ରାଜ୍ୟ

ମାଟି ଖୋଳି କବର ଭିତରୁ ବାହାର କରାଗଲା ମହିଳାଙ୍କ ମୃତଦେହ

ସୁନ୍ଦରଗଡ଼: ଜମିଛି ଲୋକଙ୍କ ଭିଡ । ଘଟଣାସ୍ଥଳରେ ପୋଲିସ୍ ଛାଉଣୀ । କଣ ହେଇଛି କିଛି ବୁଝାପଡୁନି । ତେବେ ଟିକେ ପାଖକୁ ଯାହା ଖବର ପାଇଲୁ କି ଏଠାରେ ଚାଲିଛି କବର ଖୋଳା । ହେଲେ କାହାର ମୃତ ଶରୀର ପୋତାଯିବା ପାଇଁ ନୁହେଁ ବରଂ କଢାଯିବା ପାଇଁ । ହଁ ଦର୍ଶକବନ୍ଧୁ ମୃତଦେହକୁ କବର ଭିତରୁ କଢାଯିବା ପାଇଁ ଏସବୁ ଚାଲିଛି ।

ଖବର ମୁତାବକ, ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଖତକୁରବାହାଲ ଗ୍ରାମର ମନୱାର ରାଜାଙ୍କ ପତ୍ନୀ ସିରିନ୍ ନାଜ ।

ଗତ ୨୭ ତାରିଖରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ଧର୍ମର ପରମ୍ପରା ଅନୁସାରେ ମୃତ ଶରୀରକୁ କବର ଦିଆଯାଇଥିଲା ଖତକୁରବାହାଲ ଗ୍ରାମରେ । ହେଲେ ଏହି ଘଟଣାକୁ ନେଇ ମୃତ୍ୟୁବରଣ କରିଥିବା ସିରିନଙ୍କ ପରିବାର ପକ୍ଷରୁ ସନ୍ଦେହ ପ୍ରକାଶ ପାଇବାରୁ ସିରିନଙ୍କ ଭାଇ ରାଉରକେଲାର ନାଲା ରୋଡ଼ ନିବାସୀ ୱାସିମ ଆକ୍ରମ ଗତକାଲି କୁତ୍ରା ଥାନାରେ ତାଙ୍କ ଭଉଣୀଙ୍କ ଜୀବନ ନିଆଯାଇଥିବା ନେଇ ଅଭିଯୋଗ କରିଥିଲେ । ସ୍ଵାମୀ ମନୱାର ରାଜାଙ୍କ ସମେତ ଶାଶୁଘର ଲୋକଙ୍କୁ ଏହି ଘଟଣାରେ ସମ୍ପୃକ୍ତି ଥିବା ଦର୍ଶାଇଥିଲେ ।

ଅଭିଯୋଗକୁ ଆଧାର କରି ଆଜି ପୋଲିସ ପକ୍ଷରୁ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା କୁତ୍ରା ତହସିଲଦାର ପ୍ରମୋଦ କୁମାର ବାସକେଙ୍କ ଉପସ୍ଥିତିରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସିରିନଙ୍କ ମୃତଦେହକୁ ପୋତା ଯାଇଥିବା ସ୍ଥାନରୁ ମାଟି ତଳୁ ବାହାର କରାଯାଇଥିଲା । ସୁନ୍ଦରଗଡ଼ ଓ ରାଉରକେଲାରୁ ଆସିଥିବା ୫ ଜଣିଆ ସାଇଣ୍ଟିଫିକ ଟିମର ଆବଶ୍ୟକ ତଦନ୍ତ ପରେ ପୋଲିସ୍ ପକ୍ଷରୁ ଜବତ କରାଯାଇଥିବା ମୃତଦେହକୁ ବ୍ୟବଛେଦ ପାଇଁ ସୁନ୍ଦରଗଡ ସ୍ଥିତ ଭବାନୀ ଶଙ୍କର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ମୃତ ଦେହକୁ ବାହାର କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇବା ସମ୍ଭାବନା ଥିବାରୁ ପୋଲିସ ସତର୍କତା ଅବଲମ୍ବନ କରି ଏସଡିପିଓ ଅଭିଷେକ ପାଣିଗ୍ରାହୀ, କୁତ୍ରା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କ ଉପସ୍ଥିତିରେ ୪ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।

ଏପଟେ ଘଟଣାକୁ ନେଇ ତଥା ଅଭିଯୋଗକୁ ଆଧାର କରି ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ ପାଇଛି।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button