ଦେଶ- ବିଦେଶ

ପରିବେଶ ଯୋଦ୍ଧା: ବିଜୟଙ୍କ ହେନ୍ତାଳ ବଣ ଅଭିଯାନ

୧୯୯୯ ମସିହାର ମହାବାତ୍ୟା ପରିବେଶ ଯୋଦ୍ଧା ବିଜୟ କୁମାର କବିଙ୍କ ଗାଁର ନକ୍ସାକୁ ବଦଳାଇ ଦେଇଥିଲା। ସେତେବେଳେ ବିଜୟ ପ୍ରାକୃତିକ ଦୁର୍ବିପାକ ସହ ଲଢ଼ିବା ଓ ଏହାର କୁପ୍ରଭାବ ହ୍ରାସ କରିବାକୁ କେନ୍ଦ୍ରାପଡ଼ା ଉପକୂଳର ବିଭିନ୍ନ ଅଞ୍ଚଳରେ ହେନ୍ତାଳ ବଣ ସୃଷ୍ଟି ଦିଗରେ କାମ ଆରମ୍ଭ କରିଥିଲେ। ତାଙ୍କର ଏହି ଅବିରତ ପ୍ରଚେଷ୍ଟାକୁ ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାଧୁବାଦ ଜଣାଇଛନ୍ତି।

୧୯୯୯ରେ ରେଭେନ୍ସାରୁ ସ୍ନାତକୋତ୍ତର ପାଠ୍ୟକ୍ରମ ସାରି ଟିଉସନ୍ କରୁଥିଲେ ବିଜୟ। ବାତ୍ୟା ଯୋଗୁଁ ଜଗତସିଂହପୁର ଓ କେନ୍ଦ୍ରାପଡ଼ାର କେଉଁ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି ଓ କାହିଁକି, ତାହାକୁ ସେ ଆଗ ବୁଝିବାକୁ ଚେଷ୍ଟା କରିଥିଲେ। ସ୍ଥାନୀୟ ଲୋକଙ୍କଠାରୁ ବୁଝି ଜାଣିଲେ, ହେନ୍ତାଳ ବଣ ପାଖାପାଖି ରହୁଥିବା ଲୋକ କମ୍ ପ୍ରଭାବିତ ହୋଇଛନ୍ତି। ସେ ଅନୁଭବ କରିଥିଲେ ଯେ ହେନ୍ତାଳ ବଣ ହିଁ ଲୋକମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ କରିପାରିବ। ହେନ୍ତାଳ ବଣ ସୃଷ୍ଟି ଲାଗି ସେ ସ୍ଥାନୀୟ ଲୋକଙ୍କୁ ବୁଝାଇ ବୃକ୍ଷରୋପଣ ଆରମ୍ଭ କରିଥିଲେ। ଧୀରେଧୀରେ ରାଜନଗରର ବଡ଼ପୁଟ ଆଦର୍ଶ ଗ୍ରାମରେ ରୂପାନ୍ତର ହୋଇଥିଲା। ବାସ୍ତବରେ ବଡ଼ପୁଟ ଗାଁ ପାଖେର ବରୁଣେଇ ମୁହାଣ ନିକଟରେ ଆଗରୁ କ୍ଷୀରକୁଟ ଗାଁ ରହିଥିଲା। ଉଚ୍ଚ ଜୁଆର ଦ୍ବାରା ନଦୀର ତଟକ୍ଷୟ ଦ୍ରୁତ ଗତିରେ ହେବା ଫଳରେ କ୍ଷୀରକୁଟ ଗାଁ ଲୋକେ ସପ୍ତମ ଦଶକରୁ ଧୀରେଧୀରେ ବିସ୍ଥାପିତ ହୋଇ ସେହି ଗାଁର ୭୦ ପରିବାର ନିକଟସ୍ଥ ବଡ଼ପୁଟ ଗାଁକୁ ଆସି ବାସ କଲେ। ମହାବାତ୍ୟା ପେର ବଡ଼ପୁଟର ଅବସ୍ଥା କ୍ଷୀରକୁଟ ଭଳି ହେବାକୁ ଲାଗିଲା। ଲୋେକ ଆତଙ୍କିତ ହୋଇଗଲେ।

ବିଜୟ ସେଠାକୁ ଯାଇ ସମସ୍ତଙ୍କ ସହାୟତାରେ ହେନ୍ତାଳ ବଣ ସୃଷ୍ଟି ପାଇଁ ରୁଅ, ହେନ୍ତାଳ, ବନି, ସିନ୍ଦୂକା ଆଦି ମଞ୍ଜି ସଂଗ୍ରହ କରି ୨୫ ଏକର ଜମିରେ ଚାରାରୋପଣ ଆରମ୍ଭ କରିଥିଲେ। ପ୍ରାୟ ୧୨ ବର୍ଷର ପରିଶ୍ରମ ପରେ ଏବେ ସେଠାରେ ଏକ ସୁନ୍ଦର ଜଙ୍ଗଲ ଦେଖିବାକୁ ମିଳୁଛି। ନଦୀ ତଟକ୍ଷୟ ବି ବନ୍ଦ ହୋଇଯାଇଛି। ଏବେ ବିଜୟ ଜଗନ୍ନାଥପୁର ଗାଁର ୧୪ ଏକର ଜମିରେ ହେନ୍ତାଳ ବଣ ସୃଷ୍ଟି ଆରମ୍ଭ କରିଦେଇଛନ୍ତି। ଜାରି ରହିଛି ତାଙ୍କର ହେନ୍ତାଲ ବଣ ସୃଷ୍ଟି ଯାତ୍ରା।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button