ରାଜନୀତି

ମୟୂରଭଞ୍ଜରେ ହେବ ବିଜେଡିର ପୁନର୍ବିନ୍ୟାସ: ଯୁବ ନେତୃତ୍ବଙ୍କୁ ମିଳିପାରେ ସଙ୍ଗଠନ ଦାୟିତ୍ବ – Kalinga News

[ad_1]

ବରିଷ୍ଠଙ୍କୁ ସୁହାଉନି ଜିଲ୍ଲା ସଭାପତି ପଦ

ବାରିପଦା: ସଦ୍ୟ ସମାପ୍ତ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସମେତ ଜିଲ୍ଲାର ସମସ୍ତ ୯ ବିଧାନସଭା ଆସନରେ ମୂଳପୋଛ ହୋଇଯାଇଛି ବିଜେଡି। ଦଳ ଏମିତି ଶୋଚନୀୟ ପରାଜୟ ଲଭିବ ବୋଲି କେହି ସ୍ବପ୍ନରେ ସୁଦ୍ଧା ଭାବିନଥିଲେ। ତେବେ ଆସନ୍ତା ସାଧାରଣ ନିର୍ବାଚନ ଯାଏ ଜିଲ୍ଲାରେ ବିଜେଡିର ସତ୍ତା ବଞ୍ଚାଇ ରଖିବାକୁ ହେଲେ ପୁଣି ସଙ୍ଗଠନକୁ ମୂଳରୁ ସଜାଡ଼ିବାକୁ ପଡ଼ିବ ବୋଲି କିଛି ଛାମୁଆ ନେତା ପରାମର୍ଶ ଦେଇଛନ୍ତି। ଏବେ ବିଜେଡିର ଅନେକ ନେତା ଓ କର୍ମୀ ନିଜ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ସରକାର ଗଠନ କରିଥିବା ବିଜେପି ଆଡ଼କୁ ଢଳୁଛନ୍ତି। ସେହି ସମସ୍ତ ନେତାଙ୍କୁ ବାଦ୍‌ଦେଇ ଦଳର ଭବିଷ୍ୟତ ପାଇଁ ଯୁବ ନେତୃତ୍ବଙ୍କୁ ଗୁରୁ ଦାୟିତ୍ବ ଦେବାକୁ ସେମାନେ ପ୍ରସ୍ତାବ ଦେଇଛନ୍ତି।

ଜିଲ୍ଲାର ୨୬ ବ୍ଲକ୍‌ରେ ବିଜେଡି ସମର୍ଥନରେ ପଞ୍ଚାୟତ ସମିତି ଗଠନ ହୋଇଛି। ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ପୌର ପରିଷଦ ସହିତ ଜିଲ୍ଲା ପରିଷଦ ବି ବିଜେଡି ଅଧୀନରେ ରହିଛି। ତେଣୁ ଜିଲ୍ଲାରେ ବିଜେଡିର ଜଣେ ବିଧାୟକ ନଥିଲେ ମଧ୍ୟ ଦଳ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦପଦବି ରହିଛି। ଆଉ ଅଢ଼େଇ ବର୍ଷ ପରେ ପଞ୍ଚାୟତ ଓ ପୌର ନିର୍ବାଚନ। ସେ ‌ଯାଏ ବିଜେଡିର ନେତା ଓ କର୍ମୀ ସଙ୍ଗଠିତ ହୋଇ ଏକ ମନରେ କାମ କରିପାରିଲେ ପୁଣିଥରେ ଜିଲ୍ଲାରେ ଦଳର ଉତ୍‌ଥାନ ହୋଇପାରିବ। ଏଥିପାଇଁ ପୁରୁଣା ନେତାଙ୍କ ପାଖରୁ ସଙ୍ଗଠନ ଦାୟିତ୍ବ କାଢ଼ି ଆଣି ଯୁବ ନେତୃତ୍ବଙ୍କୁ ଅର୍ପଣ କରିବା ସହ ସାଙ୍ଗଠନିକ ସ୍ତରରେ ଆମୂଳଚୁଳ ପରିବର୍ତ୍ତନ କରିବାକୁ କିଛି ‌ନେତା ଦାବି କରୁଛନ୍ତି। ତେବେ ଅନ୍ୟ ଗୋଷ୍ଠୀର କହିବା କଥା ହେଲା; ଦଳ କ୍ଷମତାରେ ନଥିବାରୁ ଏହି ସମୟରେ ଅଭିଜ୍ଞ ନେତାଙ୍କର ସବୁଠୁ ଅଧିକ ଆବଶ୍ୟକତା ରହିଛି। ଅନ୍ୟଥା ରାଜ୍ୟ ସ୍ବ‌ାର୍ଥ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ଘେରିବା ଆଦୌ ସହଜ ହେବନାହିଁ।

ଏହାମଧ୍ୟରେ ବିଜେଡି ଜିଲ୍ଲା ସଭାପତି ପଦକୁ ନେଇ ଏକ ଅଦ୍ଭୁତ ସଂଯୋଗ ସାମ୍‌ନାକୁ ଆସିଛି। ଅତୀତରେ ଯେଉଁମାନେ ଜିଲ୍ଲା ସଭାପତି ପଦ ସମ୍ଭାଳିଛନ୍ତି, ପରବର୍ତ୍ତୀ ସମୟରେ ସେମାନଙ୍କ ରାଜନୈତିକ କ୍ୟାରିୟର ଏକପ୍ରକାର ଶେଷ ହୋଇଯାଇଛି। ସ୍ବର୍ଗତ ରଘୁନାଥ ହେମ୍ବ୍ରମ୍‌, ସ୍ବର୍ଗତ ଚୈତନ୍ୟ ପ୍ରସାଦ ମାଝୀ, ଲକ୍ଷ୍ମଣ ଟୁଡ଼ୁ, ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ଏହାର ଉଦାହରଣ। ଏମାନେ ଏକଦା ପ୍ରଭାବଶାଳୀ ନେତା ଥିଲେ। ଜିଲ୍ଲା ସଭାପତି ପଦରେ ରହିବାପରେ ବିଭିନ୍ନ କାରଣରୁ ସମସ୍ତଙ୍କ ରାଜନୈତିକ କ୍ୟାରିୟର ତଳମୁହାଁ ହୋଇଥିଲା। ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସୁଦ‌ାମ ମାରାଣ୍ଡିଙ୍କ କ୍ଷେତ୍ରରେ ବି ସେଇଆ ଘଟିଲା। ୨ ଦଶନ୍ଧି ଧରି ଜିଲ୍ଲା ରାଜନୀତିରେ ସୁଦାମଙ୍କର ବେଶ୍‌ ଆଧିପତ୍ୟ ଥିଲା। ବିଜେଡି ସରକାରର ଗତ ୨ ପାଳିରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ସୁଦାମ। ଏଥିସହ ଦଳର ଜିଲ୍ଲା ସଭାପତି ମଙ୍ଗ ମଧ୍ୟ ଧରିଥିଲେ। ଏଥର ନିର୍ବାଚନରେ ଅନିଚ୍ଛା ସତ୍ତ୍ବେ ସୁଦାମଙ୍କୁ ଲୋକସଭା ପ୍ରାର୍ଥୀ କରିଥିଲା ବିଜେଡି। ତାଙ୍କୁ ମନାଇବାକୁ ଯାଇ ତାଙ୍କ ପତ୍ନୀଙ୍କୁ ମଧ୍ୟ ବାଙ୍ଗିରିପୋଷିରୁ ବିଧାୟକ ପ୍ରାର୍ଥୀ କରାଗଲା। କିନ୍ତୁ, ସ୍ବାମୀ-ସ୍ତ୍ରୀ ଉଭୟ ନିର୍ବାଚନ ହାରିଗଲେ। ଏହି ଝଟ୍‌କା ପରେ ସୁଦାମଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଅନିଶ୍ଚିତତା‌ ଦେଖାଦେଇଛି। ତାଙ୍କ ଭଳି ପ୍ରବୀଣ ରାଜନେତା ଜିଲ୍ଲା ସଭାପତି ପଦରେ ରହିବାକୁ ଆଗ୍ରହ ରଖୁଛନ୍ତି ନା ଯୁବ ନେତୃତ୍ବଙ୍କ ହାତରେ ସଙ୍ଗଠନ ଦାୟିତ୍ବ ନ୍ୟସ୍ତ କରାଯାଉଛି, ତାହାରି ଉପରେ ଏବେ ସମସ୍ତଙ୍କର ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button