ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୭ତମ ଶ୍ରାଦ୍ଧଦିବସ, ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ହେବ ସ୍ଵତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ଵର, ୨୬/୦୮ : ଆଜି ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ୧୭ତମ ଶ୍ରାଦ୍ଧଦିବସ। ଏହି ଅବସରରେ ଭୁବନେଶ୍ଵରରେ ବିଶାଳ ଗଣଦୌଡ ଅନୁଷ୍ଠିତ ହୋଇଛି। କନ୍ଧମାଳରେ ଦରିଦ୍ର, ଅଶିକ୍ଷିତ ଏବଂ ଅନଗ୍ରସର ଅନୁସୂଚିତ ଜନଜାତି ଏବଂ ଦଳିତଙ୍କ ଉତ୍ଥାନ ନିମନ୍ତେ କାର୍ଯ୍ୟ କରୁଥିବା ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କୁ ୨୦୦୮ ମସିହା ଅଗଷ୍ଟ ମାସ ୨୩ ତାରିଖରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଚାଲୁଥିବା ବେଳେ ସନ୍ଧ୍ୟା ସାଢେ ୭ଟାରେ ହତ୍ୟା କରାଯାଇଥିଲା।
ଆତତାୟୀମାନେ ଜଳେଶପଟ୍ଟା ସ୍ଥିତ ଶଙ୍କରାଚାର୍ଯ୍ୟ କନ୍ୟାଶ୍ରମ ଭିତରେ ପଶି ଆଖବୁଜା ଗୁଳି ଚଳାଇ ଲକ୍ଷ୍ମଣାନନ୍ଦଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ। ସ୍ଵାମୀଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀ ସ୍ମୃତି ନ୍ୟାସ ଗଠନ କରାଯାଇ ଏହି ଦିନକୁ ବଳିଦାନ ଦିବସ ରୂପେ ପାଳନ କରାଯାଉଛି।
ଚଳିତ ବର୍ଷ ତାଙ୍କର ସ୍ମୃତି ସ୍ମରଣ ନିମନ୍ତେ ସ୍ମୃତି ନ୍ୟାସ ତରଫରୁ ଭୁବନେଶ୍ଵରରେ ଏକ ବିଶାଳ ଗଣଦୌଡର ଆୟୋଜନ କରାଯାଇଛି। ଯାହା ସ୍ଵାମୀଜୀଙ୍କ ତ୍ୟାଗ, ତପସ୍ୟା ବଳିଦାନର ଗାଥା ଆଜିର ଯୁବପୀଢିଙ୍କୁ ପ୍ରେରଣା ଦେବ। ଏହି ଗଣଦୌଡ଼ ଭୁବନେଶ୍ଵର ୟୁନିଟ-୩, ପ୍ରଦର୍ଶନୀ ପଡିଆ ନିକଟରୁ ଆରମ୍ଭ ହୋଇ ମାଷ୍ଟର କ୍ୟାଣ୍ଟିନ, ଅଶୋକ ନଗର, ରାଜମହଲ ହୋଇ ପୁଣି ପ୍ରଦର୍ଶନୀ ପଡିଆ ନିକଟରେ ପହଁଚିବ।
ଅପରପକ୍ଷରେ ଜଲେଶପଟ୍ଟା ଓ ଚକାପାଦ ଠାରେ ସ୍ଵାମୀଜୀଙ୍କ ଶ୍ରାଦ୍ଧ ଉତ୍ସବ ରୀତିନୀତିରେ ଅନୁଷ୍ଠିତ ହେବ। ସ୍ୱାମୀଜୀଙ୍କ ସମାଧି ସ୍ଥଳରେ ନାମ ଯଜ୍ଞ, ଘୃତ ଯଜ୍ଞ, ହୋମ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ହଜାର ହଜାର ଲୋକଙ୍କ ସମାଙ୍ଗମ ହେବ। ଏଥିପାଇଁ ଜଲେଶପଟ୍ଟା ଓ ଚକାପାଦ ଆଶ୍ରମରେ ନଅ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସୂର୍ଯ୍ୟବଂଶୀ ସୁରଜ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ବହୁ ପୋଲିସ ଅଧିକାରୀ ଓ ବିଜେପି ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।