ଅପରେସନ୍ ‘ଦୁହ୍ଲେ ରାଜା’: ଫସିଗଲା ନକଲି ଆଇବି ଅଫିସର୍, ବିବାହ ବାହାନାରେ ବିଧବା, ପରିତ୍ୟକ୍ତାଙ୍କୁ ଲୁଟୁଥିଲା
ଭୁବନେଶ୍ବର: ମାଟ୍ରିମୋନି ସାଇଟ୍ରେ କମ୍ ବୟସର ବିଧବା, ସ୍ବାମୀ ପରିତ୍ୟକ୍ତାଙ୍କୁ ବାହା ହେବାର ପ୍ରତିଶ୍ରୁତି ଦେଇ ଲୁଟୁଥିବା ଜଣେ ନକଲି ଆଇବି ଅଫିସର୍ ଶେଷରେ ଫସିଯାଇଛି। ଯେଉଁ ଫର୍ମୁଲାରେ ସେ ମହିଳାମାନଙ୍କୁ ଫସାଉଥିଲା, ସେହି ଫର୍ମୁଲା ପ୍ରୟୋଗ କରି କମିସନରେଟ୍ ପୁଲିସ ତାକୁ ବାନ୍ଧିଛି। ଅଭିଯୁକ୍ତ ହେଲା ଯାଜପୁର ଜିଲ୍ଲା ବିଂଝାରପୁର ଥାନା ବଡ଼ମାଳୀପୁରର ସତ୍ୟଜିତ୍ ମାନଗୋବିନ୍ଦ ସାମଲ(୩୪)।
ମାୟାଜାଲରେ ଫସାଇ ବିବାହ କରିଥିବା ଦୁଇ ଦୁଇ ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ତାକୁ ଗିରଫ କରିଛି। ଆଇପିସି ୩୭୬, ୪୧୭, ୪୨୦, ୪୦୩ ଭଳି ସଂଗିନ୍ ଦଫାରେ ତାକୁ କୋର୍ଟ ଚାଲାଣ କରିଛି। ପ୍ରଥମ ମହିଳାଙ୍କଠାରୁ ବାଲେନୋ କାର୍ ସହ ୨୮ ଲକ୍ଷ ଟଙ୍କା ଓ ଦ୍ବିତୀୟ ମହିଳାଙ୍କଠାରୁ ବୁଲେଟ୍(ଇଣ୍ଟର୍ସେପ୍ଟର୍) ସହ ୮.୬୦ ଲକ୍ଷ ଟଙ୍କା ଲୁଟିଛି। ତା’ଠାରୁ ପୁଲିସ ନଗଦ ୨.୧୦ ଲକ୍ଷ ଟଙ୍କା, ୧.୭୫ ଲକ୍ଷ ଟଙ୍କା ଜମା ଥିବା ୩ ବ୍ୟାଙ୍କ୍ ପାସ୍ବୁକ୍, ଏକ ପିସ୍ତଲ, ଗୁଳି, କାର୍, ବୁଲେଟ୍, ୩ ମୋବାଇଲ୍ ଫୋନ୍ ଓ ୨ ବିବାହ ଚୁକ୍ତିପତ୍ର ଜବତ କରିଛି। ଆହୁରି ଅନେକ ମହିଳାଙ୍କୁ ସେ ଏଭଳି ଅଭିନବ ଢାଞ୍ଚାରେ ଲୁଟିଥିବା ନେଇ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବାରୁ ପୁଲିସ ତାକୁ ରିମାଣ୍ଡ୍ରେ ଆଣିବାକୁ ଯୋଜନା କରିଛି।
୨୦୨୪ ଫେବ୍ରୁଆରି ୨ରେ ସତ୍ୟଜିତ୍ ନାଁରେ କ୍ୟାପିଟାଲ୍ ଥାନାରେ ପ୍ରଥମ ମାମଲା ରୁଜୁ ହୋଇଥିଲା। ସରକାରୀ ଚାକିରି କରିଥିବା ଜଣେ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିଥିଲା। ମହିଳାଙ୍କ ଅଭିଯୋଗ ଅନୁସାରେ ଏକ ମାଟ୍ରିମୋନି ସାଇଟ୍ ଜରିଆରେ ସେ ସତ୍ୟଜିତ୍ ସହ ପରିଚିତ ହୋଇଥିଲେ। ଉକ୍ତ ସାଇଟ୍ରେ ସତ୍ୟଜିତ୍ ନିଜକୁ ଜଣେ ଆଇବି ଅଫିସର୍ ବୋଲି ଉଲ୍ଲେଖ କରିଥିଲା। ସ୍ବାମୀ ପରିତ୍ୟକ୍ତା ବୋଲି ଜାଣିବା ପରେ ମଧ୍ୟ ସେ ମହିଳାଙ୍କୁ ବିବାହ କରିବ ବୋଲି ସମ୍ମତି ଜଣାଇଥିଲା। ଏହାପରେ ସେମାନଙ୍କ ମଧ୍ୟରେ ନିୟମିତ ଦେଖାସାକ୍ଷାତ ଓ ଫୋନ୍ରେ କଥାବାର୍ତ୍ତା ଚାଲିଲା। ପ୍ରଥମେ ସେମାନେ ନୋଟାରିଙ୍କ ନିକଟରେ ବିବାହର ଚୁକ୍ତିପତ୍ର କରିଥିଲେ। ଏହାପରେ ମହିଳା ତାଙ୍କୁ ଏକ ବାଲେନୋ କାର୍ ଉପହାର ଦେଇଥିଲେ। ସେଥିରେ ସେମାନେ ବହୁ ସମୟରେ ଲଙ୍ଗ୍ ଡ୍ରାଇଭ୍ରେ ଯାଉଥିଲେ। ଚାକିରି ଥିଲେ ବି କୌଣସି ଏକ ବ୍ୟବସାୟ କରିବାକୁ କହି ସତ୍ୟଜିତ୍ ମହିଳାଙ୍କୁ କିଛି ଟଙ୍କା ମାଗିଥିଲା ଏବଂ ବ୍ୟାଙ୍କ୍ରୁ ଋଣ କରି ମହିଳା ତାଙ୍କୁ ୨୮ ଲକ୍ଷ ଟଙ୍କା ଦେଇଥିଲେ। ଏହା ଭିତରେ ଧୂର୍ତ୍ତ ସତ୍ୟଜିତ୍ ଅନ୍ୟ ସ୍ବାମୀ ପରିତ୍ୟକ୍ତାଙ୍କୁ ବି ସମାନ ତରିକାରେ ଫସାଇଥିଲା। ତାଙ୍କଠାରୁ ଏକ ବୁଲେଟ୍ ଇଣ୍ଟର୍ସେପ୍ଟର ଉପହାର ନେବା ସହ ବ୍ୟବସାୟ ପାଇଁ ୮ ଲକ୍ଷ ଟଙ୍କା ଝଡ଼ାଇଦେଇଥିଲା। କିନ୍ତୁ ସତ୍ୟଜିତ୍ର ଜାଲିଆତି ବେଶି ଦିନ ଲୁଚି ନଥିଲା। ଦୁଇ ମହିଳା ତାକୁ ସନ୍ଦେହ କରିବା ଆରମ୍ଭ କରିଥିଲେ। ପ୍ରଥମ ମହିଳାଙ୍କ ସହ ଝଗଡ଼ା ହେବାରୁ ସତ୍ୟଜିତ୍ ତାଙ୍କୁ ବନ୍ଧୁକ ଦେଖାଇ ଗୁଳି କରିଦେବ ବୋଲି ଧମକ ଦେଇଥିଲା। କିନ୍ତୁ ତାର ଚାଲ୍ ଧରାପଡ଼ିବା ପୂର୍ବରୁ ସେ ମୋବାଇଲ୍ ସୁଇଚ୍ ଅଫ୍ କରି ଦୁବାଇ ପଳାଇଥିଲା।
ଲଙ୍ଗ୍ ଡ୍ରାଇଭ୍; ଦୁବାଇରୁ ଥାନା ଦୁଆର
ତାକୁ ଧରିବାକୁ ପୁଲିସ ୬ ମାସ କାଳ ବହୁ ଖୋଜାଖୋଜି କରି ବିଫଳ ହେଲା। ଶେଷରେ ଆରମ୍ଭ ହେଲା ଅପରେସନ୍ ‘ଦୁହ୍ଲେ ରାଜା’। ଜଣେ ମହିଳା ଏସ୍ଆଇ ଛଦ୍ମନାମରେ ମାଟ୍ରିମୋନି ସାଇଟ୍ ‘ଜୀବନସାଥୀ ଡଟ୍ କମ୍’ରେ ଯୋଡ଼ିହେଲେ। ନିଜକୁ ସ୍ବାମୀ ପରିତ୍ୟକ୍ତା ଓ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ରେ ଭଲ ଚାକିରି କରନ୍ତି ବୋଲି ଲେଖିଥିଲେ। ସେ ଦ୍ବିତୀୟ ବିବାହ କରିବାକୁ ଚାହୁଛନ୍ତି ବୋଲି ମଧ୍ୟ ତାଙ୍କ ପ୍ରୋଫାଇଲ୍ରେ ଦର୍ଶାଇଲେ। ସବୁବେଳେ ଏମିତି ମହିଳାଙ୍କୁ ଟାର୍ଗେଟ୍ କରୁଥିବା ସତ୍ୟଜିତ୍ ସତକୁ ସତ ଯୋଗାଯୋଗ କଲା। ଆରମ୍ଭ ହେଲା ଭାବ ଆଦାନପ୍ରଦାନ। ଫୋନ୍ରେ କଥାବାର୍ତ୍ତା ଜାରି ରହିଲା ଏବଂ ସେମାନେ ବିବାହ କରିବାକୁ ରାଜି ହୋଇଗଲେ। ବିବାହ ପୂର୍ବରୁ ସେମାନେ ଲଙ୍ଗ୍ ଡ୍ରାଇଭ୍ରେ ଯିବାକୁ ମହିଳା ଏସ୍ଆଇ ପ୍ରସ୍ତାବ ଦେଲେ। ତେଣୁ ଦୁବାଇରୁ ଧାଇଁ ଆସିଲା ଧୂର୍ତ୍ତ। ଯୋଜନା ଅନୁସାରେ କଳ୍ପନା ଛକରେ ଏସ୍ଆଇ ଏକାକୀ ଅପେକ୍ଷା କରିଥିଲେ। ବାଲେନୋ କାର୍ ଧରି ପହଞ୍ଚିଯାଇଥିଲା ସତ୍ୟଜିତ୍। ସେଠାରୁ ସେମାନେ ଚିଲିକା ବୁଲିବାକୁ ବାଲୁଗାଁ ଅଭିମୁଖେ ବାହାରିଥିଲେ। କିନ୍ତୁ କାର୍ ରାଜମହଲ ଛକରେ ପହଞ୍ଚିବା ବେଳକୁ ପୁଲିସ ଟିମ୍ ଘେରି ଯାଇଥିଲା। କାର୍ କ୍ୟାପିଟାଲ୍ ଥାନା ଭିତରକୁ ପଶିଗଲା।
୫୦ ପୂର୍ବରୁ ଧରାପଡ଼ିଗଲା
କଳାରେ ଗ୍ରାଜୁଏସନ୍ କରିଥିବା ସତ୍ୟଜିତ୍ ମହିଳାଙ୍କୁ ଲୁଟିବା କଳାରେ ବେଶ୍ ଧୁରନ୍ଧର ଥିଲା। ଅଭିଯୋଗ କରିଥିବା ୨ ଓଡ଼ିଆ ମହିଳାଙ୍କ ବାଦ୍ ସେ ଦିଲ୍ଲୀ, କୋଲକାତାର ୨ ମହିଳାଙ୍କୁ ବି ବାହା ହୋଇଥିବା ଜଣାପଡ଼ିଛି। ସବୁ ବାହାଘର ନୋଟାରିଙ୍କ ଚୁକ୍ତିପତ୍ରରେ ହୋଇଛି। ସେହିଭଳି ମଧ୍ୟପ୍ରଦେଶ, ଛତିଶଗଡ଼, ଉତ୍ତରପ୍ରଦେଶର କିଛି ମହିଳା ମଧ୍ୟ ତା’ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି। ପାଖାପାଖି ୪୯ ମହିଳା ତାକୁ ବାହା ହେବାକୁ ଲାଇନ୍ରେ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେଣୁ ଆଉ କିଛି ଦିନ ପରେ ସେ ଏଭଳି ମାମଲାରେ ଅର୍ଦ୍ଧଶତକ ହାସଲ କରିଥାଆନ୍ତା। ମାତ୍ର ତା ପୂର୍ବରୁ ଫସିଗଲା।
ଶେର୍ଵାନିରେ ଜୋଇଁପୁଅ ବେଶ
ଗୁଇନ୍ଦା ବିଭାଗ ଅଧିକାରୀ ବୋଲି ପ୍ରମାଣ ଦେବାକୁ ସେ ସବୁବେଳେ ତା’ ପ୍ରୋଫାଇଲ୍ରେ ବନ୍ଧୁକ ଥିବା ଫଟୋ ଅପ୍ଲୋଡ୍ କରୁଥିଲା। ଶେର୍ୱାନି ପ୍ରତି ଥିଲା ତା’ର ଅହେତୁକ ଦୁର୍ବଳତା। ଦୁବାଇ ଓ ସାଉଦିଆରବର ବଡ଼ବଡ଼ ମଲ୍ରୁ ସେ ଦାମୀ ଶେର୍ୱାନି ପିନ୍ଧି ଫଟୋ ଉଠାଉଥିଲା। ସେହିଭଳି ତା’ର କାର୍ ସଉକ ବି କିଛି କମ୍ ନୁହେଁ। ମହିଳାଙ୍କୁ ଠକି କାର୍ କିଣୁଥିଲା ଏବଂ ସେଗୁଡ଼ିକୁ ବିଭିନ୍ନ ଟ୍ରାଭେଲ୍ ଏଜେନ୍ସିରେ ଭଡ଼ାକୁ ଲଗାଉଥିଲା। ତେଣୁ ରିମାଣ୍ଡରେ ଆଣିବା ପରେ ପୁଲିସ ସବୁ କାର୍ ଜବତ କରିବ ବୋଲି ଜଣାପଡ଼ିଛି।