ଖେଳ ଖବର

ଆଜିଠାରୁ ଆରମ୍ଭ ହେବ ଅଲିମ୍ପିକ୍ସ

ପ୍ୟାରିସ୍‌: ଫ୍ରାନ୍ସର ରାଜଧାନୀ ଐତିହାସିକ ପ୍ୟାରିସ୍‌ ସହରରେ ବିଶ୍ୱର ସର୍ବଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତା ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବ। ବିଶ୍ୱର ଏହି କ୍ରୀଡ଼ା ମହାକୁମ୍ଭରେ ଅଂଶଗ୍ରହଣ କରିବା ଲାଗି ବର୍ଷ ବର୍ଷ ଧରି ଚେଷ୍ଟା ଚଳାଇଥିବା ଆଥ୍‌ଲେଟଙ୍କ ମଧ୍ୟରୁ କେବଳ ୧୦,୭୧୪ ଜଣଙ୍କ ସ୍ୱପ୍ନ ପୂରଣ ହୋଇଛି। ଏମାନେ ୨୦୬ଟି ଦେଶକୁ ପ୍ରତିନିଧିତ୍ୱ କରୁଥିବା ଏହି ପ୍ରତିଯୋଗୀମାନେ ୩୨ଟି କ୍ରୀଡ଼ାରେ ୩୨୯ଟି ଇଭେଣ୍ଟ ଲାଗି ପ୍ରତିଦ୍ୱନ୍ଦ୍ୱିତା କରିବେ।

ଠିକ୍‌ ୧୦୦ ବର୍ଷ ପରେ ଏଠାରେ ଆୟୋଜିତ ହେଉଥିବା ଗ୍ରୀଷ୍ମକାଳୀନ ଅଲିମ୍ପିକ୍‌ କ୍ରୀଡ଼ା ଅନେକ କ୍ଷେତ୍ରରେ କିଛି ନୂଆ କାର୍ୟ୍ୟକ୍ରମକୁ ଗ୍ରହଣ କରିଛି। ଏହା ମଧ୍ୟରେ ସବୁଠୁ ଚର୍ଚ୍ଚାରେ ରହିଛି ଉଦ୍‌ଘାଟନୀ ଉତ୍ସବ।

ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଖୁବ୍‌ ଉଚ୍ଚକୋଟୀର ହୋଇଥାଏ। ଏଥର ଏହି ଉତ୍ସବ ପ୍ରଥମଥର ଷ୍ଟାଡିୟମ୍‌ରେ ନ ହୋଇ ପ୍ୟାରିସ୍‌ ସହର ନିକଟରେ ଥିବା ସିନ୍‌ ନଦୀରେ ଆୟୋଜିତ ହେବ। ଏହାକୁ ଦେଖିବା ଲାଗି ନଦୀକୂଳରେ ୬ ଲକ୍ଷ ଦର୍ଶକ ଉପସ୍ଥିତ ରହିବେ ବୋଲି ଆକଳନ କରାଯାଇଛି। ଅଲିମ୍ପିକ୍ସ ଆୟୋଜନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜକ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି ଓ ପ୍ୟାରିସ୍‌ ଅଲିମ୍ପିକ୍ସ ଆୟୋଜନ କମିଟି ଏହାକୁ ସ୍ମରଣୀୟ କରିବା ଲାଗି ସମସ୍ତ ପ୍ରକାର ପ୍ରଚେଷ୍ଟା କରିଛନ୍ତି। କ୍ରୀଡ଼ାକ୍ଷେତ୍ରରେ ନୂଆ ଜ୍ଞାନ କୌଶଳର ପ୍ରୟୋଗ, ଏଆଇ ସିସିଟିଭି କ୍ୟାମେରାରେ ସୁରକ୍ଷା ବ୍ୟବସ୍ଥା ତଦାରଖ, ଖେଳାଳିଙ୍କ ମାତାପିତାଙ୍କ ପ୍ରତିକ୍ରିୟାର ସିଧାସଳଖ ପ୍ରସାରଣ, ରିଅଲ ଟାଇମ୍‌ ଆନାଲିସସ୍‌, ୮କେ ଉଚ୍ଚକୋଟୀର ଲାଇଭ୍‌ ଷ୍ଟ୍ରିମିଂ କରାଯିବ। ଆୟୋଜକମାନେ ଏହି କ୍ରୀଡ଼ାମହାକୁମ୍ଭକୁ ଜୀବନ୍ତ କରି ପ୍ରସାରଣ କରିବାର ଅନେକ ବ୍ୟବସ୍ଥା କରିଛନ୍ତି।

ପ୍ୟାରିସ ସହର ହିଁ ହେବ ଏହି ପ୍ରତିଯୋଗିତାର ମୁଖ୍ୟ ଭେନ୍ୟୁ। ଏଠାରେ କିଛି ଖେଳକୁ ଛାଡିଦେଲେ ଅନ୍ୟ ସମସ୍ତ ଇଭେଣ୍ଟ ଆୟୋଜିତ ହେବ। ହ୍ୟାଣ୍ଡବଲ, ସେଲିଂ ଓ ସର୍ଫିଙ୍ଗ ବିଭିନ୍ନ ସହରରେ ଆୟୋଜିତ ହେଉଥିଲାବେଳେ ଫ୍ରାନ୍ସର ବଡ଼ ବଡ଼ ୫ଟି ସହରରେ ସବୁଠାରୁ ଲୋକପ୍ରିୟ ପ୍ରତିଯୋଗିତା ଫୁଟବଲ ଖେଳ ଆୟୋଜିତ ହେଉଛି। ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ ଆୟୋଜିତ ହେଉଥିବା ରୋଲାଣ୍ଡ ଗ୍ୟାରୋସ୍‌ରେ ଲନ୍‌ ଟେନିସ, ୟଭେସ ଡୁ ମାନୋଇରେ ହକି କ୍ରୀଡ଼ା ଆୟୋଜିତ ହେବ। ଏହି ପ୍ରତିଯୋଗିତାରେ ୨୦୬ଟି ଦେଶ ଅଂଶଗ୍ରହଣ କରୁଥିଲାବେଳେ ରୁଷ ଓ ଆଫଗାନିସ୍ତାନର ପ୍ରତିଯୋଗୀମାନେ ଆଇଓସି ବ୍ୟାନରରେ ଅଂଶଗ୍ରହଣ କରିବେ। କିନ୍ତୁ ପଦକ ତାଲିକାରେ ଶୀର୍ଷସ୍ଥାନ ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍‌ ମଧ୍ୟରେ ଜୋରଦାର ମୁକାବିଲା ହେବ। ଏଥର ବ୍ରେକିଂ ବା ବ୍ରେକ୍‌ ଡ୍ୟାନ୍ସିଂ ନୂଆ ଖେଳ ଭାବେ ପଦାର୍ପଣ କରିଛି। ଜାପାନର ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍ସରେ ଆୟୋଜିତ ୩ଟି କ୍ରୀଡ଼ା ଯଥା କରାଟେ, ସଫ୍ଟବଲ ଓ ବେସ୍‌ବଲକୁ ବାଦ୍‌ ଦିଆଯାଇଛି। ସେହିପରି ଆଉ ୩ଟି କ୍ରୀଡ଼ା ଏଥର ପ୍ୟାରିସ ଅଲିମ୍ପିକ୍ସକୁ ପ୍ରତ୍ୟାବର୍ତ୍ତନ କରିଛି। ସେଗୁଡିକ୍‌ ହେଲା ସ୍କେଟ ବୋର୍ଡିଂ, ସ୍ପୋର୍ଟ୍ସ କ୍ଲାଇମ୍ବିଂ ଓ ସର୍ଫିଙ୍ଗ୍‌।

ଏହି କ୍ରୀଡ଼ା ମହାକୁମ୍ଭ ଲାଗି ଭାରତରୁ ୧୧୭ ଜଣ ପ୍ରତିଯୋଗୀ ୧୬ଟି କ୍ରୀଡ଼ାରେ ଅଂଶଗ୍ରହଣ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ନୀରଜ ଚୋପ୍ରାଙ୍କ ଉପରେ ଭାରତର ସବୁଠାରୁ ଅଧିକ ଆଶା ରହିଛି। ପ୍ୟାରିସ୍‌ରେ ଭାରତର ୧୦ଜଣ ପଦକ ଆଶାୟୀ ରହିଛନ୍ତି। ଭାରତରେ ଏହି ପ୍ରତିଯୋଗିତା ସ୍ପୋର୍ଟ୍ସ ୧୮ ଟିଭି ଚ୍ୟାନେଲ ଓ ଜିଓ ଆପ୍‌ରେ ସିଧାସଳଖ ପ୍ରସାରିତ ହେବାର କାର୍ୟ୍ୟକ୍ରମ ରହିଛି। ପିଭି ସିନ୍ଧୁ ଓ ଅଚନ୍ତ ଶରତ କମଳ ପରେଡରେ ଭାରତର ଜାତୀୟ ପତାକା ଧରିବେ। ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ଭାରତୀୟ ସମୟ ରାତି ୧୧ଟାରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବ।
ଶୁକ୍ରବାର ଭାରତୀୟ ସମୟ ରାତି ୧୧ଟାରୁ ଆରମ୍ଭ ହେବ। ଏଥର ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ନିଆରା ହେବ। ପ୍ରଥମଥର ପାଇଁ ଉଦ୍‌ଘାଟନୀ ଉତ୍ସବରେ କୌଣସି ଷ୍ଟାଡିୟମରେ ଆୟୋଜନ ହେବ ନାହିଁ। ପ୍ୟାରିସ ଦେଇ ବହିଯାଉଥିବା ସିନ ନଦୀରେ ଉଦ୍‌ଘାଟନୀ ଉତ୍ସବକୁ ସାରା ବିଶ୍ୱ ଦେଖିବ। ଏହି ଉତ୍ସବ ଅବସରରେ ପୂରା ପ୍ୟାରିସ ସହର ଏକ ବିଶାଳ ଥିଏଟରରେ ପରିଣତ ହେବ। ସିନ ନଦୀରେ ୯୪ଟି ବୋଟ୍‌ରେ ବସି ବିଭିନ୍ନ ଦେଶର ଆଥଲେଟମାନେ ୬ କିଲୋମିଟର ଧରି ପୂର୍ବପରି ପାରମ୍ପରିକ ପରେଡ କରିବେ। ଏଥିପାଇଁ ନଦୀ ଉପରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ସୁରକ୍ଷା ତଥା ନିରାପତ୍ତା ବ୍ୟବସ୍ଥା ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯାଇଛି ଓ ପ୍ୟାରିସ ଏକ ପ୍ରକାର ଏକ ଅଭେଦ୍ୟ ଦୁର୍ଗରେ ପରିଣତ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button