କିଂବଦନ୍ତି ସହିତ ଅତ୍ୟାଧୁନିକତାର ସୁମିଶ୍ରଣ – Kalinga News

[ad_1]
ରେକର୍ଡ ଭଙ୍ଗକାରୀ ବଜେଟ୍, ଭାରତୀୟ କିଂବଦନ୍ତିର ଦୃଢ଼ ଭିତ୍ତି, ଚିତ୍ତାକର୍ଷକ ଆକ୍ସନ୍, ସାହସିକ ପ୍ରୟୋଗ ଦୃଷ୍ଟିରୁ ତେଲୁଗୁ ଶିଳ୍ପ ଭାରତର ଅଗ୍ରଣୀ ସ୍ଥାନ ଅଧିକାର କରିପାରିଛି। କେବଳ ବଜେଟ୍କୁ ବିଚାରକୁ ନେଲେ ୨୦୨୨ର ତେଲୁଗୁ ସିନେମା ‘ଆର୍ଆର୍ଆର୍’ ଏ ପର୍ଯ୍ୟନ୍ତ ଭାରତର ସବୁଠାରୁ ବ୍ୟୟବହୁଳ ଚଳଚ୍ଚିତ୍ର ଥିଲା। ୬୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ‘କଳ୍କୀ ୨୮୯୮ ଏଡି’ ଏବେ ତା’ ପାଖରୁ ସେହି ମାନ୍ୟତା ଛଡ଼ାଇନେଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ବର୍ଷ ‘ରାମାୟଣ’କୁ ଭିତ୍ତି କରି ନିର୍ମିତ ‘ଆଦିପୁରୁଷ’ ସିନେମା ୫୦୦ କୋଟି ଟଙ୍କାରେ ନିର୍ମିତ ହୋଇଥିଲେ ହେଁ ଏହାର ଅପରିପକ୍ବ ଭିଏଫ୍ଏକ୍ସ ଓ ସଂଳାପ ଦର୍ଶକଙ୍କୁ ନିରାଶ କରିଥିଲା। ତେବେ ‘କଳ୍କୀ’ ଭିଏଫ୍ଏକ୍ସ, ଜଟିଳ କାହାଣୀ ପରିକଳ୍ପନା, ତାରକାମାନଙ୍କ ଅଭିନୟ ଆଦି ଦୃଷ୍ଟିରୁ ପ୍ରଥମ ଥର ପାଇଁ ହଲିଉଡ୍ ‘ଏପିକ୍’ ଚଳଚ୍ଚିତ୍ରର ସମସ୍କନ୍ଧ ହୋଇପାରିଛି, ଯାହା ପ୍ରଶଂସନୀୟ।

Sambad is now on WhatsApp
Join and get latest news updates delivered to you via WhatsApp
ସିନେମାଟି ଆରମ୍ଭ ହୁଏ କୁରୁକ୍ଷେତ୍ର ଯୁଦ୍ଧର ସମାପ୍ତି ପରର ଏକ ଦୃଶ୍ୟରୁ। ଖ୍ରୀଷ୍ଟପୂର୍ବ ୩୧୦୨ରେ ଅଶ୍ବତ୍ଥାମା (ଅମିତାଭ ବଚ୍ଚନ)ଙ୍କୁ ଶ୍ରୀକୃଷ୍ଣ ‘ଅମର’ ରହିବାର ଅଭିଶାପ ଦେବା ସହିତ ପରବର୍ତ୍ତୀ କାଳରେ ତାଙ୍କୁ ସୁରକ୍ଷା ପ୍ରଦାନ କରିବେ ବୋଲି କହିଛନ୍ତି। ଏହାର ୬୦୦୦ ବର୍ଷ ପର ସମୟର ପୃଥିବୀରେ ସିନେମାଟି ଗତିଶୀଳ ହୋଇଛି। ୨୮୯୮ ମସିହାର ଏହି ପୃଥିବୀଟି ଧ୍ବଂସପ୍ରାୟ। କାଶୀ ପୃଥିବୀର ଏକମାତ୍ର ସହର ଭାବେ ତିଷ୍ଠି ରହିଛି; ଗଙ୍ଗାର ପାଣି ଶୁଖିଯାଇଛି। ‘ସୁପ୍ରିମ୍ ୟାସ୍କିନ୍’ (କମଲ ହାସନ) ନାମକ ଏକଛତ୍ରବାଦୀ ରାଜା କାଶୀରେ ‘କମ୍ପ୍ଲେକ୍ସ’ ନାମକ ଏକ ଅତ୍ୟାଧୁନିକ ଅଞ୍ଚଳକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି, ଯାହା ସ୍ବର୍ଗ ସହ ତୁଳନୀୟ। ଏହା ବାହାରେ ରହୁଥିବା ସମ୍ବଳହୀନ ଲୋକମାନେ ‘କମ୍ପ୍ଲେକ୍ସ’କୁ ପ୍ରବେଶ କରିବାର ମୂଲ୍ୟ ହେଲା ୧୦ ଲକ୍ଷ ୟୁନିଟ୍ ମୁଦ୍ରା। ୨୦୦୦ ବର୍ଷ ବୟସ୍କ ୟାସ୍କିନ୍ ନିଜର ଆୟୁ ବଢ଼ାଇବା ପାଇଁ ଗର୍ଭଧାରଣ କ୍ଷମତା ରଖିଥିବା ମହିଳାମାନଙ୍କୁ ବଳପୂର୍ବକ ନେଇଯାଇ ଏକ ‘ସେରମ୍’ ପ୍ରସ୍ତୁତି ଗବେଷଣାରେ ଲଗାଏ, କିନ୍ତୁ ସେଥିରେ ସେ ଏଯାବତ୍ ସଫଳ ହୋଇ ନାହିଁ। ଏହି ଗବେଷଣାଗାରରେ ଥିବା ‘ସୁମତୀ’ ନାମ୍ନୀ ମହିଳା (ଦୀପିକା ପାଦୁକୋଣ) ପ୍ରଥମ ଥର ପାଇଁ ସେହି ‘ସେରମ୍’ ପ୍ରସ୍ତୁତ କରିପାରିଥିବା କଥା ସାଙ୍ଗକୁ ସେ କଳ୍କୀଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି ବୋଲି ଜଣାପଡ଼େ। ତେବେ ତାଙ୍କ ଗର୍ଭରୁ ‘ସେରମ୍’ କାଢ଼ିବା ସମୟରେ ତାଙ୍କୁ କିଛି ବିଦ୍ରୋହୀ ଉଦ୍ଧାର କରି ଶମ୍ଭଳ ନାମକ ଗୁପ୍ତ ଅଞ୍ଚଳକୁ ତାଙ୍କୁ ନେଇଯାଆନ୍ତି। ଏ ଭିତରେ ଅଶ୍ବତ୍ଥାମା ସୁମତୀଙ୍କୁ ଠାବ କରି ତାଙ୍କୁ ସୁରକ୍ଷା ଦେବା ପାଇଁ ଏକାଧିକ ଆକ୍ରମଣର ସମ୍ମୁଖୀନ ହୁଅନ୍ତି।
‘ଭୈରବ’ ଚରିତ୍ରରେ ପ୍ରଭାସଙ୍କ ପଦାର୍ପଣ ସମୟରୁ ତାଙ୍କୁ ଜଣେ ଅତ୍ୟାଧୁନିକ ତଥା ଅପରାଜେୟ ଯୋଦ୍ଧା ଭାବେ ପ୍ରଦର୍ଶନ କରାଯାଇଛି। ଭୈରବର ଲକ୍ଷ୍ୟ ହେଉଛି କୌଣସିମତେ ୧୦ ଲକ୍ଷ ୟୁନିଟ୍ ସଂଗ୍ରହ କରି ‘କମ୍ପ୍ଲେକ୍ସ’ରେ ଆରାମଦାୟକ ଜୀବନ ବଞ୍ଚିବା। ଏଥିପାଇଁ ସେ ‘ବାଉଣ୍ଟି ହଣ୍ଟର୍’ ଭାବେ କାମ କରୁଛି। ଅଶ୍ବତ୍ଥାମାଙ୍କ ଠାରୁ ପ୍ରଥମ ଥର ପାଇଁ ପରାଜିତ ହେବା ପରେ ସେ ହଲୋଗ୍ରାଫି ମାଧ୍ୟମରେ ଅଶ୍ବତ୍ଥାମାଙ୍କ ଛଦ୍ମବେଶରେ ସୁମତୀଙ୍କୁ ଅପହରଣ କରିବାର ଉଦ୍ୟମ କରିଛି। ସେ ଏଥର ମଧ୍ୟ ବିଫଳ ହେଉଛି କିନ୍ତୁ ୟାସ୍କିନ୍ର ସେନାବାହିନୀ ଶମ୍ଭଳର ଠିକଣା ପାଇବା ପରେ ଆକ୍ରମଣ ଆରମ୍ଭ କରିଦେଉଛନ୍ତି। ସେମାନେ ସୁମତୀଙ୍କ ପାଖରୁ ଏକ ଟୋପା ‘ସେରମ୍’ ନେଇଯାଆନ୍ତି ଏବଂ ତାହା ସାହାଯ୍ୟରେ ୟାସ୍କିନ୍ ମହାମାନବୀୟ କ୍ଷମତା ହାସଲ କରୁଛି। ଏକ ଉତ୍କଣ୍ଠାପୂର୍ଣ୍ଣ ମୁହୂର୍ତ୍ତରେ ପରବର୍ତ୍ତୀ ଭାଗର ପ୍ରତିଶ୍ରୁତି ସହ ସିନେମାଟି ଶେଷ ହୋଇଛି।
ଏହି ସିନେମା ଦେଖିବା ବେଳେ ‘ଷ୍ଟାର୍ ଵାର୍ସ’, ‘ବ୍ଲେଡ୍ ରନର୍’, ‘ଡ୍ୟୁନ୍’, ‘ମ୍ୟାଡ୍ ମାକ୍ସ: ଫ୍ୟୁରି ରୋଡ୍’ ପରି ସିନେମାର ଛାପ ସ୍ପଷ୍ଟ ବାରି ହୋଇପଡ଼େ। ତଥାପି ଏଥିରେ ଅତ୍ୟାଧୁନିକ ଲେଜର୍ ବନ୍ଧୁକ ଓ ପୌରାଣିକ ଅସ୍ତ୍ରମାନଙ୍କ ମିଶ୍ରଣ ସିନେମାଟିକୁ ରୋଚକ ତଥା ଅନେକାଂଶରେ ମୌଳିକ କରିପାରିଛି। ନିର୍ଦ୍ଦେଶକ ନାଗ ଅଶ୍ବିନ ଏସ୍. ଏସ୍. ରାଜମୌଲୀ ଓ ରାମଗୋପାଲ ବର୍ମାଙ୍କୁ ଅତିଥି ଚରିତ୍ରରେ ସାମିଲ କରି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତେବେ ଏହାର ପ୍ରଚ୍ଛଦ ସଂଗୀତ ଓ ହିନ୍ଦୀ ସଂଳାପ ଅଳ୍ପ ନିରାଶ କଲା। ବୋଧହୁଏ ହିନ୍ଦୀ ଅନୁବାଦରେ ଅନେକ ସୂକ୍ଷ୍ମ ଅଭିବ୍ୟକ୍ତି କ୍ଷୟପ୍ରାପ୍ତ ଓ ପ୍ରଭାବହୀନ ହୋଇଯାଇଛି। ତଥାପି ଏହାକୁ ଏକ ନୂଆ ଉଦ୍ୟମର ଆଦ୍ୟଭାଗ ରୂପେ ସପରିବାର ଉପଭୋଗ କରିପାରିବେ।
[ad_2]