ବାରାଣସୀରେ ପ୍ରାର୍ଥିପତ୍ର ଦାଖଲ କଲେ ମୋଦୀ – Kalinga News
[ad_1]
ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରପ୍ରଦେଶର ବାରାଣସୀ ଲୋକସଭା ଆସନରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବାରାଣସୀ ଆସନରେ ମୋଦୀ ଲଗାତାର ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଏହି ଆସନରେ ଚୂଡ଼ାନ୍ତ ପର୍ଯ୍ୟାୟରେ ଜୁନ୍ ୧ ତାରିଖରେ ଭୋଟ୍ ଗ୍ରହଣ ହେବ। ଆଜି ପ୍ରାର୍ଥିପତ୍ର ଦାଖଲ କରିବା ସମୟରେ ମୋଦୀଙ୍କ ସହ ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଥିଲେ। ପଣ୍ଡିତ ଗଣେଶ୍ବର ଶାସ୍ତ୍ରୀ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଶୁଭ ‘ମୁହୂର୍ତ୍ତ’ ଠିକ୍ କରିଥିଲେ। ନାମାଙ୍କନ ଦାଖଲ କରି ମୋଦୀ ଜିଲ୍ଲାପାଳଙ୍କ ଅଫିସ ଛାଡ଼ିବା ସମୟରେ ଆଜି ତାଙ୍କ ସହ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ଏନଡିଏର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ। ନାମାଙ୍କନ ଅବସରରେ ଏନ୍ଡିଏ ନେତାଙ୍କ ଏଭଳି ସମାବେଶ ୫ମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏକ ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଜାତୀୟ ସଭାପତି ଜେପି ନଡ୍ଡା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଏଲଜେପି-ରାମ ବିଳାସ ମୁଖ୍ୟ ଚିରାଗ ପାଶ୍ବାନ, ଜନ ସେନା ପାର୍ଟି ମୁଖ୍ୟ ପୱନ କଲ୍ୟାଣ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ମୁଖ୍ୟ ଉପେନ୍ଦ୍ର କୁଶୱାହା ପ୍ରମୁଖ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥିପତ୍ର ଦାଖଲ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବା ପୂର୍ବରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଗଙ୍ଗା ନଦୀ କୂଳରେ ଦଶାଶ୍ବମେଧ ଘାଟରେ ପୂଜାର୍ଚ୍ଚନା କରିଥିଲେ। କାଳ ଭୈରବ ମନ୍ଦିରରେ ମଧ୍ୟ ମୋଦୀ ପୂଜାର୍ଚ୍ଚନା କରିଥିଲେ। ମୋଦୀ ଦଶାଶ୍ବମେଧ ଘାଟରେ କହିଛନ୍ତି, ‘ମା ଗଙ୍ଗା’ ମତେ ଏହି ସହରକୁ ନିମନ୍ତ୍ରଣ କରିବା ସହ ମୋତେ କୋଳେଇ ନେଇଥିବା ଅନୁଭବ ହେଉଛି। ଏହି ସମୟରେ ମୋଦୀ ଭାବପ୍ରବଣ ହୋଇ କହିଥିଲେ ଯେ ବାରାଣସୀର ଲୋକମାନେ ତାଙ୍କୁ ବନାରସିୟା(ବନାରସବାସିନ୍ଦା)ରେ ପରିଣତ କରିଦେଇଛନ୍ତି। ମୋଦୀ ଆଜି ପ୍ରାର୍ଥିପତ୍ର ଦାଖଲ କରିବା ପରେ ରୁଦ୍ରାକ୍ଷ ସମ୍ମିଳନୀ କେନ୍ଦ୍ର ଯାଇ ସେଠାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଗତକାଲି ସନ୍ଧ୍ୟାରେ ମୋଦୀ ବାରାଣସୀରେ ୬ କିମି ବ୍ୟାପୀ ଏକ ବିଶାଳ ରୋଡ୍ସୋ କରିଥିଲେ। ଏହି ସମୟରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ମୋଦୀଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ଉଲ୍ଲେଖଯୋଗ୍ୟ, ମୋଦୀ ଲଗାତାର ତୃତୀୟ ଥର ପାଇଁ ବାରାଣସୀ ନିର୍ବାଚନମଣ୍ଡଳୀରୁ ଲଢ଼ୁଛନ୍ତି।
[ad_2]