ବାର୍ଡ ଫ୍ଲୁ: ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପ୍ରଶାସନର କଟକଣା

ପୁରୀ: ପୁରୀ ଜିଲ୍ଲାରେ ଏବେ ବି ବାର୍ଡ ଫ୍ଲୁ ଆତଙ୍କ ଜାରି ରହିଛି। ତେଣୁ ସଂକ୍ରମିତ ଅଞ୍ଚଳରେ ୩ ମାସ କୁକୁଡ଼ା ଚାଷ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ୩ ମାସ ଯାଏଁ କୁକୁଡ଼ା ଚାଷ ଉପରେ ପୁରୀ ପ୍ରଶାସନର କଟକଣା ଜାରି ହୋଇଛି। ପିପିଲି, ଡେଲାଙ୍ଗ, ନିମାପଡ଼ା, ସତ୍ୟବାଦୀରେ କୁକୁଡ଼ା ଚାଷ କରିବାକୁ ମନା ହୋଇଛି।
ସଂକ୍ରମିତ ଅଞ୍ଚଳର ୧ କିମି ଭିତରେ କୁକୁଡ଼ା ଚାଷ ହେବନି ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ସେହିପରି ୧୦ କିମି ବ୍ୟାସାର୍ଦ୍ଧରେ କୁକୁଡ଼ା ବାହାରକୁ ପଠା ନଯିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। କୁକୁଡା ଚାଷୀମାନେ ୧୫ ଦିନରେ ଥରେ କୁକୁଡ଼ା ନମୁନା ପରୀକ୍ଷା କରିବେ। ୩ ମାସ କୁକୁଡ଼ା ଚାଷ ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଥିବାରୁ ଫାର୍ମ ମାଲିକମାନେ ଚିନ୍ତାରେ ପଡ଼ି ଯାଇଛନ୍ତି।
କିଛି ଦିନ ତଳେ କେନ୍ଦ୍ରୀୟ ଟିମ୍ ପୁରୀ ଜିଲ୍ଲା ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳର ଏକ କିଲୋମିଟର ପରିଧି ଭିତରେ ଥିବା ବ୍ୟକ୍ତି ବିଶେଷମାନଙ୍କୁ କୁକୁଡା ମାଂସ ନଖାଇବାକୁ ପରାମର୍ଶ ଦେଇଥିଲେ ଟିମ୍ ସଦସ୍ୟ। ବାର୍ଡ ଫ୍ଲୁ ବ୍ୟାପିଥିବାରୁ ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ହଜାରରୁ ଅଧିକ କୁକୁଡ଼ାଙ୍କ ମୃତ୍ୟୁ ହୋଇଛି।