ରାଜ୍ୟ

ଦୁଃଖ ଦେଖିଲେ ସହି ହେବନି: ଭଙ୍ଗା ଦଦରା ଘରେ ଚଳୁଛନ୍ତି ୧୦ପ୍ରାଣୀ କୁଟୁମ୍ବ

ପାଟଣାଗଡ଼: ମୋର ବି ଗୋଟିଏ ପକ୍କା ଛାତ ଘର ହେବ। ଖରା, ବର୍ଷା ଓ ଶୀତରୁ ରକ୍ଷା ପାଇ ମୋ ପରିବାର ବି ଶାନ୍ତିରେ ରହିବ । ଏପରି କିଛି ଭାବି ଘର କରିବା ପାଇଁ ଅଣ୍ଟାଭିଡ଼ିଲା ବେଳକୁ ଏପଟେ ସ୍ୱଳ୍ପ ରୋଜଗାର ସାଙ୍ଗକୁ ପରିବାର ଲୋକଙ୍କ ପେଟକୁ ଗଣ୍ଡିଏ ଦାନା ଓ ଦେହ ପାଇଁ ଖଣ୍ଡିଏ କନା ଯୋଗାଡ଼ କଲାବେଳକୁ ନିଅଣ୍ଟ ହୁଏ ଟଙ୍କା । ଆଉ ଘର ପାଇଁ ଦେଖିଥିବା ସ୍ୱପ୍ନ ସ୍ୱପ୍ନରେ ହିଁ ରହିଯାଏ ।

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗ୍ରାମପଞ୍ଚାୟତ ବାଞ୍ଜିପାଲି ଗାଁରେ ରୁହନ୍ତି ଜିତେନ୍ ନାଏକ । ଘରେ ୧୦ପ୍ରାଣୀ କୁଟୁମ୍ବ । ଘର କହିଲେ ଦୂରରୁ ପାଳଗଦା ପରି ଦେଖାଯାଉଥିବା ଦୁଇ ବଖରା ଭଙ୍ଗା ଝାଟିମାଟି ଘର । ଘର ଭିତରକୁ ଯିବାପାଇଁ ଖରାଦିନେ ଖରା, ବର୍ଷା ଦିନେ ବର୍ଷା ଓ ଶୀତ ଦିନରେ ଶୀତ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । କାରଣ ଚାଳ ଛପର ଉଠିଯାଇଥିବା ବେଳେ ଝାଟିମାଟି କାନ୍ଥ ଗୁଡିକ ଭାଙ୍ଗି ଗଲାଣି ।

ପରିବାର ଲୋକଙ୍କ ମୁହଁରେ ଦାନା ଓ ଦେହକୁ କନା ଦେବା ପାଇଁ ମୂଲ ମଜୁରୀ ସହିତ ସରକାରଙ୍କ ଠାରୁ ପାଉଥିବା ଚାଉଳରେ ଚଳି ହେଉନଥିବାରୁ ବାଧ୍ୟ ହୋଇ ବାହାର ରାଜ୍ୟକୁ ଇଟା କାମ କରିବା ପାଇଁ ଯିବାକୁ ପଡିଥାଏ । ଆଶା ଥାଏ ଯଦି କିଛି ଟଙ୍କା ବଳିବ ତାହେଲେ ନିଜ ପରିବାର ମୁଣ୍ଡଗୁଞ୍ଜିବା ପାଇଁ ଘର ଖଣ୍ଡେ କରିବେ । ହେଲେ ସବୁବେଳେ ନିଅଣ୍ଟ ମାଡିବସେ । ଘର କରିବା ସ୍ୱପ୍ନ ସ୍ୱପ୍ନରେ ରହିଥିବା ବେଳେ ଏବେ ଭରଷା ସରକାରଙ୍କ ଉପରେ।

ତେବେ ଏହି ଗରିବ ନିଃସହାୟ ପରିବାରର ବୃଦ୍ଧା ମାଆ ସରକାରଙ୍କ ଠାରୁ ଭତ୍ତା ଓ ବଡ଼ମାନେ ଜଣକ ପିଛା ୫ କିଲୋ ଚାଉଳ ପାଉଥିବା ବେଳେ ଛୋଟ ପିଲାମାନଙ୍କ ନାମ ରାସନକାର୍ଡରେ ଯୋଡ଼ା ହୋଇପାରୁନାହିଁ ।

ଧଣ୍ଡାମୁଣ୍ଡା ସରପଞ୍ଚ ବାରମ୍ବାର ନିଃସହାୟ ପରିବାରକୁ ସାହାଯ୍ୟ ପାଇଁ ଚେଷ୍ଟା କରୁଥିବାବେଳେ ବର୍ତମାନ ସବୁ କାମ ଅନଲାଇନରେ ହେଉଥିବାରୁ, ଉକ୍ତ ସାଇଡ ଖୋଲୁନଥିବା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସୁନଥିବା ହେତୁ ଉପରିସ୍ଥ ଅଧିକାରୀଙ୍କୁ ସେ ଜଣାଇଥିଲେ । କିନ୍ତୁ ଖପ୍ରାଖୋଲ ବିଡ଼ିଓ ନିଃସହାୟ ପରିବାର ବିଷୟରେ ଜାଣିବାପରେ ବିଏସଏସଓଙ୍କୁ ପଠାଇ ସମସ୍ତ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଘର ଆସିଲେ ଅଗ୍ରାଧିକାର ଭିତ୍ତିରେ ଘର ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି ।

ଖପ୍ରାଖୋଲ ଦାଦନ ପ୍ରବଣ ଉପାନ୍ତ ଅଞ୍ଚଳ ହୋଇଥିବା ବେଳେ ଉପଯୁକ୍ତ ହିତାଧିକାରୀ ଚୟନରେ ପାତରଅନ୍ତର କରାଯାଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଏଣୁ ଉପଯୁକ୍ତ ତଦନ୍ତ କରି ଉପଯୁକ୍ତ ହିତାଧିକାରୀ ମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button