ରାଜ୍ୟ

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ମଥୁରାପୁରି ଉତ୍ସବ, ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀ ନୀତି

ପୁରୀ, ୨୬/୮ : ଶ୍ରୀଜଗନ୍ନାଥ ମନ୍ଦିରରେ ଜନ୍ମାଷ୍ଟମୀ ନୀତିର କେତେକ ସ୍ୱତନ୍ତ୍ରତା ଦେଖାଯାଏ। ଜନ୍ମାଷ୍ଟମୀର ପୂର୍ବଦିନ ସନ୍ଧ୍ୟାଧୂପ ଓ ପ୍ରସାଦଲାଗି ପରେ, ତିନିଠାକୁରଙ୍କୁ ବନ୍ଦାପନା କରାଯାଏ। ଏହି ସମୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଗୋଟିଏ ଅଧିକ ବନ୍ଦାପନା କରାଯାଏ। ଶ୍ରୀମନ୍ଦିର ପରିଭାଷାରେ ଏହା ହେଉଛି ‘ଗର୍ଭୋଦକ ବନ୍ଦାପନା’।

ଏହା ପୂର୍ବରୁ ‘ଜେଉଟ’ (ଜେଉଡ଼) ଭୋଗ ନାମରେ ଏକ ସ୍ୱତନ୍ତ୍ର ଭୋଗ ମଧ୍ୟ ତାଙ୍କୁ ଲାଗି କରାଯାଇଥାଏ। ମହାପ୍ରଭୁଙ୍କୁ ଦେବକୀ ଭାବରେ ଜ୍ଞାନ କରି, ସୁଖପ୍ରସବ ପାଇଁ ଏହା କରାଯାଇଥାଏ। ଏହାର ତାତ୍ପର୍ଯ୍ୟ ହେଉଛି, ମଣିମାଙ୍କୁ ଦେବକୀ ରୂପେ ଭୋଗ ଓ ବନ୍ଦାପନା ପାଆନ୍ତି ଏବଂ ପରଦିନ ସେ ଶ୍ରୀକୃଷ୍ଣ ରୂପେ ନିଜକୁ ଜନ୍ମ ଦିଅନ୍ତି।

ଏହାର ତାତ୍ତ୍ୱିକତା ହେଉଛି- ସେ ମାତା, ସେ ପିତା ଏବଂ ସେ ମଧ୍ୟ ପୁତ୍ର। ଏହି ନୀତିର ଅନ୍ୟ ଏକ ତାତ୍ପର୍ଯ୍ୟ ହେଉଛି- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ପ୍ରତିମା ବା ପ୍ରତିନିଧି ଶ୍ରୀମଦନମୋହନ ମଧ୍ୟ ଏଥିରେ ଭାଗ ନେଇଥାଆନ୍ତି। ସେ ହିଁ କୃଷ୍ଣ ରୂପେ ଜନ୍ମ ନିଅନ୍ତି। ସେଥିପାଇଁ, ଶିଶୁଟିଏ ଜନ୍ମବେଳେ ନଗ୍ନ ଥିବା ପରି, ତାଙ୍କର ବସ୍ତ୍ରହୀନ ପ୍ରତିମା ହିଁ ଏହି ଭୂମିକା ନିର୍ବାହ କରିଥାଆନ୍ତି। ଏଥିପାଇଁ ଶ୍ରୀମଦନମୋହନଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ଦିଆଯାଇଥାଏ। ସେହି ଆଜ୍ଞାମାଳ ପ୍ରଦାନ ସମୟରେ ପ୍ରାର୍ଥନା କରାଯାଏ- ହେ ମହାପ୍ରଭୁ! ହେ ଦାରୁବ୍ରହ୍ମ! ତୁମ୍ଭଙ୍କୁ ନମସ୍କାର। ମତ୍ସ୍ୟ ପ୍ରଭୃତି ଅବତାରଗଣ ତୁମ୍ଭର ଆଜ୍ଞାଲାଭ କରି ତୁମ୍ଭଠାରୁ ଉଦ୍ଭବ ହୁଅନ୍ତି। ହେ ପଦ୍ମଲୋଚନ! ଏବେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ ପାଇଁ ଆଜ୍ଞା ଦିଅନ୍ତୁ!

ଏହାର ପୁର୍ବ ଦିନ ସନ୍ଧ୍ୟାଧୂପ ପୂଜା ପରେ ଭିତରେ ପାଣି ପଡ଼ି ଜୟ ବିଜୟ ଦ୍ୱାର ବନ୍ଦ ହୋଇଯାଏ। ଟେରା ବନ୍ଧା ହେବା ପରେ ଜେଉଟ ଭୋଗ (ଶାଗ, ତରକାରି, ପିଠା, ଝିଲି, ଓରିଆ, ଖିରି ଆଦି) ରୋଷରୁ ଆସି ଅଣସର ପିଣ୍ଡିରେ ରଖାଯାଏ। ମୁଦିରସ୍ତ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ପ୍ରସାଦ ଲାଗି କରାନ୍ତି । ଜଣେ ପୂଜାପଣ୍ଡା ସାମନ୍ତ ପଞ୍ଚୋପଚାରରେ ପୂଜା କରନ୍ତି। ପଣ୍ଡା, ପତି ଓ ମୁଦିରସ୍ତ ୩ ବାଡ଼ରେ ବନ୍ଦାପନା କରାନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଗୋଟିଏ ଅଧିକ ବନ୍ଦାପନା ହୁଏ। ଏହାକୁ ଗର୍ଭଉଦକ ବନ୍ଦାପନା କୁହାଯାଏ। ଏହାପରେ ଅନ୍ୟାନ୍ୟ ନୀତି ବଢେ। ଗର୍ଭବତୀ ନାରୀମାନେ ସୁଖ ପ୍ରସବ ଲାଗି ଯେଉଡ଼ ଫଳ ଖାଇଥାନ୍ତି। …

…ଜଗନ୍ନାଥ ଯେ ଷୋଳ କଳା ତହୁଁ ଯାତ ଏ ନନ୍ଦ ବଳା…

ମହାପ୍ରଭୁ ଜଗନ୍ନାଥ ପୂର୍ଣ୍ଣ ପରଂବ୍ରହ୍ମ ସେ ଅବତାରୀ ତାଙ୍କ ଠାରୁ ସବୁ ଅବତାର ଜନ୍ମ ନେଇ ପୁଣି ତାଙ୍କ ଠାରେ ଲୀନ ହୋଇଯାନ୍ତି।

“ରାତ୍ରିରେ ମା ହୋଇ ଗର୍ଭ ଯନ୍ତ୍ରଣା ଭୋଗ କରି ଯେଉଡ଼ ଖାଇଲେ ତତ୍ପର ଦିନ ପୁଅ ହେଇ ନିଜେ ଜନ୍ମ ହେଲେ “।

ରାତ୍ରରେ ମା ଆଉ ସକାଳରେ ସନ୍ତାନ, ବିଚିତ୍ର ଲୀଳା, ହର ବ୍ରହ୍ମା ତ ତୋ ମାୟାରେ ବାୟା ଆମେ ତ ଛାର ମନୁଷ୍ୟ ମହାପ୍ରଭୁ ବୁଝିବୁ ବା କେମିତି !! ଧନ୍ୟ ମଣିମା ଧନ୍ୟ ଆପଣଙ୍କ ଳିଳା

ଏଥି ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ତଥା ପୂଜାର୍ଚ୍ଚନାର ବିଧି ପାଳନ ହେବ। ସକାଳେ ଦ୍ୱାରଫିଟା, ମଙ୍ଗଳ ଆଳତି, ଅବକାଶ, ବଲ୍ଲଭ, ସକାଳଧୂପ, ପ୍ରଥମ ଭୋଗମଣ୍ଡପ, ମଧ୍ୟାହ୍ନ ଧୂପ, ଦ୍ୱିତୀୟ ଭୋଗମଣ୍ଡପ, ସନ୍ଧ୍ୟା ଆଳତି ପରେ ସନ୍ଧ୍ୟାଧୂପ ନୀତି ହେବାପରେ । ମହାପ୍ରଭୁଙ୍କୁ ସଂଧ୍ୟାଧୂପ ବେଶରେ ଅଳଙ୍କାର ଲାଗି ପରେ ଶ୍ରୀକୃଷ୍ଣ ଜନ୍ମ ନୀତି ଆରମ୍ଭ ହେବ ବିଧି ମୁତାବକ, ଶୁଦ୍ଧସୁଆର ସେବକ ଭଣ୍ଡାର ଘର ଦ୍ୱାର ଆଗରେ ପୋଛା ମାରିବା ପରେ ପୂଜାପଣ୍ଡା ପଞ୍ଚବର୍ଣ୍ଣ ମୁରୁଜରେ ସର୍ବତ୍ର ଭଦ୍ରମଣ୍ଡଳ ଆଙ୍କିବେ। ପୋଖରିଆ ଭିତରେ ପାଣିପଡ଼ି ଧୋପଖାଳ କରିବେ । ଭଦ୍ରମଣ୍ଡଳ ପାଖରେ ପୂଜା ଠା’ ବସିବ। କୃଷ୍ଣଜନ୍ମ ପଟିକୁ ପୂଜାପଣ୍ଡା ପଦ୍ମ ପାଖୁଡ଼ା ମଣ୍ଡଳ ଉପରେ ରଖିବେ । ପଦ୍ମପାଖୁଡାର ନ ମୂର୍ତ୍ତି ଯଥା, ଦେବକୀ, ବସୁଦେବ, ନନ୍ଦ, ଯଶୋଦା, ଲକ୍ଷ୍ମୀ, ଉଗ୍ରସେନ, ବଳଭଦ୍ର, ଗାର୍ଗ ଋଷି, କୃଷ୍ଣଙ୍କ ମୂର୍ତ୍ତି ଅଙ୍କା ଯାଇଥିବ । ସୁବର୍ଣ୍ଣର ମୂର୍ତ୍ତିକୁ ମଣ୍ଡଳ ଉପରେ ବିଜେ କରାଯିବା ସହ ଚକଡ଼ା ଛାମୁରେ ୯ଟି ପନ୍ତିଭୋଗ ବଢ଼ା ହେବ । ଫୁଲମାଳ ଓ ଚନ୍ଦନ ଲାଗି ହେବା ପରେ ଦକ୍ଷିଣୀ ଘରୁ ମଦନମୋହନ ସିଂହାସନ ଉପରକୁ ବିଜେ କରିବେ । ମହାପ୍ରଭୁଙ୍କ ବାଡ଼ରୁ ମୁଦିରସ୍ତ ସେବକ ମଦନମୋହନଙ୍କୁ ଧଣ୍ଡିପ୍ରସାଦ ଆଜ୍ଞାମାଳ ଦେବା ପରେ ମହାଜନ ମଦନମୋହନଙ୍କୁ ହାତରେ ଧରି ଜନ୍ମ ଚକଡ଼ାରେ ବିଜେ କରାଇବେ । ପୂଜାପଣ୍ଡା ଗର୍ଭଉଦକ କର୍ମ ସାରି ଶୀତଳ ଭୋଗକୁ ଷୋଡ଼ଶ ଉପଚାରରେ ମଣୋହି କରିବେ । ବସୁଦେବ ଓ ଦେବକୀ ବେଶରେ ଦୁଇଜଣ ମହାଜନ ସେବକ ଶ୍ରୀକୃଷ୍ଣ ଜନ୍ମ ନୀତି ସଂପନ୍ନ କରିବେ । ମୁଦିରସ୍ତ ପ୍ରସାଦ ଲାଗି କରିବା ପରେ ପାଳିଆ ମହାସୁଆର ଦୁଧ ଓ ଲହୁଣୀ ସହ ବିଧି ମୁତାବକ ଅନ୍ୟାନ୍ୟ ମସଲା ଦେବେ। ପୂଜାପଣ୍ଡା ଏହାକୁ ସମର୍ପଣ କରି ମଣୋହି କରିବେ। ପରେ ମହାଜନ ସେବକ ରୁପା ଥାଳିରେ ଶ୍ରୀକୃଷ୍ଣଙ୍କୁ ଦେବକୀ ଓ ବସୁଦେବଙ୍କ ସହ ଜଗମୋହନ ଦେଇ ସରସ୍ୱତୀ ମନ୍ଦିର ନିକଟ ଯମୁନା ନଦୀ ତଟକୁ ନିରାଡମ୍ୱରରେ ବିଜେ କରିବେ। ପୂଜାପଣ୍ଡା ସେବକ ଉଗ୍ରସେନ ବେଶରେ ଭେଟ ହୋଇ ଯମୁନା ନଦୀ କୂଳରେ ଦଣ୍ଡ ପ୍ରଣାମ କରିବେ। ଏହି ସମୟରେ ବେହେରା ଖୁଣ୍ଟିଆ ଠାକୁରଙ୍କ ଉପରେ ସପ୍ତଫେଣୀ ବାସୁକୀକୁ ଧରି ଚାଲିବେ। ଉଗ୍ରସେନଙ୍କ ଦଣ୍ଡ ପ୍ରମାଣ ପରେ ମୁଦିରସ୍ତ ପ୍ରସାଦ ଲାଗି ଓ ବନ୍ଦାପନା ବଢ଼ାଇବେ। ଜନ୍ମ ଠାକୁର ଘଣ୍ଟଛତା, କାହାଳି ସହ ନାଭିକଟା ମଣ୍ଡପସ୍ଥିତ ଖଟଶେଯ ଉପରକୁ ବିଜେ କରିଇବେ। ଦକ୍ଷିଣୀ ଘରରୁ ରାମକୃଷ୍ଣ ଏହି ଖଟଶେଯରେ ଅଧିଷ୍ଠିତ ହେବେ । ପୂଜାପଣ୍ଡା ସେବକ ଏଠାରେ ନାଭିକଟା ନୀତି ସଂପନ୍ନ କରିବେ। ନାଭି ଛେଦନ ପରେ ପଞ୍ଚାମୃତରେ ଠାକୁରଙ୍କ ସ୍ନାନ ନୀତି ସଂପନ୍ନ କରାଜିବ । ପଞ୍ଚୋପଚାରରେ ଶୀତଳ ଭୋଗ ମଣୋହି, ବନ୍ଦାପନା ବଢ଼ିବେ। ପରେ ବାଳକୃଷ୍ଣଙ୍କୁ ମହାଜନ ସେବକ ହାତରେ ନେଇ ଜଗମୋହନସ୍ଥିତ ଦୋଳିରେ ରାମକୃଷ୍ଣଙ୍କ ସହ ବିଜେ କରାଇବେ। ଏଠାରେ ଶୀତଳ ଭୋଗ ଆକାରରେ ରାସି କୋରା ଓ ଲଡୁକୁ ମୁଦିରସ୍ତ ଲାଗି କରାଇବେ। ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରି ମଣୋହି କରିବେ। ବନ୍ଦାପନା ପରେ ପୋଖରିଆରେ ପାଣି ପଡି ବଡସିଂହାର ଭୋଗ ପାଇଁ ରୋଷକୁ ଡାକରା ଯିବ। ରୋଷରୁ ଛେକ ଆସିବା ପରେ ଦୋଳିରୁ ରାମକୃଷ୍ଣ ସିଂହାସନକୁ ଫେରିବେ ଓ ମଦନମୋହନ ଦକ୍ଷିଣୀ ଘରକୁ ବାହୁଡା ବିଜେ କରିବେ। ଏହା ପରେ ମହାପ୍ରଭୁଙ୍କ ଅନ୍ୟାନ୍ୟ ନୀତି ବଢିବ । ଆସନ୍ତାକାଲି ନନ୍ଦ ଉତ୍ସବ ଅନୁଷ୍ଠିତ ହେବ।

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button