀୟ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଚାଞ୍ଚରା ଗାଁରେ ।

ପୋଲସରା ବ୍ଳକର ଗୋଛାବାଡି ପଞ୍ଚାୟତର ଚାଞ୍ଚରା ଗାଁଟି ଗୋଟିଏ ପାହାଡ ଉପରେ ଅବସ୍ଥିତ । ଗାଁକୁ ଯିବା ପାଇଁ ରାସ୍ତା ନାହିଁ ।

ତେବେ ଶୁକ୍ରବାର ରାତିରେ ଏହି ଗାଁର ରିତା ଶବରଙ୍କ ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା । କିନ୍ତୁ ପାହାଡ଼ ଉପରେ ଥିବା ଏହି ଗାଁକୁ ପକ୍କାରାସ୍ତା ନଥିବାରୁ ରିତା ଶବରଙ୍କ ସମ୍ପର୍କୀୟମାନେ ତାଙ୍କୁ ଖଟିଆରେ ବୋହି ୫ କିଲୋମିଟର ଦୂର ପାଣ୍ଡିରିପଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଆଣିଥିଲେ । ଅନ୍ଧାର ରାତିରେ ରାସ୍ତା ଦେଖା ନଯିବାରୁ ଗୋଟିଏ ବାଇକ ଓ ମୋବାଇଲ ଫୋନ ଲାଇଟ୍ ସାହାଯ୍ୟରେ ଜଙ୍ଗଲ ରାସ୍ତାରେ ଆସିଥିଲେ । ଜଙ୍ଗଲରେ ହିଂସ୍ର ଜନ୍ତୁଙ୍କ ଭୟ ଥିବା ସତ୍ତ୍ବେ ରିତାଙ୍କ ଗର୍ଭ ଯନ୍ତ୍ରଣା ପରିବାରର ଲୋକଙ୍କୁ ବାଧ୍ୟ କରିଥିଲା ଖଟିଆରେ ବୋହି ଆଣିବା ପାଇଁ । ପରେ ରିତାଙ୍କୁ ପୋଲସରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହି ଘଟଣା ଗ୍ରାମବାସୀଙ୍କ ପାଇଁ କୌଣସି ନୂଆ ଘଟଣା ନୁହେଁ । ଏହା ତାଙ୍କର ନୀତି ଦିନିଆ ଘଟଣା କହିଲେ ଚଳେ । ପାହାଡ଼ ଉପରେ ଏହି ଜନ ବସତି ଥିବାରୁ ରାସ୍ତା ନିର୍ମାଣରେ ପ୍ରଶାସନ ଅବହେଳା କରୁଥିବା ନେଇ ଅଭିଯୋଗ ହୋଇ ଆସୁଛି । କିନ୍ତୁ ଏହି ଗାଁ ଉପରେ କାହାରି ନଜର ନାହିଁ ।

ଦୁନିଆ ଯେତେ ଆଧୁନିକତା ଆଡ଼କୁ ଗତି କରୁଥିଲେ ବି ଆଜି ବି ଅନେକ ଗାଁ ଅଛି ଯେଉଁଠାରେ ଏମିତି ପରିସ୍ଥିତି ରହିଛି । କେଉଁଠି ରାସ୍ତା ନାହିଁ ତ କେଉଁଠି ଆଲୋକ ନାହିଁ ଆଉ କେଉଁଠି ନେଟଓ୍ଵର୍କ ନାହିଁ । ଆଉ କେତେଦିନ ହନ୍ତସନ୍ତ ହେବେ ଏ ଗାଁ ଲୋକେ । ଯଦି ଏ ଗାଁ ପ୍ରତି ପ୍ରଶାସନ ନଜର ଦିଅନ୍ତା, ତେବେ ଏମାନଙ୍କ ସମସ୍ୟା ଅଳ୍ପ ବହୁତ ଦୂର ହେବ ନିଶ୍ଚିତ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button