ମନୋରଞ୍ଜନ

ହାସ୍ୟରସରେ ଓତପ୍ରୋତ ଭୌତିକ ଗାଥା – Kalinga News

[ad_1]

ଭାରତର ପ୍ରାୟ ପ୍ରତିଟି ଗାଁରେ ଭୂତ, ପ୍ରେତ, ଅସୁର ଓ ରାକ୍ଷସଙ୍କୁ ନେଇ ନାନା କିଂବଦନ୍ତି ଓ କାହାଣୀ ରହିଛି। ଏଭଳି ଏକ କିଂବଦନ୍ତିକୁ ନେଇ ‘ତୁମ୍ବାଡ଼’ ନାମକ ଚମତ୍କାର ଚଳଚ୍ଚିତ୍ର ନିର୍ମାଣ କରିଥିଲେ ମରାଠୀ ନିର୍ଦେଶକ ରାହୀ ଅନିଲ ବର୍ବେ। ଏବେ ଆଉ ଜଣେ ମରାଠୀ ନିର୍ଦେଶକ ସ୍ଥାନୀୟ କିଂବଦନ୍ତିକୁ ଭିତ୍ତି କରି ଏକ ଭିନ୍ନ ସ୍ବାଦର ଭୌତିକ ସିନେମା ପରଷି ଦେଇଛନ୍ତି। ଦର୍ଶକ ମନରେ ଭୟ ସୃଷ୍ଟି କରିବାରେ ଏହା ବିଶେଷ ସଫଳ ହୋଇନଥିଲେ ହେଁ ହାସ୍ୟରସ, ଅରଖ ନୂଆ କାହାଣୀ ତଥା କାହାଣୀରେ ନିହିତ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା ଯୋଗୁଁ ଏହି ଚଳଚ୍ଚିତ୍ରର ଆବେଦନ ବେଶ୍‌ ଶକ୍ତିଶାଳୀ।

ବ୍ରାହ୍ମଣ ବାଳକଙ୍କ ବ୍ରତୋପନୟନକୁ ମରାଠୀ ଭାଷାରେ ‘ମୁଂଜା’ କୁହାଯାଏ। ଏକ ମରାଠୀ କିଂବଦନ୍ତି ଅନୁସାରେ ଜଣେ ବାଳକ ଯଦି ବ୍ରତୋପନୟନର ଦଶ ଦିନ ମଧ୍ୟରେ ମୃତ୍ୟୁବରଣ କରେ ତେବେ ସେ ‘ମୁଂଜା’ ନାମକ ଭୂତ ପାଲଟିଯାଏ। ସେହି ଭୂତ ଗୋଟିଏ ଅଶ୍ବତ୍‌ଥ ଗଛରେ ରହେ ଏବଂ ଯଦି କେହି ରାତିରେ ସେହି ଗଛ ନିକଟରେ ଉପଦ୍ରବ କରେ ତେବେ ‘ମୁଂଜା’ ତାକୁ ଡରାଏ। ମୁଂଜା ଅଳ୍ପ ବୟସର ହୋଇଥିବାରୁ ତା’ ପ୍ରବୃତ୍ତି କେତେବେଳେ ଦାନବ ପରି ତ ଆଉ କେତେବେଳେ କୌତୁକିଆ ବାଳକ ପରି। ବିବାହ କରିବାର ଅପୂର୍ଣ୍ଣ ଇଚ୍ଛା ପୂରଣ କରିବା ଲାଗି ସେ ଲୋକଙ୍କୁ ବଶୀଭୂତ କରେ। ନିର୍ଦେଶକ ଆଦିତ୍ୟ ଗ୍ରାମାଞ୍ଚଳର ଏହି ଭୂତକୁ ସହରୀ ପରିବେଶକୁ ଆଣି ଏହି କିଂବଦନ୍ତିକୁ ଆଧୁନିକ ଛାଞ୍ଚରେ ଢାଳିପାରିଛନ୍ତି। ସିନେମା ଆରମ୍ଭ ହୁଏ ୧୯୫୨ ମସିହାରୁ। ମହାରାଷ୍ଟ୍ରର ଚେତୁକଵାଡ଼ିରେ ପ୍ରାୟ ୧୦ ବର୍ଷୀୟ ବାଳକ ‘ଗୋଟୟା’ ତା’ ଠାରୁ ୭ ବର୍ଷ ବଡ଼ ଝିଅ ‘ମୁନ୍ନୀ’ ପ୍ରେମରେ ପଡ଼ିଯାଏ। ସେ ତନ୍ତ୍ରବିଦ୍ୟା ପ୍ରୟୋଗ କରି ମୁନ୍ନୀକୁ ବିବାହ ପାଇଁ ରାଜି କରାଇବା ଲାଗି ଉଦ୍ୟମ କରେ। ଏଥିପାଇଁ ସେ ନିଜ ସାନ ଭଉଣୀକୁ ବଳି ପକାଇବାକୁ ପଛାଏ ନାହିଁ। ତେବେ ତା’ ସାନ ଭଉଣୀକୁ ମାରିବାକୁ ଉଦ୍ୟତ ହେବା ବେଳେ ସେ ନିଜେ ଏକ ଗଛରେ ପିଟିହୋଇ ମୃତ୍ୟୁବରଣ କରେ। ଗୋଟୟା ଏହି ପ୍ରକ୍ରିୟାରେ ‘ମୁଂଜା’ ଭୂତ ପାଲଟିଯାଏ।

ପରବର୍ତ୍ତୀ ଭାଗ ଆରମ୍ଭ ହୁଏ ବର୍ତ୍ତମାନର ପୁନେ ସହରରେ ରହୁଥିବା ଏକ ତରୁଣର ଜୀବନରୁ, ଯାହାର ନାମ ବିଟ୍ଟୁ (ଅଭୟ ବର୍ମା)। ମାଆ ପମ୍ମି (ମୋନା ସିଂହ) ଓ ଜେଜେମାଆଙ୍କୁ ନେଇ ତା’ର ପରିବାର। ‘ବେଲା’ (ଶର୍ବରୀ ବାଘ) ନାମ୍ନୀ ଯୁବତୀକୁ ସେ ପ୍ରେମ କରୁଥିଲେ ହେଁ ଲାଜୁଆ ସ୍ବଭାବ ଯୋଗୁଁ ସେ ତାହା ପ୍ରକାଶ କରିବାରେ ଅସମର୍ଥ। ତେବେ ଏକ ବିବାହ ଉତ୍ସବରେ ଯୋଗ ଦେବା ଲାଗି ନିଜ ପୈତୃକ ଗ୍ରାମ ଯିବା ପରେ ବିଟ୍ଟୁ ଆବିଷ୍କାର କରୁଛି ତା’ ପିତାଙ୍କ ମୃତ୍ୟୁ ପଛର ଭୌତିକ କାହାଣୀ। ଚେତୁକଵାଡ଼ିର ପରିତ୍ୟକ୍ତ ଜଙ୍ଗଲର ଏକ ଅଶ୍ବତ୍‌ଥ ଗଛରେ ବନ୍ଦୀ ହୋଇ ଥିବା ‘ମୁଂଜା’ ହାତରେ ତା’ ପିତାଙ୍କ ଜୀବନ ଯାଇଥିଲା। ଆଉ ମୁଂଜା ହେଉଛି ତା’ ଜେଜେମାଆଙ୍କ ଭାଇ! ଏହାର ସତ୍ୟତା ଜାଣିବା ପାଇଁ ସେ ସେହି ବୃକ୍ଷ ପାଖରେ ପହଞ୍ଚୁଛି ଯେଉଁଠି ମୁକ୍ତ ହେବା ଲାଗି ‘ମୁଂଜା’ ଅପେକ୍ଷାରତ। ବିଟ୍ଟୁ ପିତାଙ୍କ ଦଶା ଭୋଗିବା ପୂର୍ବରୁ ତା’ ଜେଜେମାଆ ତାକୁ ମୁଂଜା ପଞ୍ଝାରୁ ଛଡ଼ାଇ ଆଣୁଛନ୍ତି, ହେଲେ ପ୍ରକାରାନ୍ତରେ ଜେଜେମାଆଙ୍କର ମୃତ୍ୟୁ ଘଟୁଛି। ‘ମୁଂଜା’ ଗଛରୁ ମୁକ୍ତ ହୋଇ ବିଟ୍ଟୁ ଜରିଆରେ ମୁନ୍ନୀକୁ ବିବାହ କରିବାର ଇଚ୍ଛା ପୂରଣ କରିବାକୁ ଚାହୁଁଛି। ବିଟ୍ଟୁ କିଭଳି ମୁଂଜା ପାଖରୁ ନିଜ ପ୍ରେମିକା ଓ ପରିବାରକୁ ରକ୍ଷା କରୁଛି ତାହାର ରୋମାଞ୍ଚକର ଅବତାରଣା ହୋଇଛି ସିେନମାର ଦ୍ବିତୀୟାର୍ଦ୍ଧରେ।

ହିନ୍ଦୀ ସିନେମା ଇତିହାସରେ ପ୍ରଥମ ଥର ଗୋଟିଏ ଚରିତ୍ରକୁ ସଂପୂର୍ଣ୍ଣ ରୂପେ ‘ସିଜିଆଇ’ କୌଶଳରେ ପ୍ରସ୍ତୁତ କରାଯାଇଛି, ଯାହା ହେଉଛି ‘ମୁଂଜା’। ତେବେ ଭୂତ ‘ମୁଂଜା’ର ରୂପ ଓ ସ୍ବର ‘ଲର୍ଡ ଅଫ୍‌ ଦି ରିଙ୍ଗସ୍‌’ ସିନେମାର ‘ଗୋଲୁମ୍’ ଚରିତ୍ର ପରି ହୋଇଥିବାରୁ ଏହା ଏକ ବିଶୁଦ୍ଧ ଦେଶୀ କାହାଣୀର ମୌଳିକତାକୁ ସାମାନ୍ୟ କ୍ଷୁଣ୍ଣ କରିଛି। ସେହିପରି ସିନେମାର ମୁଖ୍ୟ ଚରିତ୍ର ବିଟ୍ଟୁ (ଅଭୟ ବର୍ମା) ଦେଖିବାକୁ ହ୍ୟାରି ପୋର୍ଟର୍ ଭଳି। ତେବେ, ସିନେମାର ସବୁ ଚରିତ୍ରକୁ ସମସ୍ତ ଅଭିନେତା ପ୍ରଶଂସନୀୟ ଢଙ୍ଗରେ ନିର୍ବାହ କରିଛନ୍ତି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କଙ୍କୋଣ ଅଞ୍ଚଳରେ ଏହାର ଅଧିକାଂଶ ଭାଗ ସୁଟିଂ ହୋଇଥିବାରୁ ଏହାର ଦୃଶ୍ୟମାନ ଖୁବ୍ ମନୋମୁଗ୍‌ଧକର ମନେ ହୁଏ। ସେହିପରି ଏହି ସିନେମାର ସିଜିଆଇ ଇଫେକ୍ଟ, ପ୍ରଚ୍ଛଦ ସଂଗୀତ ବେଶ୍‌ ଉଲ୍ଲେଖନୀୟ। ଧର୍ମ ନାମରେ ବ୍ୟବସାୟ କରୁଥିବା ଛଦ୍ମ ପାଦ୍ରୀମାନଙ୍କୁ ଏଥିରେ ଚତୁର ଢଙ୍ଗରେ ତାଚ୍ଛଲ୍ୟ କରାଯାଇଛି। ଏହି ସିନେମାରେ ନିହିତ ଗୂଢ଼ ବାର୍ତ୍ତାଟି ଶେଷ ଆଡ଼କୁ ଅଭିନୀତ ହୋଇଛି। ବିଟ୍ଟୁ ଯେତେବେଳେ ସାହସ କରି ବେଲାକୁ ପ୍ରେମ ନିବେଦନ କରୁଛି, ବେଲା ଚରିତ୍ର ଉତ୍ତର ଦେଉଛି ଯେ ସେ ତାକୁ ବହୁତ ପସନ୍ଦ କରେ କିନ୍ତୁ ସେ ପ୍ରଥମେ ବିଦେଶ ଯାଇ ନିଜ ସ୍ବପ୍ନ ପୂରଣ କରିବାକୁ ଚାହେଁ। ବିଟ୍ଟୁ ନିରାଶ ନ ହୋଇ କହୁଛି- ମୁଁ ତୁମ ମୁଣ୍ଡ ଉପରେ ବସିଥିବା ମୁଂଜା ହେବାକୁ ଚାହେଁ ନାହିଁ। ତୁମେ ଯାଅ, ଯେବେ ଫେରିବ ଆମ ବନ୍ଧୁତା ସେମିତି ଅତୁଟ ରହିଥିବ। ‘ମୁଂଜା’ ନାମକ ଭୂତ ନିଜ ପସନ୍ଦର ଝିଅର ଇଚ୍ଛା ସମ୍ପର୍କରେ ବିଚାର ନ କରି ତାକୁ ଯେକୌଣସି ଉପାୟରେ ବିବାହ କରିବାକୁ ଚେଷ୍ଟା କରୁଥିବା ବେଳେ ସବୁ ପିଲା ବିଟ୍ଟୁକୁ ଅନୁସରଣ କରି ଝିଅମାନଙ୍କ ଇଚ୍ଛାକୁ ସମ୍ମାନ ଦିଅନ୍ତୁ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button