ପ୍ରଧାନମନ୍ତ୍ରୀଙ୍କ ହାତରେ ସ୍ନେହର ଡୋରି ବାନ୍ଧିଲେ ସ୍କୁଲ ଛାତ୍ରୀ, ରାଖୀରେ ରହିଛି ମା’ଙ୍କ ସହିତ ମୋଦିଙ୍କର ଖାସ୍ ଫଟୋ

ପବିତ୍ର ରାଖୀ ପୂର୍ଣ୍ଣିମା ପାଇଁ ଆଜି ସାରା ଦେଶ ଉତ୍ସବମୁଖର । ଏହି ଅବସରରେ ସ୍କୁଲ ଛାତ୍ରୀମାନେ ପିଏମ୍ ବାସଭବନରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ସ୍ନେହର ଡୋରି ବାନ୍ଧିଛନ୍ତି । ଛାତ୍ରୀମାନେ ପିଏମ୍ଙ୍କ ହାତରେ ଯେଉଁ ରାଖୀ ବାନ୍ଧିଛନ୍ତି, ସେଥିରେ ରହିଛି ତାଙ୍କ ଦିବଂଗତା ମା’ଙ୍କର ଛବି । ଏହି ଖାସ୍ ରାଖୀରେ ଲାଗିଥିବା ଫଟୋରେ ମୋଦି ତାଙ୍କ ମା’ଙ୍କ ପାଦ ଧୋଉଥିବାର ନଜର ଆସିଛନ୍ତି ।
ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ରକ୍ଷାବନ୍ଧନ ଉତ୍ସବର ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ‘X’ରେ ସେ ଲେଖିଛନ୍ତି, ‘ଏହି ପର୍ବ ଆପଣ ସମସ୍ତଙ୍କ ସମ୍ପର୍କରେ ନୂତନ ମଧୁରତା ଏବଂ ଜୀବନରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ଆଣିଦେଉ’ ।
ମୋଦି କହିଛନ୍ତି ଯେ ‘ପ୍ରତ୍ୟେକ ବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ଦିନ ପାଳନ କରାଯାଉଥିବା ଏହି ପର୍ବ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ପ୍ରେମ ଏବଂ ପବିତ୍ର ସମ୍ପର୍କକୁ ଆହୁରି ଗଭୀର କରିଥାଏ । ଅତୁଟ ପ୍ରେମର ଏହି ପର୍ବରେ ଭଉଣୀମାନେ ନିଜ ଭାଇଙ୍କ ସଫଳତା ପାଇଁ ପ୍ରାର୍ଥନା କରନ୍ତି । ଭାଇମାନେ ଏହାର ପ୍ରତିବଦଳରେ ନିଜ ଭଉଣୀମାନଙ୍କୁ ସବୁ ପ୍ରକାର ବିପତ୍ତିରୁ ରକ୍ଷା କରିବାକୁ ପ୍ରତିଶ୍ରୁତି ଦିଅନ୍ତି’ ।
ସ୍କୁଲ ଛାତ୍ରୀମାନେ ପିଏମ୍ ମୋଦିଙ୍କ ହାତରେ ବାନ୍ଧିଥିବା ରାଖୀରେ ‘ଗୋଟିଏ ଗଛ ମା’ଙ୍କ ନାମରେ’ ବାର୍ତ୍ତା ଲେଖାଯାଇଛି । ଏହି ରାଖୀ ମଝିରେ ରହିଛି ମୋଦିଙ୍କ ଦିବଂଗତା ମା’ଙ୍କର ଏକ ଫଟୋ । କହି ରଖୁଛୁ, ପ୍ରଧାନମନ୍ତ୍ରୀ ମୋଦି ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ଆରମ୍ଭ କରିଛନ୍ତି ।




