ରାଜ୍ୟ
କୋଇଲା ବୋଝେଇ ଟ୍ରକ୍ ଅଟକ, ଚୋରା ଚାଲାଣ ସନ୍ଦେହ

ବାସୁଦେବପୁର ୧୫।୮:ଚୋରା ଚାଲାଣ ସନ୍ଦେହରେ କୋଇଲା ବୋଝେଇ ଟ୍ରକ୍ ଅଟକ । ଟ୍ରକ୍କୁ ଅଟକ ରଖି ଡ୍ରାଇଭରକୁ ଥାନାକୁ ନେଇ ପଚରାଉଚରା କରୁଛି ବାସୁଦେବପୁର ପୋଲିସ ।
ସୂଚନାଯୋଗ୍ୟ ଯେ, ଗୁରୁବାର ସକାଳ ସମୟରେ ବାସୁଦେବପୁର ପୌରପାଳିକାର ମାତାଜୀମଠ ନିକଟରେ କୋଇଲା ବୋଝେଇ ଟ୍ରକ୍ରେ ଗାଡିର ଡ୍ରାଇଭର ସିଲ୍ ଲଗାଉଥିବା ସମୟରେ ସ୍ଥାନୀୟ ଲୋକ ଦେଖି ପୋଲିସକୁ ଖବର କରିଥିଲେ ।
ଖବର ପାଇ ବାସୁଦେବପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିର ଡ୍ରାଇଭରକୁ ଥାନାକୁ ଆଣି କାଗଜପତ୍ର ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରୁଛି ।
ତେବେ ଦିନକୁ ଦିନ ବାସୁଦେବପୁରରେ ଚୋରା କୋଇଲା ଚାଲାଣ ବଢ଼ିବାରେ ଲାଗିଛି । ହେଲେ ଚୋରା କୋଇଲା ଚାଲାଣକୁ ରୋକିବାରେ ପୋଲିସ ଫେଲ୍ ମାରିଛି । ଦିନ ଦ୍ବିପ୍ରହରରେ ରାସ୍ତା ଉପରେ ଗାଡ଼ି ଠିଆ କରି କାହିଁକି ଗାଡ଼ିରେ ଡ୍ରାଇଭର ସିଲ୍ ଲଗାଉଥିଲା ତାହା ଏବେ ତଦନ୍ତ ସାପେକ୍ଷ ବୋଲି ଦାବି ହେଉଛି ।