ଖେଳ ଖବର

ନିରାଶ କଲା ଯୁବଦଳ: ବିଶ୍ବବିଜେତା ଭାରତକୁ ହରାଇଲା ଜିମ୍ବାୱେ

ହରାରେ: ଜଣେ ବିଶ୍ବବିଜେତା, ଆଉ ଜଣେ ବିଶ୍ବକପ୍ ପାଇଁ ଅଯୋଗ୍ୟ। ହେଲେ ବିଶ୍ବକପ୍ ଟିକଟ ହାସଲ କରିବାରେ ଅସମର୍ଥ ହୋଇଥିବା ଜିମ୍ବାୱେ ବିଶ୍ବବିଜେତା ଭାରତକୁ ୧୩ ରନ୍‌ରେ ହରାଇ ସମସ୍ତଙ୍କୁ ଚକିତ କରିଦେଇଛି। କ୍ରିକେଟ୍‌ରେ ଅଭିଜ୍ଞତାର ଯେ ଢେର ମହତ୍ତ୍ବ ରହିଛି, ତାହା ଉଭୟ ଦଳ ମଧ୍ୟରେ ଖେଳାଯାଉଥିବା ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରୁ ବି ପ୍ରମାଣିତ ହୋଇଛି। ବିଶ୍ବବିଜେତା ହେବା ପରେ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦେଇ ଯୁବ ଚେହେରାଙ୍କୁ ନେଇ ଜିମ୍ବାୱେ ଯାଇଥିଲା ଭାରତୀୟ ଦଳ। ଲକ୍ଷ୍ୟ ଥିଲା କୋହଲି, ରୋହିତ ଯୁଗର ଅବସାନ ପରେ ଭବିଷ୍ୟତର ଦଳ ଗଠନ ପ୍ରକ୍ରିୟା ଆରମ୍ଭ କରିବା। ହେଲେ ସେଠାରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଯୁବ ଭାରତୀୟ ଦଳ ଶୋଚନୀୟ ପ୍ରଦର୍ଶନ କରି ପ୍ରଶଂସକଙ୍କ ଆଗରେ ଲଜ୍ଜିତ ହୋଇଛି। ଫଳରେ ବିଶ୍ବକପ୍ ଜିତିବା ପରର ପ୍ରଥମ ମ୍ୟାଚ୍ ହାରିଥିବା ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇଛି ଭାରତ। ଶନିବାର ଭାରତ ଏବର୍ଷର ପ୍ରଥମ ଟ୍ବେଣ୍ଟି-୨୦ ପରାଜୟ ବରଣ କରିଛି। ଫଳରେ ଦଳର ଲଗାତାର ୧୨ ଟ୍ବେଣ୍ଟି-୨୦ ବିଜୟ ଧାରାରେ ବି ଅଚାନକ ଓ ଅବିଶ୍ବସନୀୟ ଭାବେ ବ୍ରେକ୍ ଲାଗିଛି। ସେହିଭଳି ଟିମ୍ ଇଣ୍ଡିଆ ଗତ ୮ବର୍ଷ ମଧ୍ୟରେ ସର୍ବନିମ୍ନ ଦଳଗତ ‌ସ୍କୋର କରିବାର ଆଲୋଡ଼ା ରେକର୍ଡ କରିଛି। ଅନ୍ୟପକ୍ଷରେ ବିଶ୍ବକପ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନଥିବା ଜିମ୍ବାୱେ ଚମତ୍କାର ବୋଲିଂ ବଳରେ ବିଶ୍ବବିଜେତା ଦେଶକୁ ହରାଇ ନିଜ କ୍ରିକେଟ୍ ଇତିହାସର ଅନ୍ୟତମ ସ୍ମରଣୀୟ ବିଜୟ ହାସଲ କରିଛି। ଉଭୟ ଦଳ ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ରବିବାର ସେହି ହରାରେ ସ୍ପୋର୍ଟସ ପଡ଼ିଆରେ ଖେଳାଯିବ। ସେଥିରେ ଭାରତ ଜିତି ସମ୍ମାନ ଫେରିପାଇବା ଓ ଶୃଙ୍ଖଳା ବରାବର କରିବାକୁ ଚେଷ୍ଟା କରିବ।

ଭାରତୀୟ ବ୍ୟାଟର୍‌ମାନେ ଶନିବାର ଏମିତି ଦୟନୀୟ ବ୍ୟାଟିଂ କରିଥିଲେ ଯେ ଦଳ ମାତ୍ର ୧୧୬ ରନ୍‌ର ବିଜୟ ଲକ୍ଷ୍ୟକୁ ହାସଲ କରିପାରି ନଥିଲା। ଭାରତର ତିନି ଜଣ ଯୁବ ଖେଳାଳି ଅଭିଷେକ ଶର୍ମା, ରିୟାନ ପରାଗ ଓ ଧ୍ରୁବ ଜୁରେଲ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିବା ବେଳେ ତିନି ଜଣ ଯାକ ଅତ୍ୟନ୍ତ ନୈରାଶ୍ୟ ଜନକ କ୍ରିକେଟ୍ ଖେଳିଥିଲେ। ଆଇପିଏଲ୍‌ରେ ବଡ଼ ବଡ଼ ସଟ୍ ଖେଳୁଥିବା ଏହି ପଦାର୍ପଣକାରୀଙ୍କ ସହ ରିଙ୍କୁ ସିଂହଙ୍କ ଭଳି ବିସ୍ଫୋରକ ବ୍ୟାଟର୍ ମଧ୍ୟ ଜିମ୍ବାୱେ ବୋଲରଙ୍କ ଆଗରେ ଅପ୍ରତ୍ୟାଶିତ ଭାବେ ଆତ୍ମସମର୍ପଣ କରିଥିଲେ। ଅନଭିଜ୍ଞ ଭାରତୀୟ ବ୍ୟାଟିଂ ବାହିନୀ ଘରୋଇ ବୋଲରଙ୍କ ଆଗରେ ଏମିତି ଭୟଭୀତ ହୋଇଯାଇଥିଲା ଯେ ଦଳର ୭ଜଣ ବ୍ୟାଟର୍‌ ଏକ ଅଙ୍କ ଆଗକୁ ବଢ଼ି ପାରି ନଥିଲେ। ସେହିଭଳି ତିନି ଜଣ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। କେବଳ ଅଧିନାୟକ ଶୁବମନ ଗିଲ୍‌ ୩୧, ୱାସିଂଟନ୍ ସୁନ୍ଦର ୨୭ ଓ ଆୱେସ ଖାନ୍ ୧୬ ରନ୍ କରି ଲଢ଼ିଥିଲେ। ଅନ୍ୟମାନଙ୍କ ଦୁର୍ବଳ ତଥା ଦାୟିତ୍ବହୀନ ବ୍ୟାଟିଂ ପାଇଁ ଭାରତ ୧୯.୫ ଓଭରରେ ମାତ୍ର ୧୦୨ ରନ୍ କରି ଲଜ୍ଜା‌ଜନକ ପରାଜୟ ବରଣ କରିଥିଲା। ଜିମ୍ବାୱେ ୯୦ ରନ୍‌ରେ ୯ ୱିକେଟ୍ ହରାଇ ସଂର୍ଘର୍ଷ କରୁଥିଲା ବେଳେ ଅବିଭାଜିତ ଶେଷ ୱିକେଟ୍‌ରେ ଏହି ଦଳକୁ ୨୫ ରନ୍ କରିବାର ସୁଯୋଗ ଦେବା ଭାରତ ପାଇଁ ‌ଶେଷରେ କାଳ ହୋଇଛି। ‌ସେଥିପାଇଁ ମଧ୍ୟ ଭାରତ ୫ ଟିକିଆ ଶୃଙ୍ଖଳାରେ ୦-୧ରେ ପଛୁଆ ହୋଇଛି। ଉଭୟ ବ୍ୟାଟିଂ ଓ ବୋଲିଂରେ କମାଲ କରି ଜିମ୍ବାୱେ ଅଧିନାୟକ ସିକନ୍ଦର ରାଜା (୧୭ ରନ୍, ୩/୨୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଛନ୍ତି। ପୂର୍ବରୁ ଜିମ୍ବାୱେ ଅଧିନାୟକ ରାଜା ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ରବି ବିଷ୍ଣୋଇଙ୍କ ୪ ୱିକେଟ୍‌ ସଫଳତା ସତ୍ତ୍ବେ ଜିମ୍ବାୱେ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୧୫ ରନ୍ କରିଥିଲା। ୱିକେଟ୍ ରକ୍ଷକ କ୍ଲାଇଭ୍ ମାଡାଣ୍ଡେ ସର୍ବାଧିକ ୨୯* ରନ୍ କରିଥିଲେ। ଛୋଟ ଲକ୍ଷ୍ୟ ‌ହୋଇଥିଲେ ମଧ୍ୟ ଭାରତର ପଶ୍ଚାତଧାବନ ବିପର୍ଯ୍ୟୟଭରା ରହିଥିଲା। ପାୱାର ପ୍ଲେ’ (୨୮/୪)ରେ ହିଁ ଦଳ ହାତରୁ ମ୍ୟାଚ୍ ଏକପ୍ରକାର ଖସି ଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button