ରାଜନୀତି

ଏକାମ୍ର ବିକାଶ ଯୋଜନା: ଜମି‌ ଦେଲେ, ପାହୁଲାଏ ପାଇଲେନି – Kalinga News

[ad_1]

ଆଶା ଦେଲେ ବିଧାୟକ

ପୁରୁଣା ଭୁବନେଶ୍ୱର: ଏକାମ୍ର ବିକାଶ ଯୋଜନାରେ ସ୍ଥାୟୀ ବାସିନ୍ଦାମାନେ ଜମି ଦେଇ କ୍ଷତିପୂରଣ ବାବଦରେ ପାହୁଲାଏ ପାଇଲେନି। ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଜମି ହରାଇଥିବା ସ୍ଥାୟୀ ବାସିନ୍ଦାଙ୍କ ଦୁଖଃ କେବେ ଦୂର ହେବ, ତା’ର ବି କିଛି ହିସାବ ନାହିଁ। ଏହା ଭିତରେ ଜମି ଦେଇଥିବା ବହୁ ମାଲିକଙ୍କର ମୃତ୍ୟୁ ହୋଇଗଲାଣି। ମାତ୍ର ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯାଉନାହିଁ। ଫଳରେ ନିଜ ଜମିରୁ ଦୋକାନ ହରାଇଥିବା ବହୁ ପରିବାର ଏବେ ଗୁଜୁରାଣ ମେଣ୍ଟାଇବାକୁ ସମସ୍ୟାରେ ପଡ଼ିଛନ୍ତି। କିନ୍ତୁ ଏବେ ସରକାର ବଦଳିଛି। ତେଣୁ ଜମି ହରାଇଥିବା ମାଲିକମାନଙ୍କ ଭିତରେ ନୂତନ ଆଶା ସଂଚାର ହୋଇଛି। ସେମାନେ ଉପଯୁକ୍ତ କ୍ଷତିପୂରଣ ପାଇବେ ବୋଲି ଆଶାବାଦୀ ହୋଇପଡ଼ିଛନ୍ତି। ଏକାମ୍ର ବିଧାୟକଙ୍କ ପ୍ରତିଶ୍ରୁତି ଜମିହରା ଲୋକଙ୍କୁ ନୂଆ ଆଶା ଆଣିଦେଇଛି।

୨୦୧୯ ମସିହାରେ ରାଜ୍ୟ ସରକାର ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଅଞ୍ଚଳର ୬୫ ଏକର ପରିମିତ ଅଞ୍ଚଳର ଉନ୍ନତି, ସୌନ୍ଦର୍ଯ୍ୟୀକରଣ ଓ ପର୍ଯ୍ୟଟନସ୍ଥଳର ବିକାଶ ନିମନ୍ତେ ଏକାମ୍ର ଯୋଜନା ଆରମ୍ଭ କରିଥିଲେ। ସେତେବେଳେ ବିସ୍ଥାପିତଙ୍କ ପାଇଁ ଥଇଥାନ ଓ ସହାୟତା ରାଶି ପ୍ୟାକେଜ୍ ଘୋଷଣା ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଲାଭ ପରେ ଘୋଷଣାନାମା ପ୍ରକାଶ ପାଇଥିଲା। ପ୍ୟାକେଜ୍‌ରେ ବାସଗୃହ, ମଠ ଓ ଦୋକାନ ଘର ପାଇଁ ଆର୍ଥିକ ସହାୟତା ଦିଆଯିବ ବୋଲି କୁହାଯାଇଥିଲା। ମାତ୍ର ମଠଗୁଡ଼ିକ ଭାଙ୍ଗିଦେଲେ ସିନା ଆଉ ନୂତନ ମଠ ତିଆରି ହେଲା ନାହିଁ। ସେହିପରି ସେତେବେଳେ ଆବାସିକ ଅଞ୍ଚଳ ପାଇଁ ସ୍ଥିତିବାନ ସ୍ବତ୍ତ୍ୱରେ ନିର୍ମିତ ବାସଗୃହଗୁଡ଼ିକୁ ଓଡ଼ିଶା ସରକାରଙ୍କ ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବା ବ୍ୟବସ୍ଥା ହୋଇଥିଲା। ଏଥିରେ କ୍ଷତିଗ୍ରସ୍ତ ଲୋକଙ୍କୁ ରାଇଟ୍ ଟୁ ଫେୟାର୍ କମ୍ପେନସେସନ୍ ଆଣ୍ଡ ଟ୍ରାନସ୍‌ପାରେନ୍‌ସି ଇନ୍‌ ଲ୍ୟାଣ୍ଡ ଆକ୍ୟୁଜିସନ୍, ରିହାବିଲିଟେସନ୍ ଆଣ୍ଡ ରିସେଟଲ୍‌ମେଣ୍ଟ ଆକ୍ଟ ୨୦୧୩ର ବ୍ୟବସ୍ଥା ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି କୁହାଯାଇଥିଲା। ଅଧିଗୃହିତ ଜମିର ବଜାର ଦର ଅନୁସାରେ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲା।

ଯଦି ଜମି ବଦଳରେ କେହି ଜମି ନେବାକୁ ଚାହିବେ, ସେମାନଙ୍କୁ ଅନ୍ୟତ୍ର ଜମି ଦିଆଯିବାର ବ୍ୟବସ୍ଥା ମଧ୍ୟ ଥିଲା। ଅନ୍ୟତ୍ର ନେଉଥିବା ବିକଳ୍ପ ଜମିର ମୂଲ୍ୟ ଅଧିଗୃହିତ ଜମିର ମୂଲ୍ୟଠାରୁ କମ୍ ହେଲେ, ନିୟମାନୁଯାୟୀ ଅବଶିଷ୍ଟ ପ୍ରାପ୍ୟ ଆର୍ଥିକ ସହାୟତା ଭାବରେ ଦିଆଯିବ ବୋଲି କୁହାଯାଇଥିଲା। ଲିଙ୍ଗରାଜ ମନ୍ଦିର ନିକଟ ତଳ ବଜାରରେ ଦୋକାନ ଗୃହ ହରାଇଥିବା ଜମି ମାଲିକଙ୍କ ପରିବାର ଏବେ ବି ଜମିର ମୂଲ୍ୟ କିମ୍ବା ଗୃହର ମୂଲ୍ୟ ପାଇ ନାହାନ୍ତି। ସେତେବେଳେ ବାଣିଜ୍ୟିକ ପ୍ରତିଷ୍ଠାନ ସ୍ଥିତିବାନ ସ୍ବତ୍ତ୍ୱରେ ନିର୍ମିତ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକୁ ଓଡ଼ିଶା ସରକାରଙ୍କର ଅନୁମୋଦିତ ବ୍ୟବସ୍ଥା ଅନୁଯାୟୀ ସିଧାସଳଖ କ୍ରୟ କରାଯାଇ ଅଧିଗ୍ରହଣ କରାଯିବ ଏବଂ ଆଇନମତେ କ୍ଷତିପୂରଣ ଦିଆଯିବ କୁହାଯାଇଥିଲା। ତୁରନ୍ତ ସହାୟତ ଭାବେ ପ୍ରତି ଦୋକାନ ମାଲିକଙ୍କୁ ପରିବହନ ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୧ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି କୁହାଯାଇଥିଲା। ସେହିଭଳି ଘର ଭଡ଼ା ସହାୟତା ବାବଦକୁ ୨୦୦ ବର୍ଗମିଟର କିମ୍ବା ତା’ଠାରୁ କମ୍ ବିଲ୍ଟ ଅପ୍ ଏରିଆରେ ନିର୍ମିତ ଦୋକାନ ପାଇଁ ଜମି ଅଧିଗ୍ରହଣ ହେବା ଦିନଠାରୁ ଦୋକାନ ଘର ମିଳିବା ପର୍ଯ୍ୟନ୍ତ ମାସିକ ୧୫ ହଜାର ଟଙ୍କା ଘର ଭଡ଼ା ସହାୟତା ଏବଂ ୨୦୦ ବର୍ଗମିଟର ବା ଅଧିକ ବିଲ୍ଟ ଅପ୍ ଏରିଆରେ ନିର୍ମିତ ଦୋକାନ ପାଇଁ ମାସିକ ୨୦ ହଜାର ଟଙ୍କା ଘର ଭଡ଼ା ସହାୟତା ଦିଆଯିବ ବୋଲି କୁହାଯାଇଥିଲା। ଦୋକାନ ହରାଉଥିବା ବ୍ୟକ୍ତିମାନେ ନିର୍ମାଣ ହେବାକୁ ଥିବା ମାର୍କେଟ୍ କମ୍ପ୍ଲେକ୍ସରେ ନୂଆ ଦୋକାନ ଘର ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ସେମାନେ ଏହାକୁ ବଜାର ଦରର ଶତକଡ଼ା ୫୦ ମୂଲ୍ୟରେ କ୍ରୟ କରିପାରିବେ।

ମାତ୍ର ପରିତାପର କଥା ଏକାମ୍ର ବିକାଶ ଯୋଜନାରେ କୌଣସି ମାର୍କେଟ ତିଆରି ହେଲା ନାହିଁ। ସେହିପରି ଦୋକାନ ଘରର ଉପକରଣ ପରିବହନ ପାଇଁ କିମ୍ବା ଭଡ଼ା ପାଇଁ ଟଙ୍କାଟିଏ ପାଇଲେ ନାହିଁ। ତଳ ବଜାର ଜମି ମାଲିକ ଥିବା ବିଜୟ କୁମାର ସାହୁ, ନାରାୟଣ ସାହୁ, ଶକୁନ୍ତଳା ସାହୁଙ୍କର ମୃତ୍ୟୁ ହୋଇଗଲାଣି। ତାଙ୍କ ପରିବାର ଲୋକଙ୍କୁ ଟଙ୍କାଟିଏ ମିଳିଲା ନାହିଁ। ସେହିପରି ବହୁ ବ୍ୟବସାୟୀ ଦୋକାନ ଘର ଭାଙ୍ଗି ସରକାରଙ୍କ ନିକଟରୁ ସହାୟତା ଅପେକ୍ଷାରେ ରହିଛନ୍ତି। ଏକାମ୍ର ବିଧାୟକ ବାବୁ ସିଂଙ୍କ କହିବା ଅନୁଯାୟୀ ଏକାମ୍ର ବିକାଶ ଯୋଜନା ନୂଆ କରି ରୂପାନ୍ତରୀକରଣ କରାଯିବ। ଉପର ଠାଉରିଆ କୌଣସି କାମ ହେବନାହିଁ। ଜମି ଛାଡ଼ିଥିବା ଲୋକଙ୍କୁ କ୍ଷତିପୂରଣ ଦିଆଯିବ। ଜମି ମାଲିକ ବାବ‌ାଜି ସାହୁ, ଗଗନ ମହାରଣା, ଟିକିନା ସାହୁ କୁହନ୍ତି ଯେ ସରକାର ଦୋକାନ ଭାଙ୍ଗି ଜମି ନେଲେ, ଅଥଚ ଟଙ୍କାଟିଏ କ୍ଷତିପୂରଣ ଦେଲେ ନାହିଁ। କିନ୍ତୁ ଏବେ ସରକାର ବଦଳିଥିବାରୁ ସେମାନଙ୍କ ମନରେ ଆଶା ବଢ଼ିଛି। ନୂଆ ସରକାର ସେମାନଙ୍କ ଦୁଃଖ ନିଶ୍ଚୟ ଶୁଣିବେ ବୋଲି ସେମାନେ ଆଶାବାଦୀ ଥିବା କହିଛନ୍ତି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button