ରାଜ୍ୟ

ଲଗାଣ ବର୍ଷା ପାଇଁ ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପରୁ ଗୋଟିଏ ଗେଟ୍ ଖୋଲା

କୋରାପୁଟ: ଲଗାଣ ବର୍ଷାର ପ୍ରଭାବ ଓ ଜଳଭଣ୍ଡାରରେ ଜଳଧାରଣ କ୍ଷମତାର ନିକଟରେ ଜଳ ଜମା ହୋଇଥିବାରୁ ଏହାର ସୁରକ୍ଷାକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲାର ଜୟପୁର ବ୍ଲକର ରାଣୀଗଡ(ବରିପୁଟ) ନିକଟରେ ଥିବା ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଗୋଟିଏ ଗେଟକୁ ଗତକାଲି ଖୋଲିଥିବା କହିଛନ୍ତି ଉପରକୋଲାବ ପ୍ରକଳ୍ପ ଓ ତେଲିଙ୍ଗିରୀ ପ୍ରକଳ୍ପ ମୁଖ୍ୟନିର୍ମାଣ ଯନ୍ତ୍ରୀ ଇଂ ସନ୍ତୋଷ ମହାପାତ୍ର।

ଏ ନେଇ ଜିଲ୍ଲାପାଳଙ୍କୁ ଅବଗତ କରିବା ପରେ ଜିଲ୍ଲାପାଳ ଭି.କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ ପ୍ରକଳ୍ପ ନିକଟକୁ ଯାଇ ଅନୁଧ୍ୟାନ କରିଥିଲେ। ତଳ ମୁଣ୍ଡରେ ଥିବା ବିଭିନ୍ନ ଗାଁକୁ ବୁଲି ସଚେତନତା ସୃଷ୍ଟି କରିଥିଲେ। ନଦୀ ମଧ୍ୟକୁ ମଣିଷ କିମ୍ବା ପଶୁସଂପଦକୁ ନ ନେବାକୁ ପରାମର୍ଶ ଦେଇଥିଲେ। ଗତ କାଲି ଠାରୁ ୨୧ଶହ କ୍ୟୁସେକ୍ ପାଣି ଛଡ଼ା ଯାଉଥିବା କହିଛନ୍ତି ଇଂ ମହାପାତ୍ର। ଗୋଟିଏ ଗେଟରୁ ପାଣି ଛାଡ଼ିବା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ଲଗାଣ ବର୍ଷା ପ୍ରଭାବରେ ୭୦ରୁ ୧୦୦ମିଲିମିଟର ବର୍ଷା ଉପରମୁଣ୍ଡରେ ହୋଇଛି। ତେଲିଙ୍ଗିରୀ ମଧ୍ୟମ ଜଳସେଚନ ପ୍ରକଳ୍ପର ଜଳଧାରଣା କ୍ଷମତା ୬୩୩ମିଟର ରହିଛି। ତେବେ ସଂପ୍ରତି ୬୩୧.୮୯ମିଟର ପାଣି ରହିଥିବାରୁ ପାଣି ନିଷ୍କାସନ ଆରମ୍ଭ କରାଯାଇଛି। ଜଳଭଣ୍ଡାର କ୍ଷମତା ରଖିବାକୁ ଥିବା ଏସଓପିକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରେ କ୍ଷମତାର ୮୦ପ୍ରତିଶତ ପାଣି ଜମା କରି ରଖିବା କଥା। ପରିସ୍ଥିତିକୁ ଦେଖି ପୂର୍ବରୁ ଯୋଜନା କରି ପାଣି ନଛାଡ଼ିଲେ ପରେ ହଇରାଣ ହେବାକୁ ପଡ଼ିପାରେ , ଏହି ଦୃଷ୍ଟିକୋଣରୁ ପାଣି ଛଡ଼ାଯାଇଛି ବୋଲି କହିଛନ୍ତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ।, ଆସନ୍ତାକାଲିର ଲଗାଣବର୍ଷାରେ ଉପରମୁଣ୍ଡର ବର୍ଷାର ସ୍ଥିତିକୁ ପରଖିବା ସହ ଏସଓପି ଅନୁଯାୟୀ କେତେ ପାଣି ଜଳଭଣ୍ଡାରରେ ରହିଛି ତାହାକୁ ତଦାରଖ କରିବା ପରେ ଗେଟ୍ ଖୋଲା ରଖିବେ ନାଁ ବନ୍ଦ ରଖାଯିବ ସେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମୁଖ୍ୟନିର୍ମାଣ ଯନ୍ତ୍ରୀ। ତଳମୁଣ୍ଡରେ ଥିବା ଗ୍ରାମାଂଚଳର ଲୋକଙ୍କୁ ଡାକି ସଚେତନତା ସୃଷ୍ଟି କରିଥିବା ଜିଲ୍ଲା ଜରୁରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ତେବେ ପାଣି ଛଡ଼ା ଯିବାଦ୍ୱାରା ନିକଟସ୍ଥ ବିନ୍ଧାଣୀଗୁଡା,କେବିଡି, କୁମ୍ଭାରପୁଟ, ବାଲି ପୂଜାରୀପୁଟ, କାହ୍ନୁଗୁଡା, ଟେଙ୍କର, ଡାବୁଗୁଡ଼ା, କାନ୍ଦୁଲକୁଣ୍ଟି, ଭାତପାଇଗୁଡ଼ା, କେନ୍ଦୁଗୁଡା, ନୁଆଁଗୁଡା, ମାଳିକରଚି, କୁରୁକୁଟ୍ଟୀ, ପାଟନିଆଗୁଡା ଆଦି ଗ୍ରାମ ପ୍ରଭାବିତ ସମ୍ବାବନା ରହିଛି ବୋଲି ଅଂଚଳବାସୀ କହିଛନ୍ତି। ପାଣି ଛଡ଼ାଯିବା ଏବଂ ଲଗାଣବର୍ଷା ଫଳରେ ବୋରିଗୁମ୍ମା ବ୍ଲକରେ ଜମି ଗୁଡିକରେ ପାଣି ଜମା ହୋଇଥିବା କହିଛନ୍ତି ଚାଷୀ।

Related Articles

Leave a Reply

Your email address will not be published. Required fields are marked *

Back to top button