ଇତିହାସ ରଚିଲେ ମୋଦୀ: କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ – Kalinga News

[ad_1]
ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରରେ ଆଜି ଏକ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି। ନରେନ୍ଦ୍ର ମୋଦୀ କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଲଗାତାର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଐତିହାସିକ ଶପଥ ସମାରୋହରେ ୭୩ ବର୍ଷୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ପାଠ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ରାଜନାଥ ସିଂହ, ଅମିତ ଶାହ ଓ ନୀତିନ ଗଡକରୀ ଶପଥ ନେଇଥିଲେ। ଏହାପରେ ଜେପି ନଡ୍ଡା, ଶିବରାଜ ସିଂହ ଚୌହାନ, ନିର୍ମଳା ସୀତାରମଣ, ଏସ୍ ଜୟଶଙ୍କର ଓ ମନୋହର ଲାଲ ଖଟ୍ଟର ଶପଥ ଗ୍ରହଣ କରିଥିଲେ। ଖଟ୍ଟରଙ୍କ ପରେ ଏନ୍ଡିଏ ସହଯୋଗୀ ଦଳର ପ୍ରଥମ ନେତା ଭାବେ ଏଚ୍ଡି କୁମାରସ୍ବାମୀ ଶପଥ ଗ୍ରହଣ କରିଥିଲେ। ଏହାପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଘନିଷ୍ଠ ସହଯୋଗୀ ଜନତା ଦଳ (ୟୁନାଇଟେଡ୍) ନେତା ଲଲନ ସିଂହ ମଧ୍ୟ ଶପଥ ଗ୍ରହଣ କରିଥିଲେ। ଏହାପରେ ପୀୟୂଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ, ଜିତନ ରାମ ମାଝୀ, ରାଜୀବ ରଂଜନ ସିଂହ, ସର୍ବାନନ୍ଦ ସୋନୋୱାଲ, ବୀରେନ୍ଦ୍ର କୁମାର, ରାମ ମୋହନ ନାଇଡୁ, ପ୍ରହ୍ଲାଦ ଯୋଶୀ, ଜୁଏଲ ଓରାମ ଏବଂ ଅଶ୍ବିନୀ ବୈଷ୍ଣବ ପ୍ରମୁଖ ଶପଥ ନେଇଥିଲେ।
କ୍ରମାଗତ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ
ନେହରୁଙ୍କ ପରେ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଭାବେ ରେକର୍ଡ
୭୧ ମନ୍ତ୍ରୀ ବି ଶପଥ ନେଲେ; ୩୦ କ୍ୟାବିନେଟ, ୪୧ ରାଷ୍ଟ୍ରମନ୍ତ୍ରୀ
ବିଜେପିରୁ ୬୦, ସହଯୋଗୀଙ୍କ ଭାଗରେ ୧୧
ଉତ୍ସବରେ ଯୋଗଦେଲେ ବିଦେଶୀ ଅତିଥି
ଶପଥ ସମାରୋହରେ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଏବଂ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଭାରତର ପଡ଼ୋଶୀ ଏବଂ ଭାରତ ମହାସାଗର ଅଞ୍ଚଳର ରାଷ୍ଟ୍ରନେତାମାନେ ଯୋଗ ଦେଇଥିଲେ। ଏଥର ନିର୍ବାଚନରେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବାରେ ସମର୍ଥ ହୋଇନଥିବାରୁ ଏନ୍ଡିଏର ସମସ୍ତ ସହଯୋଗୀମାନଙ୍କୁ ନେଇ ସରକାର ଗଠନ ହୋଇଛି। ମନ୍ତ୍ରିମଣ୍ଡଳରେ ଓଡ଼ିଶା ସମେତ ୨୪ଟି ରାଜ୍ୟକୁ ପ୍ରତିନିଧିତ୍ବ ମିଳିଥିବା ବେଳେ ବିଜେପିରୁ ୬୦ ଏବଂ ସହଯୋଗୀ ଦଳଙ୍କର ୧୧ ଜଣ ସାଂସଦ ସ୍ଥାନ ପାଇଛନ୍ତି। ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ରୁ ୨୭ ଜଣ, ଅନୁସୂଚିତ ଜାତି (ଏସ୍ସି)ରୁ ୧୦ ଜଣ, ଅନୁସୂଚିତ ଜନଜାତି (ଏସ୍ଟି)ରୁ ୫ଜଣ ଏବଂ ସଂଖ୍ୟାଲଘୁ ସଂପ୍ରଦାୟରୁ ୫ ଜଣଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି। ୧୮ ଜଣ ବରିଷ୍ଠ ମନ୍ତ୍ରୀ ପ୍ରମୁଖ ମନ୍ତ୍ରଣାଳୟର ନେତୃତ୍ୱ ନେବେ।
ମନ୍ତ୍ରିମଣ୍ଡଳରେ ସବୁଠାରୁ ବୟସ୍କ ମନ୍ତ୍ରୀ ହେଉଛନ୍ତି ଜିତନରାମ ମାଝୀ (୭୬ ବର୍ଷ) ଏବଂ ସବୁଠାରୁ କନିଷ୍ଠ ମନ୍ତ୍ରୀ ହେଉଛନ୍ତି ରାମ ମୋହନ ନାଇଡ଼ୁ (୩୬ ବର୍ଷ)। ଆଉ ଏକ ଉଲ୍ଲେଖନୀୟ ଘଟଣା ହେଲା ଯେ ମୋଦୀ ମନ୍ତ୍ରିମଣ୍ଡଳରେ ୬ ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଥାନ ପାଇଛନ୍ତି। ସେମାନେ ହେଲେ ରାଜନାଥ ସିଂହ, ଶିବରାଜ ସିଂହ ଚୌହ୍ବାନ, ମନୋହର ଲାଲ ଖଟ୍ଟର, କୁମାରସ୍ବାମୀ, ଜିତନରାମ ମାଝୀ ଏବଂ ସର୍ବାନନ୍ଦ ସୋନୁୱାଲ।
ସୂଚନାଯୋଗ୍ୟ ଯେ ମୋଦୀ ପ୍ରଥମ ଥର ଲାଗି ଏମିତି ଏକ ସରକାରର ନେତୃତ୍ବ ନେଉଛନ୍ତି, ଯେଉଁଥିରେ ତାଙ୍କ ଦଳ ବିଜେପିକୁ ଏକାକୀ ଆବଶ୍ୟକ ସଂଖ୍ୟାଗରିଷ୍ଠତା ମିଳିନାହିଁ। ତେବେ ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ୨୯୩ ଟି ଆସନ ହାସଲ କରିଥିଲା । ବିଜେପି ୨୪୦ଟି ଆସନ ହାସଲ କରିଥିଲା, ଯାହା ସଂଖ୍ୟାଗରିଷ୍ଠତା ସଂଖ୍ୟା ୨୭୨ ଠାରୁ କମ୍ ଥିଲା । ବିଜେପିର ଏକ ଦଶନ୍ଧି ଧରି ଚାଲିଥିବା ଆଧିପତ୍ୟରେ ଏବେ ପରିବର୍ତ୍ତନ ହୋଇଛି ଏବଂ ଏକ ପୂର୍ଣ୍ଣାଙ୍ଗ ମେଣ୍ଟ ସରକାର କ୍ଷମତାକୁ ଆସିଛି । ଶପଥ ସମାରୋହର କିଛି ଘଣ୍ଟା ପୂର୍ବରୁ ମୋଦୀ ଆଜି ଏନଡିଏ ନେତାମାନଙ୍କୁ ଭେଟିଥିଲେ ଏବଂ ସରକାରଙ୍କ ଆଗାମୀ ୧୦୦ ଦିନର ରଣନୀତି ସଂପର୍କରେ ଆଲୋଚନା କରିଥିଲେ। ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ ସାମିଲ ହୋଇଥିଲେ ଏବଂ ଏହା ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି କହିଥିଲେ। ତେବେ ତୃଣମୂଳ କଂଗ୍ରେସ ଓ ବାମପନ୍ଥୀଙ୍କ ସମେତ ଅନେକ ବିରୋଧୀ ଦଳ ନେତା ନିମନ୍ତ୍ରଣ ପାଇବା ସତ୍ତ୍ୱେ ଅଂଶଗ୍ରହଣ କରିନାହାନ୍ତି।
[ad_2]