ଗାଡ଼କଣ ଟିଟିଏସ୍ ବୁଲିଲେ: ମନ୍ତ୍ରୀଙ୍କ ନାକରେ ପଶିଗଲା ଦୁର୍ଗନ୍ଧ
ଚନ୍ଦ୍ରଶେଖରପୁର: ‘ଗାଡ଼କଣ ଟିଟିଏସ୍ରେ ବାୟୋ-କଲଚର ପ୍ରୟୋଗ ହେଉଛି। ଯାହାକି ଖାଦ ପ୍ରକ୍ରିୟାକୁ ତୀବ୍ର କରିବା ସହ କୌଣସି ପ୍ରକାର ଦୁର୍ଗନ୍ଧରୁ ବଞ୍ଚିତ କରୁଛି।’ ଡିସେମ୍ବର ୩ ତାରିଖରେ ବିଧାନସଭାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏଭଳି ଉତ୍ତର ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷର ମଞ୍ଜି ବୁଣିଥିଲା। ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବାକୁ ସଜବାଜ ହେଉଥିଲେ। କାଳେ ସେମାନଙ୍କ ଆକ୍ରୋଶ ବଢ଼ିବ ତାହାକୁ ନଜରରେ ରଖି ମନ୍ତ୍ରୀ ଶ୍ରୀ ମହାପାତ୍ର ଆଜି ସଦଳବଳେ ଟିଟିଏସ୍ରେ ପହଞ୍ଚିଯାଇ ସ୍ଥିତି ପରଖିଥିଲେ। ମନ୍ତ୍ରୀଙ୍କ ପାଇଁ ରାସ୍ତାଠାରୁ ଟିଟିଏସ୍ରୁ ବାହାରୁଥିବା ଆବର୍ଜନା ପାଣି ପର୍ଯ୍ୟନ୍ତ ବ୍ଲିଚିଂ ପକାଯାଇଥିଲା। ଟିଟିଏସ୍ ଭିତରେ ରଙ୍ଗ ଦିଆଯାଇଥିଲା। ଦୁର୍ଗନ୍ଧ ଓ ଆବର୍ଜନା ଯେପରି ମନ୍ତ୍ରୀଙ୍କ ନାକରେ ନ ବାଜିବ ଦୃଷ୍ଟି ଦିଆଯାଇଥିଲା। ତା’ସତ୍ତ୍ବେ ମଧ୍ୟ ମନ୍ତ୍ରୀଙ୍କ ନାକରେ ବାଜିଥିଲା ଭଣଭଣ ଗନ୍ଧ। ମନ୍ତ୍ରୀ ନାକ ଟେକି କହିଲେ, ଯେତେଶୀଘ୍ର ସମ୍ଭବ ଏହାର ସ୍ଥାୟୀ ସମାଧାନ କର।
ଡ୍ରେନ୍କୁ ଯାଉଥିବା ଆବର୍ଜନା ପାଣି ବନ୍ଦ କରିବାକୁ ନିର୍ଦ୍ଦେଶ
ଘେରିଲେ ଅଞ୍ଚଳବାସୀ, ମେୟରଙ୍କ ସହ ଯୁକ୍ତିତର୍କ
ଭୁବନେଶ୍ବରରେ ପରିମଳ ପରିଚାଳନା କିପରି ଚାଲିଛି ଏବଂ ଟିଟିଏସ୍ରେ ସହରର ଅଳିଆ କିପରି ପ୍ରକ୍ରିୟାକରଣ ହେଉଛି ତାହାର ଏକ ନକ୍ସା ବିଏମ୍ସି ଡେପୁଟି କମିସନର ମନୋରଞ୍ଜନ ସାହୁ ପ୍ରଥମେ ମନ୍ତ୍ରୀଙ୍କ ସମ୍ମୁଖରେ ରଖିଥିଲେ। ଗୋଟି ଗୋଟି କରି ପ୍ରତିଟି ବିଷୟ ବୁଝିବା ପରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଅଳିଆ ପଡ଼ୁଥିବା ସ୍ଥାନ, ପ୍ରକ୍ରିୟାକରଣ ପାଇଁ ଲାଗିଥିବା ମେସିନ୍, ସେଠାରୁ ବାହାରୁଥିବା ଆବର୍ଜନା ପାଣି ଆଦି ସ୍ଥାନକୁ ଯାଇ ଅନୁଧ୍ୟାନ କରିବା ସହ ଅସନ୍ତୋଷ ଝାଡ଼ିଥିଲେ। ଟିଟିଏସ୍ରୁ ବାହାରୁଥିବା ଆବର୍ଜନା ପାଣି ଯେପରି ଆସନ୍ତାକାଲିଠାରୁ ଡ୍ରେନ୍ରେ ନ ମିଶିବ ସେଦିଗରେ ପଦକ୍ଷେପ ନେବାକୁ କହିଥିଲେ। ଆବଶ୍ୟକ ପଡ଼ିଲେ ସିଧାସଳଖ ମେସିନ୍ ଲଗାଇ ସେଠାରୁ ଆବର୍ଜନା ପାଣିକୁ ନେଇଯିବାକୁ କହିଥିଲେ। ମାସକ ଭିତରେ ଏହାର ସ୍ଥାୟୀ ସମାଧାନ କରିବାକୁ ବିଏମ୍ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।