ରାଜ୍ୟ

ସବୁ ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ

ଭୁବନେଶ୍ବର: ସବୁଠି ମେଗା ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରିଆ ଭାବେ ପଡ଼ିଛି। କାମ ନେଇଥିବା ଏଜେନ୍ସି କଥା ଶୁଣୁ ନାହାନ୍ତି। ପ୍ରକଳ୍ପ ଶେଷ ପାଇଁ ଧାର୍ଯ୍ୟ କରାଯାଇଥିବା ସମୟ ଗଡ଼ିଗଲାଣି। କେବେ ସରିବ, ଉତ୍ତର କାହା ପାଖରେ ନାହିଁ। ଲୋକମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ ହେବ ବୋଲି ନଳକୂପ ଖନନ ବନ୍ଦ କରିଦିଆଯାଇଛି। ଆଗକୁ ଖରାଦିନ ଆସୁଛି। ସ୍ଥିତି ଆହୁରି ସଙ୍ଗୀନ ହେବ। ଆଜି ବିଧାନସଭାରେ ଦଳମତ ନିର୍ବିଶେଷରେ ଏମିତି ଉଦ୍‌ବେଗ ପ୍ରକାଶ ପାଇଥିଲା। ଦାବି କରିଥିଲେ, ପ୍ରତି ବିଧାୟକଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀ ପାଇଁ୧୦୦ ନଳକୂପ ଦିଆଯାଉ।

ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ଅଭିଯୋଗକୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ସ୍ବୀକାର କରିଥିଲେ। କିନ୍ତୁ ପୂର୍ବ ସରକାର ଓ ଅଣଓଡ଼ିଆ ଠିକା ସଂସ୍ଥାର ମନମାନିକୁ ଦୋଷ ଠେଲିଥିଲେ। ମନ୍ତ୍ରୀ କହିଥିଲେ, ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଦୁଇଟି ଭାଗରେ ହୋଇଥାଏ। ଗୋଟିଏ ନିର୍ମାଣ କାମ ଓ ଅନ୍ୟଟି ପାଇପ ବିଛାଇବା କାମ। ଏଥିରୁ ସହଜ ହେଉଛି ପାଇପ ବିଛାଇବା କାର୍ଯ୍ୟ। ପୂର୍ବ ସରକାର ସମୟରେ କେବଳ ପାଇପ ବିଛାଇବା କାର୍ଯ୍ୟ ହୋଇଛି। କିନ୍ତୁ ଠିକାଦାରଙ୍କୁ ୫୮% ଟଙ୍କା ଦିଆସରିଛି। ସେମାନେ ମଲେଇ ନେଇ ଚାଲିଯାଇଛନ୍ତି। କଷ୍ଟ କାମଟି ବାକି ଅଛି। ଇନ୍‌ଟେକ୍ ୱାଲ୍, ଜଳ ବିଶୋଧାନାଗାର ଓ ଓଭର୍ ହେଡ୍ ଟ୍ୟାଙ୍କ କାମ ହୋଇନି। ଏଥି ପାଇଁ ପ୍ରକଳ୍ପ ବିଳମ୍ବ ହେଉଛି।
ମନ୍ତ୍ରୀ ଆହୁରି କହିଥିଲେ, ଯେଉଁ ଠିକା ସଂସ୍ଥା ପ୍ରକଳ୍ପ କାମ ନେଇଛନ୍ତି ସେମାନେ ସମସ୍ତେ ବାହାର ରାଜ୍ୟର। ଆମ ରାଜ୍ୟକୁ ଲୁଟିବା ପାଇଁ କେତେ ପ୍ରୟାସ କରାଯାଇଛି, ତାହା ସମସ୍ତେ ଜାଣିବା ଦରକାର।

ଗୃହର ଉଦ୍‌ବେଗକୁ ଲକ୍ଷ୍ୟ ରଖି ମନ୍ତ୍ରୀ ଆଶ୍ବାସନା ଦେଇଥିଲେ, ପ୍ରକଳ୍ପ କାମରେ ଯିଏ ଭୁଲ୍ କରୁଛି ତାହାକୁ ଛଡ଼ା ଯିବନି। ଏପରିକି କଳା ତାଲିକାଭୁକ୍ତ ବି କରାଯିବ। ଗୋଟିଏ କମ୍ପାନିକୁ ୮ କୋଟି ଟଙ୍କା ଜରିମାନା ବି କରାଯାଇଛି। ଜିଲ୍ଲାପାଳ, ପିଡି, ବିଡିଓ ସମସ୍ତଙ୍କୁ ଏହି କାର୍ଯ୍ୟର ନିୟମିତ ତଦାରଖ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସୌଭିକ ବିଶ୍ବାଳଙ୍କ ମୂଳ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ଦେଇଥିଲେ ଯେ ରାଜ୍ୟରେ ଏବେ ସୁଦ୍ଧା ୧୬ଟି ମେଗା ପାଇପ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି। ୧୯୧ଟି ନିର୍ମାଣାଧୀନ ଅଛି। ୨୦୨୫ ମାର୍ଚ୍ଚ ସୁଦ୍ଧା ୬ଟି, ୨୦୨୫ ଡିସେମ୍ବର ସୁଦ୍ଧା ୫୪ଟି ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ୨୦୨୨ ଓ ୨୦୨୩ ମସିହାରେ ଆରମ୍ଭ ହୋଇଥିବା ୮୧ଟି ପ୍ରକଳ୍ପର କାମ ୨୦୨୬ ଜୁନ୍ ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ସିଦ୍ଧାନ୍ତ ମହାପାତ୍ର, ଗଣେଶ୍ବର ବେହେରା, ରାମଚନ୍ଦ୍ର କାଡ଼ାମ, ଭାସ୍କର ମଢ଼େଇ, ଈରାଶିଷ ଆଚାର୍ଯ୍ୟ, ସି ଏସ୍ ରାଜନ ଏକ୍କା, ପ୍ରଶାନ୍ତ ବେହେରା, ରଘୁନାଥ ଜଗଦଲ୍ଲା, ବଦ୍ରି ନାରାୟଣ ପାତ୍ର, ମନୋରଞ୍ଜନ ଦ୍ୟାନସାମନ୍ତରାୟ, ଲକ୍ଷ୍ମଣ ମୁଣ୍ଡା ଓ ତାରାପ୍ରସାଦ ବାହିନୀପତି ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button