ଶିଶୁ ଶିକାର ପାଇଁ କାହିଁକି ଆସୁଛନ୍ତି ଗଧିଆ?

ବହରାଇଚ: ୧୯୯୭ ମସିହାରେ ଶେଷ ଥର ପାଇଁ ଉତ୍ତରପ୍ରଦେଶରେ ହେଟାବାଘ ବା ଗଧିଆମାନେ ପିଲାମାନଙ୍କୁ ଆକ୍ରମଣ କରି ଖାଇଯାଉଥିବା ଘଟଣା ସାମ୍ନାକୁ ଆସିଥିଲା। ଏବେ ପାଖାପାଖି ୩୦ ବର୍ଷ ପରେ ୟୁପିର ବହରାଇଚ୍ ଜିଲ୍ଲାରେ ପୁଣି ଗଧିଆ ଆତଙ୍କ ଆରମ୍ଭ ହୋଇଛି, ଯେଉଁଥିରେ ଗତ କିଛି ସପ୍ତାହ ମଧ୍ୟରେ ୭ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି।
ବରିଷ୍ଠ ବନ୍ୟପ୍ରାଣୀ ବୈଜ୍ଞାନିକ ତଥା ଡେରାଡୁନର ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଡବ୍ଲୁଆଇଆଇ)ର ପୂର୍ବତନ ଡିନ୍ ଡକ୍ଟର ୱାଇଭି ଝାଲାଙ୍କ କହିବା ଅନୁସାରେ, ହେଟାବାଘମାନେ ପ୍ରାୟତଃ ମଣିଷକୁ ଆକ୍ରମଣ କରନ୍ତି ନାହିଁ।
୧୯୮୦ ଦଶକରେ ଏବଂ ଶେଷଥର ୧୯୯୭ ମସିହାରେ ଆମେ କେବଳ ଦୁଇଟି ଏଭଳି ଘଟଣା ରେକର୍ଡ କରିଛୁ। ଉଭୟ ଉଦାହରଣ ଉତ୍ତରପ୍ରଦେଶ-ବିହାରର ଗ୍ରାମାଞ୍ଚଳରେ ଘଟିଥିଲା- ଯେଉଁଠାରେ ଲୋକମାନେ ଏବେ ବି ଅତ୍ୟଧିକ ଦାରିଦ୍ର୍ୟ ମଧ୍ୟରେ ରହୁଛନ୍ତି ଏବଂ ସେମାନଙ୍କ ଘରେ କବାଟ ନାହିଁ। ଗଧିଆମାନେ ସାଧାରଣତଃ ମେଣ୍ଢା, ଛେଳି, ହରିଣ, କୃଷ୍ଣସାର ଏବଂ ଏପରିକି ସରୀସୃପ ଓ ମୂଷାମାନଙ୍କୁ ଖାଆନ୍ତି। କିନ୍ତୁ ତୃଣଭୂମି ଶୀଘ୍ର ଲୋପ ପାଉଥିବାରୁ ସେମାନେ ବର୍ତ୍ତମାନ ଅଧିକାଂଶ ଜଙ୍ଗଲ ଅଞ୍ଚଳ ବାହାରେ ବୁଲୁଛନ୍ତି ଯାହା ମାନବ-ଅଧ୍ୟୁଷିତ। ସେମାନେ ପଶୁପକ୍ଷୀଙ୍କୁ ମାରି ଖାଆନ୍ତି। ତାହା ନ ମିଳିଲେ ସେମାନଙ୍କୁ ଜନବସତି ଅଞ୍ଚଳକୁ ଯାଇ ଖାଦ୍ୟ ଖୋଜିବାକୁ ପଡ଼ିଥାଏ। ଗାଁର ନିରୀହ ପିଲାମାନେ ସେମାନଙ୍କର ସହଜ ଶିକାର ହୋଇପାରନ୍ତି।
ଯେତେବେଳେ ଗଧିଆଟି ପ୍ରଥମ ଥର ପାଇଁ ଏଭଳି ଶିକାର କରିବାରେ ସଫଳ ହୁଏ, ତା’ପରେ ସ୍ୱାଭାବିକ ଭାବରେ ପୁନର୍ବାର ଶିକାର କରିବାକୁ ଆସେ ବୋଲି ଝାଲା କହିଛନ୍ତି। ଏଭଳି ଶିଶୁ ଶିକାର ଜିଲ୍ଲାର ଆଖପାଖ ଗ୍ରାମଗୁଡ଼ିକୁ ଆତଙ୍କିତ କରିଛି। ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଲୋକମାନେ ଏକ ଅଭାଗା ବିଲୁଆକୁ ହେଟାବାଘ ଭାବି ପିଟିପିଟି ହତ୍ୟା କରିଥିଲେ। ବନ ବିଭାଗ ପୂର୍ବରୁ ୪ଟି ଗଧିଆଙ୍କୁ ଧରି ସାରିଛି, କିନ୍ତୁ ୨ଟି ଏବେ ବି ଅଛନ୍ତି, ଯାହାଙ୍କୁ ଧରାଯାଇ ପାରିନାହିଁ। ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବରିଷ୍ଠ ବନ୍ୟପ୍ରାଣୀ ବୈଜ୍ଞାନିକ ଡକ୍ଟର ବିଲାଲ ହବିବ କହିଛନ୍ତି ଯେ ଅଧିକ ଶିଶୁ ଆକ୍ରମଣକୁ ରୋକିବାର ଏକମାତ୍ର ଉପାୟ ହେଉଛି ଅବଶିଷ୍ଟ ମାଂସାହାରୀମାନଙ୍କୁ ଯଥାଶୀଘ୍ର ଧରିବା। ସେମାନେ ଭୋକିଲା ଅଛନ୍ତି ଏବଂ ଧରା ନ ଗଲେ ସେମାନେ ଶିକାର ଜାରି ରଖିବେ। ତା’ ସହ ଗ୍ରାମୀଣ ଜୀବିକାର ଉନ୍ନତି ଏବଂ ଲୋକଙ୍କୁ ମୌଳିକ ସୁବିଧା – ଘର, ବିଜୁଳି ଓ ଶୌଚାଳୟ ପ୍ରଦାନ କରି ପିଲାମାନଙ୍କ ଉପରେ ଆକ୍ରମଣକୁ ରୋକାଯାଇପାରିବ ବୋଲି ହବିବ କହିଛନ୍ତି।