ରାଜ୍ୟ

ସାନମଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କେବେ?xz

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ସାନମଉଦା ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ କମ୍ପ୍ୟୁଟର ଶିକ୍ଷକ ନଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାର ଅଭିଯୋଗ ହୋଇଛି। ରାଜ୍ୟର ସମସ୍ତ ଆଭ୍ୟନ୍ତରୀଣ ସରକାରୀ ବିଦ୍ୟାଳୟରେ ଅଧ୍ୟୟନରତ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ ନିମନ୍ତେ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ସ୍ୱରୂପ ରାଜ୍ୟର ପ୍ରାୟତଃ ସମସ୍ତ ବ୍ଳକରେ ଓଏଭିର ସ୍ଥାପନା କରାଯାଇଥିଲା।

ମାତ୍ର ସାନମଉଦା ଓଏଭିରେ ଶିକ୍ଷକ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବାରୁ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି। ଏକ ବର୍ଷରୁ ଅଧିକ ହେଲା ସାନମଉଦା ଓଏଭିରେ ଥିବା କମ୍ପୁଟର ଶିକ୍ଷକଙ୍କ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଫଳରେ ସେହି ସମୟଠାରୁ ୬ ଷ୍ଠ,୭ମ ଓ ୮ମ ଶ୍ରେଣୀରେ ଇନଫରମେସନ ଏଣ୍ଡ କମ୍ୟୁନିକେସନ ଟେକ୍ନୋଲୋଜି (ଆଇସିଟି) ବିଷୟର ଶିକ୍ଷାଦାନ ବନ୍ଦ ରହିଛି। ଫଳରେ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ କମ୍ପ୍ୟୁଟର ସମ୍ବନ୍ଧୀୟ ନିଗମ ଜ୍ଞାନ ପାଇବାରୁ ବଞ୍ଚିତ ହେଉଛନ୍ତି।

ବର୍ତମାନର ଅତ୍ୟାଧୁନିକ ଯୁଗରେ କମ୍ପ୍ୟୁଟର ଶିକ୍ଷାର ଗୁରୁତ୍ଵ ଅନେକ ମାତ୍ରାରେ ବୃଦ୍ଧି ପାଇଥିବା ବେଳେ ସାନମଉଦା ଓଏଭିରେ କମ୍ପ୍ୟୁଟର ଶିକ୍ଷା ଉପରେ ବିଦ୍ୟାଳୟ ପ୍ରଶାସନ ଗୁରୁତ୍ଵ ଦେଉନଥିବାରୁ ଅଭିଭାବକ ମାନଙ୍କୁ ବିସ୍ମିତ କରିଛି। ନିୟମାନୁସାରେ ବିଶେଷ କ୍ଷେତ୍ରରେ କୌଣସି ବିଷୟର ସ୍ଥାୟୀ ଶିକ୍ଷକଙ୍କ ନିଯୁକ୍ତି ନହେଲେ ଜିଲ୍ଲାପାଳଙ୍କୁ ଅବଗତ କରାଯାଇ ଅସ୍ଥାୟୀ ଶିକ୍ଷକ ନିଯୁକ୍ତିର ପ୍ରବଧାନ ଥିବାବେଳେ ଗୋରୁମହିଷାଣୀ ଓଏଭିରେ ଏହାର ବ୍ୟତିକ୍ରମ ପରିଲକ୍ଷିତ ହୁଏ। ଉକ୍ତ ପ୍ରସଙ୍ଗରେ ବିଦ୍ୟାଳୟର ଅଧ୍ୟକ୍ଷଙ୍କ କାର୍ଯ୍ୟ ପ୍ରଣାଳୀକୁ ଅନେକ ଶିକ୍ଷାବିଦ ନାପସନ୍ଦ କରିଛନ୍ତି।

ସେମାନଙ୍କ କହିବା ଅନୁଯାଇ ଆଧୁନିକ ଯୁଗରେ କମ୍ପ୍ୟୁଟର ପରି ଏକ ଗୁରୁତ୍ଵପୂର୍ଣ୍ଣ ବିଷୟର ଶିକ୍ଷକଙ୍କ ବଦଳିକୁ ଏକ ବର୍ଷରୁ ଅଧିକ ହୋଇଥିଲେ ମଧ୍ୟ ବିଦ୍ୟାଳୟକୁ ଅଣଦେଖା କରାଯାଇଥିବା ଅଧ୍ୟୟନରତ ଛାତ୍ର ଛାତ୍ରୀମାନଙ୍କ ମାନସିକ ସ୍ତରରେ ଗଭୀର ଆଲୋଡନ ସୃଷ୍ଟି କରୁଛି। ଶିକ୍ଷାର ପ୍ରଥମ ସୋପାନରେ ଯଦି ଛାତ୍ରଛାତ୍ରୀମାନେ କମ୍ପୁଟର ଶିକ୍ଷାର ଶିକ୍ଷାଦାନ ନପାଇବେ ତେବେ ପରବର୍ତ୍ତୀ ଶ୍ରେଣୀରେ କମ୍ପ୍ୟୁଟର ଶିକ୍ଷା ଜଟିଳ ହେବାର ସମ୍ଭାବନା ଅଧିକ ଥିବାରୁ ଛାତ୍ରଛାତ୍ରୀମାନେ ମାନସିକ ଭାରାକ୍ରାନ୍ତ ହେବାର ଅଭିଭାବକ ମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଆଉ କେଇଟା ମାସ ପରେ ବୋର୍ଡ ପରୀକ୍ଷା ଯାହାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛତ୍ରୀ।

ଏ ସମ୍ବନ୍ଧରେ ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ବେହେରାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ତେବେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖୁ ତୁରନ୍ତ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଲାଗି ଅଭିଭାବକ ମହଲରେ ଦୃଢ଼ ଦାବି ହେଉଛି। 

Related Articles

Leave a Reply

Your email address will not be published. Required fields are marked *

Back to top button