ଦେଶ- ବିଦେଶ

ବନ୍ୟାରେ ବାଂଲାଦେଶର ସ୍ଥିତି ସାଂଘାତିକ ; ୫୯ ମୃତ୍ୟୁ , ୫୦ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

ନୂଆଦିଲ୍ଲୀ- ବାଂଲାଦେଶରେ ଆସିଥିବା ବିନାଶକାରୀ ବନ୍ୟା ଲୋକଙ୍କ ବଞ୍ଚିବା ମୁସ୍କିଲ କରି ଦେଇଛି। ପଡୋଶୀ ଦେଶରେ ଆସିଥିବା ଏହି ପ୍ରାକୃତିକ ଦୁର୍ବିପାକ କାରଣରୁ ୧୧ ଜିଲ୍ଲାରେ ପାଖାପାଖି ୫୪ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେପଟେ, ବନ୍ୟା ସହ ଜଡ଼ିତ ଘଟଣାରେ ୬ଜଣ ମହିଳା ଓ ୧୨ ଜଣ ଶିଶୁଙ୍କ ସହ ଅତି କମ୍ରେ ୫୯ ଜଣ ଲୋକଙ୍କ ଜୀବନ ଚାଲିଯାଇଛି।

ଅଧିକାରୀ ମାନେ ଶନିବାର ଏହି ସୂଚନା ଦେଇଛନ୍ତି।

ବିପର୍ଯ୍ୟୟ ପରିଚାଳନା ଏବଂ ସୁରକ୍ଷା ମନ୍ତ୍ରଣାଳୟ ବନ୍ୟା ସ୍ଥିତି ଉପରେ ସୂଚନା ଦେଇ କହିଛି ଯେ, ସବୁଠୁ ଅଧିକ ମୃତ୍ୟୁ କୁମିଲ୍ଲା ଓ ଫେନି ଜିଲ୍ଲାରେ ହୋଇଛି, ଯାହାକି ଭାରତର ପୂର୍ବୋତ୍ତର ଭାଗରେ ତ୍ରିପୁରାର ସୀମା ନିକଟରେ ରହିଛି। ମନ୍ତ୍ରଣାଳୟ ମୁତାବିକ , ଉଭୟ ଜିଲ୍ଲାରେ କ୍ରମଶଃ ୧୪ ଓ ୨୩ ଲୋକଙ୍କ ମୃତ୍ୟୁ ହୋଇଛି।

ବାଂଲାଦେଶର ଡେଲଟା ଅଞ୍ଚଳ ଓ ଉପର ଭାରତୀୟ ଅଞ୍ଚଳରେ ପ୍ରବଳ ବର୍ଷା କାରଣରୁ ଆସିଥିବା ବନ୍ୟାରେ, ବାଂଲାଦେଶ ପାଖାପାଖି ଦୁଇ ସପ୍ତାହ ଧରି ପ୍ରଭାବିତ ହୋଇଛି। ଏହି କାରଣରୁ ଲୋକ ଓ ଗାଈଗୋରୁଙ୍କ ମୃତ୍ୟୁ ହୋଇଛି, ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି ଏବଂ ଧନ ସଂପତ୍ତିର କ୍ଷତି ଘଟିଛି। ଦେଶରେ ରାଜନୀତିକ ପରିବର୍ତ୍ତନ ମଧ୍ୟରେ ନବଗଠିତ ଅନ୍ତରୀଣ ସରକାର ପାଇଁ ଏହା ଏକ ବଡ଼ ପ୍ରଶାସନିକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ସରକାରୀ ନ୍ୟୁଜ୍ ଏଜେନ୍ସି ବାଂଲାଦେଶ ସଙ୍ଗବାଦ ସଂଘଥା ( ବିଏସଏସ) ବିପର୍ଯ୍ୟୟ ପରିଚାଳନା ଏବଂ ରିଲିଫ୍ ମନ୍ତ୍ରଣାଳୟର ଅଧିକାରୀଙ୍କ ଅନୁସାରେ କହିଛି, ବନ୍ୟାରେ ୧୧ଟି ଜିଲ୍ଲାର ୫୦୪ ୟୁନିୟନ ଓ ନଗର ପାଳିକା ଗୁଡ଼ିକରେ ୫୪,୫୭,୭୦୨ ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ପାଖାପାଖି ୭ ଲକ୍ଷ ପରିବାର ଏବେ ମଧ୍ୟ ବନ୍ୟାରେ ଫସି ରହିଛନ୍ତି , ପାଖାପାଖି ୪ ଲକ୍ଷ ଲୋକ ୩,୯୨୮ ଟି ଆଶ୍ରୟ ଶିବିରରେ ରହୁବାକୁ ବାଧ୍ୟ ହୋଇଛନ୍ତି।

ଖବର ମୁତାବିକ ମୋଟ ୩୬,୧୩୯ ଗାଈଗୋରୁଙ୍କୁ ମଧ୍ୟ ସେଠାରେ ଆଶ୍ରୟ ଦିଆଯାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button