ରାଜ୍ୟରେ ବଢ଼ି ଚାଲିଛି ବଜ୍ରପାତ ଜନିତ ମୃତ୍ୟୁ, ଗ୍ରହଣ କରନ୍ତୁ ଏହିସବୁ ସତର୍କତାମୂଳକ ପଦକ୍ଷେପ
ଆକାଶରୁ ଖସୁଛି ମୃତ୍ୟୁ । ବିଜୁଳି ମାରୁଛି ଲୋକେ ମରୁଛନ୍ତି । ଏବେ ରାଜ୍ୟରେ ବଢ଼ି ଚାଲିଛି ବଜ୍ରପାତ ଜନିତ ମୃତ୍ୟୁ । ସୂଚନା ଅନୁସାରେ ଗତ ୮ ମାସରେ ମରିଛନ୍ତି ୧୨୨ ଜଣ । ଆଉ ଗତ ଦୁଇ ଦିନରେ ୧୭ ଜଣ ପ୍ରାଣ ହରାଇଛନ୍ତି ବଜ୍ରାଘାତରେ । ଉପକୂଳରୁ ଉତ୍ତର ପର୍ଯ୍ୟନ୍ତ, ସବୁଠି ବଜ୍ରପାତ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଯାଉଛି । ବ୍ୟାପକ ସଚେତନତା ସହ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ ଏହାକୁ ରୋକା ଯାଇପାରି ନାହିଁ ।
ବିଶେଷ ଭାବରେ ଚାଷଜମିରେ କାମ କରୁଥିବା ଲୋକେ ହିଁ ଅଧିକ ମରିଛନ୍ତି ଏଭଳି ବଜ୍ରପାତରେ ।
ଯାହା ପରେ ନିଜକୁ ସୁରକ୍ଷିତ ରଖିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର ବା ଏସ୍ଆରସିଙ୍କ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ଲୋକଙ୍କୁ ନିବେଦନ କରାଯାଇଛି । ଜିଲ୍ଲାରୁ ଗ୍ରାମ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ସବୁଠାରେ ସଚେତନ ଓ ସତର୍କ ହେବାକୁ ଆହ୍ୱାନ ଦିଆଯାଇଛି । ଏସ୍ଆରସିଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବଜ୍ରପାତ ସମୟରେ ଯେକୌଣସି ବ୍ୟକ୍ତି ଯଦି ଘର ବାହାରେ ଥାଆନ୍ତି ତଥା ନିଜକୁ ଅସୁରକ୍ଷିତ ମଣୁଥାନ୍ତି, ତେବେ ଯଥାଶୀଘ୍ର ନଇଁପଡ଼ି ଆଣ୍ଠୁ ବଙ୍କା କରି ଆଗକୁ ଝୁଙ୍କି ବସି ପଡ଼ିବା ଦରକାର । ବଜ୍ରପାତ ସମୟରେ ଭୂମିରେ ଚିତ୍ ହୋଇ ଶୋଇବାକୁ ବାରଣ କରାଯାଇଛି ।