ରାଜନୀତି

ବାଜିରେ ଲାଗିଛି ସ୍ବାମୀଙ୍କ ସମ୍ମାନ, ପ୍ରଚାର ମଇଦାନରେ ସ୍ତ୍ରୀ – Kalinga News

[ad_1]

ସମ୍ବଲପୁର: ଗ୍ରୀଷ୍ମପ୍ରବାହ ଯୋଗୁ ସମ୍ବଲପୁରରେ ପାରା ଏବେ ୪୦ ଡିଗ୍ରି ଉପରେ ରହିଛି। ହେଲେ, ଏହାକୁ ବଳିଯାଇଛି ନିର୍ବାଚନୀ ତାତି। ନିର୍ବାଚନରେ ବାଜିମାତ ପାଇଁ ପ୍ରାର୍ଥୀମାନେ ଜୋରଦାର ପରିଶ୍ରମ କରୁଥିବା ଦେଖିବାକୁ ମିଳୁଛି। ଏଥର ପ୍ରାୟତଃ ଆସନରେ କଡ଼ା ଟକ୍କର ହେଉଛି। ଧର୍ମେନ୍ଦ୍ର ପ୍ରଧାନ, ଜୟ ନାରାୟଣ ମିଶ୍ର, ରୋହିତ ପୂଜାରୀ, ନାଉରୀ ନାୟକଙ୍କ ଭଳି ବଡ଼ବଡ଼ ନେତାଙ୍କ ସମ୍ମାନ ବାଜିରେ ଲାଗିଛି। ଏଭଳି ସ୍ଥିତିରେ ଧର୍ମେନ୍ଦ୍ର, ରୋହିତ ଓ ନାଉରୀଙ୍କ ପତ୍ନୀ ଆଉ ଜୟ ନାରାୟଣଙ୍କ ଝିଅ ମଧ୍ୟ ପ୍ରଚାର ପାଇଁ ନିର୍ବାଚନୀ ରଣାଙ୍ଗନକୁ ଓହ୍ଲାଇଛନ୍ତି।

ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ‌କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ତାଙ୍କ ପତ୍ନୀ ମୃଦୁଳା ଠାକୁର ପ୍ରଚାରରେ ମାତିଛନ୍ତି। କେବଳ ପ୍ରଚାରରେ ନୁହେଁ, ତାଙ୍କ ବିକାଶ ଫାଉଣ୍ଡେସନ୍‌ ଜରିଆରେ ଗତ ଏକ ବର୍ଷରୁ ଅଧିକ ସମୟ ହେଲା ସ୍ବାମୀ ଧର୍ମେନ୍ଦ୍ରଙ୍କ ନିର୍ବାଚନ ଲଢ଼ିବା ନିମନ୍ତେ କ୍ଷେତ୍ର ପ୍ରସ୍ତୁତିରେ ଲାଗିଥିଲେ। ଧର୍ମେନ୍ଦ୍ରଙ୍କ ବିରୋଧରେ ବିଜେଡି ନିଜ ଦଳର ରାଜ୍ୟ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିବା ପରେ କଡ଼ା ଟକ୍କର ହେଉଛି। ମର୍ଯ୍ୟାଦାଜନକ ସମ୍ବଲପୁର ଆସନ ଜିତିବା ଉଭୟ ଧର୍ମେନ୍ଦ୍ର ଓ ପ୍ରଣବଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଏଭଳି ସ୍ଥିତିରେ ଦଳର ଅନ୍ୟ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କ ସହିତ ମୃଦୁଳା ମଧ୍ୟ ବେଶ୍‌ ପରିଶ୍ରମ କରୁଛନ୍ତି।

ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଏଥର ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ୁଛନ୍ତି। ରେଢ଼ାଖୋଲରୁ ଦୁଇ ଥର ଜିତିଥିବା ରୋହିତ ପୂଜାରୀଙ୍କ ନିଜସ୍ବ ସଂଗଠନ ସମ୍ବଲପୁରରେ ସେଭଳି ଭଲ ନଥିଲା। ଏବେ କିନ୍ତୁ ସ୍ଥିତି ସୁଦୃଢ଼ କରିବା ନିମନ୍ତେ ନିଜ ପୂରା ଦମ୍ ଲଗାଇ ଦେଇଛନ୍ତି ରୋହିତ। ତାଙ୍କ ପ୍ରଚାର ଅଭିଯାନ କ୍ଷେତ୍ରରେ ତାଙ୍କ ଭାଇ ରାଜୀବ ପୂଜାରୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ରୋହିତଙ୍କ ପତ୍ନୀ ବୈଶାଳୀ ମଧ୍ୟ ବେଶ୍ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛି। ବିଜେଡିର କେତେକ ସକ୍ରିୟ ମହିଳା କାର୍ଯ୍ୟକାର୍ତ୍ତାମାନଙ୍କୁ ସାଂଗରେ ଧରି ପଡ଼ା ପଡ଼ା ବୁଲୁଛନ୍ତି। ମହିଳାମାନଙ୍କୁ ନେଇ ଛୋଟ ଛୋଟ ବୈଠକ କରି ସ୍ବାମୀ ରୋହିତଙ୍କ ପାଇଁ ଭୋଟ ମାଗୁଛନ୍ତି। ଏପଟେ ସମ୍ବଲପୁର ଜିଲ୍ଲାର ଶିଳ୍ପାଞ୍ଚଳ ବିଧାନସଭା କ୍ଷେତ୍ରରୁ ରେଂଗାଲିରୁ ସ୍ଥାନୀୟ ବିଧାୟକ ତଥା ବିଜେପିର ରାଜ୍ୟ ଉପସଭାପତି ନାଉରୀ ନାୟକ ପୁଣି ଏଥର ସେଠାରୁ ପ୍ରାର୍ଥୀ ହୋଇଛନ୍ତି। ନାଉରୀଙ୍କ ବିପକ୍ଷରେ କଂଗ୍ରେସର ଦିଲୀପ ଦୁରିଆ ଓ ବିଜେଡି ସୁଦର୍ଶନ ହରିପାଲ ଦୁଇ ଜଣ ନବାଗତ ପ୍ରାର୍ଥୀ ହୋଇଛନ୍ତି। ରେଂଗାଲି ଶିଳ୍ପାଂଚଳ ବିଧାନସଭା କ୍ଷେତ୍ର ହୋଇଥିବାରୁ ଏହି ଆସନ ଉପରେ ବିଜେଡିର ନଜର ରହିଛି। ଦଳୀୟ ପ୍ରାର୍ଥୀ ସୁଦର୍ଶନ ହରିପାଲଙ୍କ ପାଇଁ ବିଜେଡିର ସବୁ ଗୋ‌ଷ୍ଠୀ ଏକାଠି ‌ହୋଇ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା ନାଉରୀ ବି ଦ୍ବିତୀୟ ଥର ଜିତିବା ଲକ୍ଷ୍ୟ ନେଇ ଗୋଟିଚାଳାନା କରୁଥିବା ବେଳେ ତାଙ୍କ ପତ୍ନୀ ମମତା ନାୟକ ମଧ୍ୟ ପ୍ରଚାରରେ ମାତିଛନ୍ତି। ଖରାକୁ ଖାତିର ନକରି ସକାଳୁ ରାତି ପର୍ଯ୍ୟନ୍ତ ଗାଁ ଗାଁ ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ଏପଟେ ଜୟ ନାରାୟଣ ମିଶ୍ରଙ୍କ ପାଇଁ ତାଙ୍କ ଝିଅ ଶୁଭଶ୍ରୀ ମିଶ୍ର ପ୍ରଚାରରେ ମାତିଛନ୍ତି। ରାଜଧାନୀରେ ରହୁଥିବା ଶୁଭଶ୍ରୀ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାର କିଛି ମାସ ପୂର୍ବରୁ ସମ୍ବଲପୁରରେ ଡେରା ପକାଇଛନ୍ତି। ପଡ଼ାରୁ ପଡ଼ା ବୁଲି ତାଙ୍କ ପିତା ଜୟନାରାୟଣଙ୍କ ସପକ୍ଷରେ ଭୋଟ ମାଗୁଥିବା ଦେଖିବାକୁ ମିଳୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button