ବିଶ୍ବକପ୍ ପରିସଂଖ୍ୟାନ: ବାବରଙ୍କ ଉପରେ କୋହଲି – Kalinga News
[ad_1]
ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ରେ ବିଶ୍ବକପ୍ ଆସିଲେ ଭାରତ-ପାକିସ୍ତାନ କ୍ରିକେଟ୍ ସଂପର୍କ ବିଷୟରେ ଯେତିକି ଆଲୋଚନା ହେଉଛି, ବର୍ତ୍ତମାନ ବିରାଟ କୋହଲି ଓ ବାବର ଆଜମ୍ଙ୍କ ବିଷୟରେ ମଧ୍ୟ ସେତିକି ଚର୍ଚ୍ଚା ଚାଲିଛି। ଆନ୍ତର୍ଜାତିକ କ୍ରିକେଟ୍ରେ ବାବରଙ୍କ ନିୟମିତ ସ୍ଥିର ପ୍ରଦର୍ଶନ ଏହି ଚର୍ଚ୍ଚାକୁ ଅଧିକ ବଳିଷ୍ଠ କରିଛି। ଏହି ଦୁଇ ଦଳ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଆସନ୍ତା ରବିବାର ମୁହାଁମୁହିଁ ହେବାକୁ ଯାଉଛନ୍ତି। ନ୍ୟୁୟର୍କର ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ। ସାରା ବିଶ୍ବର ପ୍ରଶଂସକମାନେ ମଧ୍ୟ ଏହି ଦିନକୁ ଚାତକ ଭଳି ଚାହିଁ ରହିଛନ୍ତି। ବିଶେଷକରି କୋହଲି ଓ ବାବରଙ୍କ ମଧ୍ୟରେ ହେବାକୁ ଯାଉଥିବା ରନ୍ ମୁକାବିଲାରେ କିଏ ଆଗରେ ରହିବ, ତାହାକୁ ନେଇ ଅଧିକ ଉତ୍ସୁକତା ଦେଖାଦେଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଉନ୍ନତ ହାରାହାରି ରନ୍
ଯେତେବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ କୋହଲି ଓ ବାବରଙ୍କ ବ୍ୟାଟିଂ ହାରାହାରି ଉପରେ ଆଲୋଚନା କରାଯାଏ, ସେତେବେଳେ ଭାରତୀୟ ତାରକା ଜଣକ ସବୁବେଳେ ଆଗରେ ରହି ଆସିଛନ୍ତି। କୋହଲି ୨୦୧୨ ସଂସ୍କରଣରେ ବିଶ୍ବକପ୍ ପଦାର୍ପଣ କରିଥିଲେ। ସେବେଠାରୁ ସେ ୨୫ ମ୍ୟାଚ୍ ଖେଳିସାରିଥିଲା ବେଳେ ୧୧୪୧ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ତାଙ୍କର ହାରାହାରି ରନ୍ ହେଉଛି ୮୧.୫୦। ଅନ୍ୟପକ୍ଷରେ ବାବର ୨୦୨୧ରେ ପଦାର୍ପଣ କରିଥିଲା ବେଳେ ମାତ୍ର ୧୩ ମ୍ୟାଚ୍ ଖେଳିଛନ୍ତି। ଏହି ମ୍ୟାଚ୍ଗୁଡ଼ିକରୁ ୩୫.୫୮ ହାରରେ ୪୨୭ ରନ୍ ସଂଗ୍ରହ କରିଛନ୍ତି।
ସର୍ବୋଚ୍ଚ ଷ୍ଟ୍ରାଇକ୍ ରେଟ୍
ଫଟାଫଟ୍ ଫର୍ମାଟ୍ର ଖେଳ ଆସିବା ଦିନଠୁ ଷ୍ଟ୍ରାଇକ୍ ରେଟ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରୁଛି। ଏବେ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ମଧ୍ୟ କେଉଁ ବ୍ୟାଟର୍ କେତେ କମ୍ ବଲ୍ରୁ ଅଧିକ ରନ୍ ସଂଗ୍ରହ କରିପାରୁଛି ତାହା ଉପରେ ପ୍ରଶଂସକ ନଜର ରଖିଛନ୍ତି। କୋହଲି ଏହି ଇଭେଣ୍ଟରେ ୧୩୧.୩୦ ଷ୍ଟାଇକ୍ ରେଟ୍ ରଖିଥିବା ବେଳେ ଠିକଣା ସମୟରେ ଦ୍ରୁତ ରନ୍ ସଂଗ୍ରହ କରିପାରିବା ଦକ୍ଷତା ରଖୁଥିବା ପ୍ରମାଣିତ କରିଛନ୍ତି। କିନ୍ତୁ ବାବର ଏହି କ୍ଷେତ୍ରରେ କୋହଲିଙ୍କଠୁ ବହୁତ ତଳକୁ ଅଛନ୍ତି। ତାଙ୍କର ଷ୍ଟ୍ରାଇକ୍ରେଟ୍ ରହିଛି ୧୧୪.୪୭। ତେଣୁ ଚଳିତ ବିଶ୍ବକପ୍ରେ ବାବର ଅଧିକ ଆକ୍ରମଣାତ୍ମକ ଖେଳନ୍ତୁ ବୋଲି ପାକିସ୍ତାନୀ ପ୍ରଶଂସକ ଆଶା ରଖିବେ।
ବିଶ୍ବକପ୍ ଅର୍ଦ୍ଧଶତକ
ପ୍ରତ୍ୟେକ ମଞ୍ଚରେ ସ୍ଥିର ପ୍ରଦର୍ଶନ ସଫଳତାର ମୂଳ ମନ୍ତ୍ର। କୋହଲି ହେଉଛନ୍ତି ଏହାର ବଡ଼ ଉଦାହରଣ। ୨୫ ମ୍ୟାଚ୍ରୁ ୧୪ ଅର୍ଦ୍ଧଶତକ ଅର୍ଜନ କରିଥିଲା ବେଳେ ହାରାହାରି ୧.୭୯ ମ୍ୟାଚ୍ରେ ଗୋଟିଏ ଅର୍ଦ୍ଧଶତକ ସେ ମାରିପାରିଛନ୍ତି। କିନ୍ତୁ ବାବର ୧୩ ମ୍ୟାଚ୍ରୁ ମାତ୍ର ୫ ଅର୍ଦ୍ଧଶତକ ମାରିପାରିଛନ୍ତି। ଫଳରେ ତାଙ୍କର ହାରାହାରି ମ୍ୟାଚ୍ ପିଛା ଅର୍ଦ୍ଧଶତକ ହେଉଛି ୨.୬। ଯେହେତୁ ବାବରଙ୍କଠୁ କୋହଲି ୯ ବର୍ଷ ପୂର୍ବରୁ ପଦାର୍ପଣ କରିଛନ୍ତି, ତେଣୁ ତାଙ୍କର ରନ୍ ସଂଖ୍ୟା ଅଧିକ ରହିବା ସ୍ବଭାବିକ। କିନ୍ତୁ ଷ୍ଟ୍ରାଇକ୍ରେଟ୍ ଓ ହାରାହାରି ରନ୍ରେ କୋହଲିଙ୍କ ଆଖପାଖରେ ବି ବାବର ପହଞ୍ଚିପାରି ନାହାନ୍ତି। ଆନ୍ତର୍ଜାତିକ କ୍ରିକେଟ୍ରେ ଯେତେ ଭଲ ଖେଳିଲେ ମଧ୍ୟ ବିଶ୍ବକପ୍ରେ ବାବରଙ୍କ ଅର୍ଦ୍ଧଶତକ ହାରାହାରି ମଧ୍ୟ ବହୁତ ତଳେ ରହୁଛି। ସମସ୍ତ ପରିସଂଖ୍ୟାନକୁ ନଜରରେ ରଖିଲେ କୋହଲି ସବୁବେଳେ ବାବରଙ୍କ ଉପରେ ରହୁଛନ୍ତି।
[ad_2]