ଜଗତନାଥଙ୍କ ଜନ୍ମବେଦି ଯାତ୍ରା

ବର୍ଷକୁ ଥରେ ରଥରେ ଜଗତନାଥ ଜଗନ୍ନାଥଙ୍କୁ ଆଖି ପୂରାଇ ଦେଖିବା ପାଇଁ ବ୍ୟାକୁଳ ହୋଇପଡ଼ୁଥିଲେ ଭକ୍ତ ଓ ଶ୍ରଦ୍ଧାଳୁ। କାରଣ ବିଶ୍ବାସ ରହିଛି, ରଥାରୂଢ଼ ତିନିଠାକୁରଙ୍କୁ ଦେଖିଲେ ମହାପୁଣ୍ୟ ମିଳେ। ପୁନର୍ଜନ୍ମରୁ ମୁକ୍ତି ବା ମୋକ୍ଷ ପ୍ରାପ୍ତି ହୁଏ। ତେଣୁ ରତ୍ନବେଦି ଛାଡ଼ି ବଡ଼ଭାଇ ଓ ସାନଭଉଣୀଙ୍କୁ ନେଇ କେତେବେଳେ ପ୍ରଭୁ ବାଇଶି ପାହାଚରେ ପହଣ୍ଡି କରିବେ, ଟାହିଆମଣ୍ଡିତ ଚକାନୟନ ଝଲସିବ, ବଡ଼ଦାଣ୍ଡରେ ରଥ ଗଡ଼ିବ, ତାହା ଦେଖିବାକୁ ଛଳଛଳ ନୟନରେ ଅପେକ୍ଷା କରିଥିଲେ ଭକ୍ତ ଓ ଶ୍ରଦ୍ଧାଳୁମାନେ। ହାତଟେକି ଡାକୁଥିଲେ ମହାପ୍ରଭୁଙ୍କୁ। କେହିକେହି ତ ଭାବବିହ୍ବଳିତ ହୋଇ ନାଚି ପକାଉଥିଲେ। ମନ୍ଦିର ଭିତରେ ଓ ରଥ ପାଖରେ ଘଣ୍ଟ, ଘଣ୍ଟା, ଭେରି, ତୂରୀ ଓ ମୃଦଙ୍ଗର ତାଳେତାଳେ ଚାଲିଥିଲା ଭଜନ, କୀର୍ତ୍ତନ। ସମୟ ଯେତିକି ଗଡ଼ିଗଡ଼ି ଯାଉଥିଲା, ଭକ୍ତଙ୍କ ମନ ସେତିକି ଅଧିକରୁ ଅଧିକତର ବ୍ୟାକୁଳ ହୋଇପଡ଼ୁଥିଲା। ଆଖିର ପଲକ ପଡ଼ୁନଥିଲା। ମଝିରେ ମଝିରେ ଅସରାକୁ ଅସରା ବର୍ଷା ଭିଜାଉଥିଲା। କିନ୍ତୁ ତୁହାକୁ ତୁହା ବର୍ଷା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବକୁ କାଣିଚାଏ ଉଣା କରିପାରିନଥିଲା। ଏଣେ ରଥ ଓ ପଥ ବି ବ୍ୟାକୁଳ ହୋଇପଡ଼ୁଥିଲେ। ମହାପ୍ରଭୁଙ୍କୁ କୋଳାଗ୍ରତ କରିବାକୁ ରଥ ଯେତିକି ବ୍ୟାକୁଳ ଥିଲା, ରଥାରୂଢ଼ ଜଗତନାଥଙ୍କୁ ଛାତିରେ ଖେଳାଇବାକୁ ପଥ ବି ସେତିକି ଉତ୍ସୁକତାର ସହ ଚାହିଁ ବସିଥିଲା। ଶେଷରେ ସେହି ପବିତ୍ର ମୁହୂର୍ତ୍ତ ଉପନୀତ ହେଲା। ରତ୍ନବେଦିରୁ ଜନ୍ମବେଦି ଅଭିମୁଖେ ବାହାରିଲେ ଭାଇ ଭଉଣୀ ସହ ଜଗନ୍ନାଥ। ବାଇଶି ପାହାଚରେ ପହଣ୍ଡି ହେଲା, ଝୁଲିଝୁଲି ଜଗା ରଥକୁ ଆସିଲା। ରଥକୁ ଟାଣିନେଲେ ଭକ୍ତ ଓ ଶ୍ରଦ୍ଧାଳୁ। ରଥ ଗଡ଼ିଲା ମାଉସୀ ମା’ ଗୁଣ୍ଡିଚା ମନ୍ଦିର ଅଭିମୁଖେ। ଆଜି ଭୁବନେଶ୍ବରରେ ପବିତ୍ର ରଥଯାତ୍ରା ଅବସରରେ ଏମିତି ଥିଲା ସବୁ ଜଗନ୍ନାଥ ମନ୍ଦିର ପରିସର। ଲକ୍ଷଲକ୍ଷ ଭକ୍ତ ଏହି ଗୁଣ୍ଡିଚା ଯାତ୍ରା ଦେଖିବାକୁ ରୁଣ୍ଡ ହୋଇଥିଲେ। ପଟିଆ, ଶ୍ରୀବାଣୀକ୍ଷେତ୍ର, ଆର୍ସିଏମ୍, ନୀଳାଦ୍ରିବିହାର, ଶୈଳଶ୍ରୀବିହାର, ବାଣୀବିହାର, ଇସ୍କନ, ଶିରିପୁର, ଜାଗମରା-ଧର୍ମବିହାର, କୋଳଥିଆ, ଘାଟିକିଆ ଆଦି ବହୁ ସ୍ଥାନରେ ଗୁଣ୍ଡିଚା ଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।