ଆଜି ସ୍ଥାନାନ୍ତର ହେବ ରତ୍ନଭଣ୍ଡାରର ଆଲମିରା ଓ ସିନ୍ଦୁକ, ଅପରାହ୍ନ ୧ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ : ଆଜି ସ୍ଥାନାନ୍ତରିତ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଖାଲି ସିନ୍ଦୁକ ଓ ଆଲମିରା । ଭିତର ଓ ବାହାର ରତ୍ନଭଣ୍ଡାରର ଖାଲି ହୋଇଥିବା ଲୁହା, କାଠ ସିନ୍ଦୁକ ସହ ଆଲମିରା ନୀଳାଦ୍ରି ମ୍ୟୁଜିୟମକୁ ସ୍ଥାନାନ୍ତର ହେବ । ଅପରାହ୍ନ ୨ଟାରେ ରତ୍ନଭଣ୍ଡାର ଖୋଲାଯିବ । ଦୁଇଟି ଓଜନିଆ ଲୁହା ସିନ୍ଦୁକ ଥିବାରୁ ଭାରୀ ସାମଗ୍ରୀ ସ୍ଥାନାନ୍ତର ପାଇଁ ଅଭିଜ୍ଞ ସ୍ୱତନ୍ତ୍ର ବୈଷୟିକ ଟିମର ସହାୟତା ନିଆଯିବ ।
ଆଜି ଅପରାହ୍ନ ଗୋଟାଏରୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରସାଦ କ୍ରୟ କରିବାକୁ ଇଚ୍ଛୁକ ଭକ୍ତ ସିଂହଦ୍ଵାର ପଟେ ବାଇଶି ପାହାଚ ଦେଇ ଆନନ୍ଦ ବଜାରରୁ ମହାପ୍ରସାଦ କିଣି ଉତ୍ତର ଦ୍ୱାର ପଟେଏହି ସମୟରେ ପ୍ରସ୍ଥାନ କରିପାରିବେ । ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା (SOP) ଅନୁସାରେ ଏହି ସ୍ଥାନାନ୍ତରଣ ପ୍ରକ୍ରିୟା ଅନୁଷ୍ଠିତ ହେବ । ଖାଲି ଆଲମିରା ଏବଂ ସିନ୍ଦୁକ ଗୁଡିକୁ ଭିତର ଓ ବାହାର ରତ୍ନଭଣ୍ଡାରରୁ ସ୍ଥାନାନ୍ତରଣ କରାଯାଇ ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରି ମ୍ୟୁଜିୟମ୍ ନିକଟ ଏକ ଗୃହରେ ସୁରକ୍ଷିତ ରଖାଯିବ । ଗତ ଜୁଲାଇ ୧୪ ଓ ୧୮ ତାରିଖ ଦିନ ଯଥାକ୍ରମେ ବାହାର ଓ ଭିତର ରତ୍ନଭଣ୍ଡାରରୁ ଶ୍ରୀମନ୍ଦିର ଭିତରେ ଥିବା ଅସ୍ଥାୟୀ ରତ୍ନଭଣ୍ଡାରକୁ ଅଳଂକାର ଏବଂ ମୂଲ୍ଯବାନ ସାମଗ୍ରୀ ସ୍ଥାନାନ୍ତରଣ ହୋଇଥିଲା ।