୨୦୨୪ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା: ୨୫ ହଜାରରୁ ବଢ଼ି ୯୫ ଲକ୍ଷରେ ପହଞ୍ଚିଲାଣି – Kalinga News

[ad_1]
ଦେଶରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ମସିହାରେ ହୋଇଥିଲା। ସେହି ସମୟରେ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ଏପରିକି ଏହି ସୀମା ୧୯୫୭, ୧୯୬୨ ଏବଂ ୧୯୬୭ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା। କିନ୍ତୁ ୧୯୭୧ରେ ପ୍ରଥମ ଥର ପାଇଁ ଏଥିରେ ସଂଶୋଧନ ଅଣାଯାଇ ୩୫ ହଜାର କରାଯାଇଥିଲା। ୧୯୭୭ ନିର୍ବାଚନରେ ମଧ୍ୟ ଏହାକୁ ୩୫ ହଜାର ଟଙ୍କାରେ ରଖାଯାଇଥିଲା। କିନ୍ତୁ ୧୯୮୦ ନିର୍ବାଚନରେ ଏହାକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ୧୯୮୪ ନିର୍ବାଚନରେ ଏହାକୁ ୧.୫ ଲକ୍ଷ ଟଙ୍କାକୁ ବଢ଼ାଯାଇଥିଲା, ଯାହା ୧୯୮୯ ଏବଂ ୧୯୯୧ ନିର୍ବାଚନରେ ମଧ୍ୟ ଅପରିବର୍ତ୍ତି ରହିଥିଲା। ତେବେ ୧୯୯୬ ନିର୍ବାଚନରେ ଏହାକୁ ୪.୫ ଲକ୍ଷ ଟଙ୍କାକୁ, ୧୯୯୮ ନିର୍ବାଚନରେ ୧୫ ଲକ୍ଷ ଟଙ୍କାକୁ, ୨୦୦୪ରେ ୨୫ ଲକ୍ଷ ଟଙ୍କାକୁ ଏବଂ ୨୦୧୪ରେ ୭୦ ଲକ୍ଷ ଟଙ୍କାକୁ ଏବଂ ୨୦୨୪ ସାଧାରଣ ନିର୍ବାଚରେ ଏହି ସୀମା ୯୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି। ଛୋଟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏହି ଖର୍ଚ୍ଚ ସୀମା ଲୋକସଭା ପ୍ରାର୍ଥୀଙ୍କ ପାଇଁ ୭୫ ଲକ୍ଷ ଟଙ୍କାରେ ଧାର୍ଯ୍ୟ କରାଯାଇଛି। ତେବେ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଓଡ଼ିଶା ଭଳି ରାଜ୍ୟରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଏବେ ୪୦ ଲକ୍ଷ ଟଙ୍କା ରହିଥିବାବେଳେ ଛୋଟ ରାଜ୍ୟରେ ୨୮ ଲକ୍ଷ ଟଙ୍କା ରହିଛି। ଭାରତର ନିର୍ବାଚନ କମିସନଙ୍କ ଉପରେ ନିର୍ବାଚନ ଖର୍ଚ୍ଚ ତଦାରଖର ଦାୟିତ୍ବ ନ୍ୟସ୍ତ ହୋଇଛି। ଉଭୟ ପ୍ରାର୍ଥୀ ଏବଂ ଦଳଗୁଡ଼ିକର ଖର୍ଚ୍ଚ କମିସନ ଦେଖିଥାନ୍ତି।
[ad_2]