ବିଜେଡିରେ ମାନସମନ୍ଥନ: ନବୀନ ନିବାସରେ ପରାଜିତ ନେତାଙ୍କ ବୈଠକ – Kalinga News
[ad_1]
ପାଣ୍ଡିଆନଙ୍କୁ ନେଇ ଚର୍ଚ୍ଚା ବଢ଼ୁଛି , ଦିଲ୍ଲୀ ଗସ୍ତ ନେଇ ସ୍ପଷ୍ଟୀକରଣ ରଖିଲା ବିଜେଡି
ଭୁବନେଶ୍ବର: ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟ ପରେ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ପରାଜୟ ପାଇଁ ଦ୍ବିତୀୟ କ୍ଷମତା କେନ୍ଦ୍ର ଭି କେ ପାଣ୍ଡିଆନଙ୍କୁ ଦଳୀୟ ନେତାମାନେ ଦାୟୀ କରୁଛନ୍ତି। ଯଦିଓ କୌଣସି ବଡ଼ ନେତା ତାଙ୍କ ବିରୋଧରେ ମୁହଁ ଖୋଲିନାହାନ୍ତି, ତେବେ ପୂରା ଦଳରେ ଏହାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ପାଣ୍ଡିଆନଙ୍କ ପ୍ରଭାବକୁ ବରଦାସ୍ତ କରିବା ମୁଡ୍ରେ କେହି ନାହାନ୍ତି। ଅପରପକ୍ଷରେ ଦଳରେ ଅଧିକ ବିଭ୍ରାଟ ଆଶଙ୍କାରେ ଉଭୟ ବିଜୟୀ ଓ ପରାଜିତ ନେତାଙ୍କୁ ଏକାଠି ରଖିବାକୁ କସ୍ରତ ଚାଲିଛି। ଗତକାଲି ବିଜୟୀ ପ୍ରାର୍ଥୀଙ୍କ ବୈଠକ ପରେ ଆଜି ପରାଜିତ ନେତାମାନଙ୍କ ବୈଠକ ଡକାଯାଇଥିଲା। ଆଜିର ବୈଠକରେ ବହୁ ପରାଜିତ ସାଂସଦ ଓ ବିଧାୟକ ପ୍ରାର୍ଥୀ ଯୋଗ ଦେଇଥିଲେ। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କୁ ଆଶ୍ବାସନା ଦେଇଥିଲେ। ଲୋକଙ୍କ ସେବା ଜାରି ରଖିବା ସହ ଦଳୀୟ ସଂଗଠନକୁ ସଶକ୍ତ କରିବା ଲାଗି କାମ କରିବାକୁ ପରାମର୍ଶ ଦେଇଥିଲେ। ଆଜିର ବୈଠକରେ ମଧ୍ୟ ପାଣ୍ଡିଆନ ଉପସ୍ଥିତ ନଥିଲେ। ବୈଠକ ପରେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଛନ୍ତି ଯେ ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ଲଢ଼ୁଥିଲା। ତେଣୁ ନିର୍ଦ୍ଦିଷ୍ଟ ଭାବେ କୌଣସି ବ୍ୟକ୍ତିବିଶେଷଙ୍କୁ ଦାୟୀ କରାଯାଇପାରିବ ନାହିଁ। ପାଣ୍ଡିଆନଙ୍କ ଅନୁପସ୍ଥିତି ସମ୍ପର୍କରେ ସେ କହିଲେ ଯେ ବୈଠକରେ କିଏ ରହିବ ବା କିଏ ନରହିବ, ତାହା ସଭାପତିଙ୍କ ଇଚ୍ଛାଧୀନ। ଦଳର ପରାଜୟର କାରଣ ଖୋଜିବା ପାଇଁ ଏକ କମିଟି ଗଠନ କରାଯିବ। ଏନେଇ ଗତକାଲି ସଭାପତି ସ୍ପଷ୍ଟ କରିସାରିଛନ୍ତି। ଦଳର ପରାଜୟ ପାଇଁ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କି ନାହିଁ, ତାହା ଦଳର ଆଭ୍ୟନ୍ତରୀଣ ବ୍ୟାପାର। ଏନେଇ ବାହାରେ କୁହାଯାଇପାରିବ ନାହିଁ। ଜନମତକୁ ଦଳ ସମ୍ମାନ ଦେଉଛି ବୋଲି ସେ କହିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ପାଣ୍ଡିଆନଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଟିକେଟ୍ ବଣ୍ଟନ ଠାରୁ ନିର୍ବାଚନ ପ୍ରଚାର ଯାଏ, ସବୁଥିରେ ନିଜର ହାକିମାତି ଦେଖାଇଥିବା ପାଣ୍ଡିଆନ ଦୁଇ ଦିନ ହେଲା ଗଣମାଧ୍ୟମ କିମ୍ବା ଦଳୀୟ ନେତାଙ୍କୁ ସାମ୍ନା କରିନାହାନ୍ତି। ଆଉ ମୁଖ୍ୟମନ୍ତ୍ରୀଙ୍କ ସହ ଛାଇ ପରି ରହୁନାହାନ୍ତି। ଦଳର ପରାଜୟ ପାଇଁ ତାଙ୍କୁ ସମସ୍ତେ ଦାୟୀ କରିଚାଲିଛନ୍ତି। ଏପରିକି ସାମାଜିକ ଗଣମାଧ୍ୟମରେ ବିଜେଡିର କିଛି ଯୁବ ନେତା ଖୋଲାଖୋଲି ଭାବେ ପାଣ୍ଡିଆନ ଓ ତାଙ୍କ ଖାସ୍ ଲୋକଙ୍କୁ ଗାଳି ଦେଉଥିବା ଦେଖିବାକୁ ମିଳୁଛି। ପାଣ୍ଡିଆନ ଗତକାଲି ନୂଆଦିଲ୍ଲୀ ଯାଇଥିବାର ଖବର ଆଜି ଦିନତମାମ ବିଭିନ୍ନ ଗଣମାଧ୍ୟମରେ ବାଜିଥିଲା। ସେ ଜନତା ଓ ଗଣମାଧ୍ୟମକୁ ସାମ୍ନା କରି ନପାରି ଦିଲ୍ଲୀ ଚାଲିଯାଇଥିବା କୁହାଗଲା। ଏହାପରେ ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏହି ପ୍ରସଙ୍ଗରେ ଏକ ସ୍ପଷ୍ଟୀକରଣ ଦିଆଗଲା। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଥିଲେ ଯେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୌଣସି କାର୍ଯ୍ୟବଶତଃ ବିଜେଡି ନେତା ଭି କେ ପାଣ୍ଡିଆନ ଦିଲ୍ଲୀ ଗସ୍ତରେ ଅଛନ୍ତି। କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ତାଙ୍କ ଦିଲ୍ଲୀ ଗସ୍ତକୁ ନେଇ ଅତ୍ୟନ୍ତ ଅରୁଚିକର, ତଥ୍ୟ ବିହୀନ, ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି। ଏପରି ଖବର ପ୍ରସାରଣରୁ କ୍ଷାନ୍ତ ରହିବାକୁ ଆମେ ଅନୁରୋଧ କରୁଛୁ। କୌଣସି ଦଳର ନେତା କୌଣସି ସ୍ଥାନକୁ ଗସ୍ତ କଲେ ଗଣମାଧ୍ୟମକୁ ସୂଚନା ଦେଇ ଯିବାର କୌଣସି ପ୍ରାବଧାନ ବା ନିୟମ ନାହିଁ। ତେଣୁ ଗଣମାଧ୍ୟମ ଏପରି ଖବର ପ୍ରସାରଣରୁ ବିରତ ରୁହନ୍ତୁ। ବିଜେଡିର ବରିଷ୍ଠ ନେତା ଶଶୀଭୂଷଣ ବେହେରା ଆଜି ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ପରିଚାଳନାରେ ବରିଷ୍ଠମାନଙ୍କୁ ଦୂରେଇ ରଖାଗଲା। ଏହା ସାଧାରଣରେ ଗ୍ରହଣଯୋଗ୍ୟ ହେଲାନି। ବିଜେଡି ପରାଜୟର ଏହା ଏକ ବଡ଼ କାରଣ।
[ad_2]