ରାଜ୍ୟ

ଇସ୍କନ୍‌ ସାମ୍ନାରେ ବୁଡ଼ିଲା ଶତାଧିକ ବାଇକ୍‌: ଭୁବନେଶ୍ବରରେ ୫୨ ମିମି ବର୍ଷିଲା

ଭୁବନେଶ୍ବର: ସକାଳୁ ଭୁବନେଶ୍ବରରେ ମେଘୁଆ ପାଗ ଲାଗିରହିଥିଲା। କେତେବେଳେ ଖରା ହେଉଥିଲା ତ ଆଉ କେତେବେଳେ ସହର ଉପରକୁ ଘୋଟି ଆସୁଥିବା କଳା ହାଣ୍ଡିଆ ବାଦଲ। ପୂର୍ବାହ୍ନ ବେଳକୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିଲା ଏବଂ ମଧ୍ୟାହ୍ନ ପ୍ରାୟ ୧୨ଟା ବେଳକୁ ଆରମ୍ଭ ହୋଇଗଲା ବର୍ଷା। ରାଜଧାନୀର ଚାରି ଦିଗ ଅନ୍ଧାର କରି ଢାଳିଲା ତୁହାକୁ ତୁହା ବର୍ଷା। ମଧ୍ୟାହ୍ନରେ ଦୁଇ ଘଣ୍ଟା ମଧ୍ୟରେ ୪୦ ମିମି ବର୍ଷା ହୋଇଥିଲା। ଏହି ବଡ଼ ବର୍ଷାରେ ରାଜଧାନୀର ବ୍ୟାପକ ଅଞ୍ଚଳ ଜଳାର୍ଣ୍ଣବ ହୋଇଗଲା। ଜାତୀୟ ରାଜପଥରେ ନଦୀର ଭ୍ରମ ସୃଷ୍ଟି ହୋଇଥିଲା। କେତେକ ସ୍ଥାନରେ ବାଇକ୍‌ ଓ ସାଇକେଲ ଭାସିଥିଲା। ପ୍ରତିଥର ଭଳି ନୂଆପଲ୍ଲୀ ଇସ୍କନ ମନ୍ଦିର ସମ୍ମୁଖ‌ ରାସ୍ତା ବର୍ଷା‌ ପାଣିରେ ବୁଡ଼ିଯାଇଥିଲା। ଦୁଇରୁ ତିନି ଫୁଟ ଉଚ୍ଚର ପାଣି ଲହଡ଼ି ଭାଙ୍ଗିଥିଲା। ରଥଯାତ୍ରା ଦେଖିବାକୁ ଆସିଥିବା ଶତାଧିକ ଶ୍ରଦ୍ଧାଳୁଙ୍କ ବାଇକ୍‌ ବର୍ଷା ପାଣିରେ ବୁଡ଼ି ଯାଇଥିଲା।

ବାଇକ୍‌ ଭିତରେ ପାଣି ପଶିଯିବାରୁ ଭକ୍ତମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରଥଯାତ୍ରା ଦେଖିବାକୁ ଆସୁଥିବା ମହିଳା ଓ ଶିଶୁମାନେ ଉଚ୍ଚା ସ୍ଥାନ ଦେଖି ଆଶ୍ରୟ ନେଇଥିଲେ। ସେହିପରି ବର୍ଷା ଯୋଗୁଁ ସିଟି ଓମେନ୍ସ କଲେଜ ସମ୍ମୁଖ ରାସ୍ତା, ସିଆର୍‌ପି ଛକ, ଜୟଦେବ ବିହାର, ନୟାପଲ୍ଲୀ ଛକରେ ଗାଡ଼ିଚାଳକମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ବମିଖାଲ ରାସ୍ତାର ଚିହ୍ନବର୍ଣ୍ଣ କିଛି ବି ଦେଖାଯାଉ ନଥିଲା। ଯାତ୍ରୀମାନେ ଖାଲଖମା ଜାଣିବା ମୁସ୍କିଲ୍‌ ହୋଇପଡ଼ିଥିଲା। ‌ତେଣୁ ଲୋକେ ଯାତାୟାତ ବନ୍ଦ କରି ପାଣି ଛାଡ଼ିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବାଧ୍ୟ ହୋଇଥିଲେ। ପ୍ରାୟ ୩ ଘଣ୍ଟା ଧରି ନିୟମିତ ବ୍ୟବଧାନରେ ବର୍ଷା ଲାଗିରହିବାରୁ ସହରର ବିଭିନ୍ନ ସ୍ଥାନରେ ରଥଟଣା ପ୍ରଭାବିତ ହୋଇଥିଲା। ଇସ୍କନ୍‌ ସମେତ ୟୁନିଟ୍‌-୫, ଶୈଳଶ୍ରୀବିହାର, ବାଣୀବିହାର, ଜାଗମରା, ଭିଏସ୍‌ଏସ୍‌ନଗର, ପଟିଆ, ଚନ୍ଦ୍ରଶେଖରପୁରରେ ଭକ୍ତମାନେ ବର୍ଷାରେ ଭିଜିଭିଜି ରଥଯାତ୍ରାରେ ସାମିଲ ହୋଇଥିଲେ। ସନ୍ଧ୍ୟା ସୁଦ୍ଧା ଭୁବନେଶ୍ବରରେ ମୋଟ ୫୨.୨ ମିମି ବର୍ଷା ହୋଇଛି। ଆସନ୍ତାକାଲି ମଧ୍ୟ ସହରରେ ମଧ୍ୟମଧରଣର ବର୍ଷା ହୋଇପାରେ। ତେବେ ପରବର୍ତ୍ତୀ ୭ ଦିନ ପର୍ଯ୍ୟନ୍ତ ଭୁବନେଶ୍ବରରେ ହାଲୁକା ବର୍ଷା ଲାଗିରହିବ। ଦିନର ତାପମାତ୍ରା ୩୫ ଡିଗ୍ରି ଭିତରେ ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button