ବିଶ୍ବର ସବୁଠୁ ବ୍ୟୟବହୁଳ ନିର୍ବାଚନ: ୨୦୨୪ରେ ଖର୍ଚ୍ଚ ହେବ ୧ ଲକ୍ଷ ୩୫ ହଜାର କୋଟି – Kalinga News

[ad_1]
ଗଣତନ୍ତ୍ରର ମହାପର୍ବ ଦେଶରେ ଚାଲିଛି। ଲୋକସଭା ସମେତ ୪ ରାଜ୍ୟର ବିଧାନସଭା ଏବଂ ୨୬ ବିଧାନସଭା ଆସନର ଉପନିର୍ବାଚନ ପାଇଁ ମତଦାନ ହେଉଛି। ଏଥିଯୋଗୁ ରାଜନୈତିକ ପରିବେଶ ଅତ୍ୟନ୍ତ ଉଷ୍ମ ହୋଇପଡ଼ିଛି। ଭାରତରେ ଗ୍ରୀଷ୍ମଋତୁ ସତ୍ତ୍ବେ ରାଜନୈତିକ ଦଳଗୁଡ଼ିକ ହାଇ ଭୋଲଟେଜ୍ ପ୍ରଚାର ଚଳାଇଛନ୍ତି। ସଭା, ପ୍ରଚାର, ରାଲିରେ ଗଗନ ପବନ କମ୍ପୁଛି। ଆଦର୍ଶ ପରିବର୍ତ୍ତେ ଅର୍ଥଶକ୍ତି ପ୍ରାର୍ଥୀମାନଙ୍କର ନିର୍ବାଚନ ଜିତିବାର ମୁଖ୍ୟ ବଳ ଏବଂ କୌଶଳ ପାଲଟିଛି। ଏଭଳି ସ୍ଥିତିରେ ନିର୍ବାଚନ ଦିନକୁ ଦିନ ଭାରତରେ ବ୍ୟୟବହୁଳ ହୋଇପଡ଼ିଛି। ଦେଶର ନିର୍ବାଚନ ଖର୍ଚ୍ଚକୁ ନେଇ ଆମର ଏହି ସ୍ବତନ୍ତ୍ର ପ୍ରତିବେଦନ…
Sambad is now on WhatsApp
Join and get latest news updates delivered to you via WhatsApp
ବିଶ୍ବର ସର୍ବବୃହତ୍ ଗଣତନ୍ତ୍ର ଭାରତରେ ଏବେ ସାଧାରଣ ନିର୍ବାଚନ ଚାଲିଛି। ଏଥିପାଇଁ ବିପୁଳ ଟଙ୍କା ଖର୍ଚ୍ଚ ହେଉଛି। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଜରିଆରେ ବିଜ୍ଞାପନ, ସଭା ଆଦି କରୁଛନ୍ତି। ନିର୍ବାଚନୀ ବିଶେଷଜ୍ଞଙ୍କ କହିବାନୁଯାୟୀ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭାରତରେ ୧ ଲକ୍ଷ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୨୦୧୯ ସାଧାରଣ ନିର୍ବାଚନରେ ହୋଇଥିବା ଖର୍ଚ୍ଚ ୬୦ ହଜାର କୋଟି ଟଙ୍କା ତୁଳନାରେ ଦୁଇଗୁଣାରୁ ଅଧିକ ଖର୍ଚ୍ଚ ଏଥର ହେବ ବୋଲି ବେସରକାରୀ ସଂଗଠନ ସେଣ୍ଟର ଫର୍ ମିଡିଆ ଷ୍ଟଡିଜ୍ (ସିଏମ୍ଏସ୍)ର ଅଧ୍ୟକ୍ଷ ଏନ୍ ଭାସ୍କର ରାଓ ମତ ଦେଇଛନ୍ତି।
ଶ୍ରୀ ରାଓ ଦୀର୍ଘ ୩୫ ବର୍ଷ ହେଲା ନିର୍ବାଚନ ଖର୍ଚ୍ଚ ଉପରେ ନଜର ରଖି ଆସୁଛନ୍ତି। ଶ୍ରୀ ରାଓଙ୍କ କହିବାନୁଯାୟୀ, ଏଥିରେ ନିର୍ବାଚନ ସହ ଜଡ଼ିତ ଉଭୟ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଖର୍ଚ୍ଚ ସାମିଲ ରହିଛି। ଅର୍ଥାତ୍ ରାଜନୈତିକ ଦଳ, ସଂଗଠନ, ପ୍ରାର୍ଥୀ, ସରକାର ଏବଂ ନିର୍ବାଚନ କମିସନ ଆଦି କରୁଥିବା ଖର୍ଚ୍ଚକୁ ଏଥିରେ ମିଶାଯାଇଛି। ଶ୍ରୀ ରାଓ ପ୍ରଥମେ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଖର୍ଚ୍ଚ ରାଶି ୧ ଲକ୍ଷ ୨୦ ହଜାର କୋଟି ଟଙ୍କା ରହିବ ବୋଲି ଆକଳନ କରିଥିଲେ। କିନ୍ତୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ନିର୍ବାଚନୀ ବଣ୍ଡ୍ ତଥ୍ୟ ସାମ୍ନାକୁ ଆସିବା ପରେ ଖର୍ଚ୍ଚରେ ସେ ସଂଶୋଧନ ଆଣିଛନ୍ତି। ନିର୍ବାଚନ କମିସନଙ୍କ ଦ୍ବାରା ମତଦାନ ତାରିଖ ଘୋଷଣା ହେବାର ୩ରୁ ୪ ମାସ ପୂର୍ବରୁ ହେଉଥିବା ଖର୍ଚ୍ଚକୁ ଏଥିରେ ସାମିଲ କରାଯାଇଛି। ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ଯେଉଁ ପ୍ରାକ୍ ନିର୍ବାଚନ ପ୍ରଚାର କାର୍ଯ୍ୟ କରନ୍ତି ସେଥିରେ ରାଜନୈତିକ ରାଲି, ପରିବହନ, କର୍ମଚାରୀ ବା ଶ୍ରମିକ ନିଯୁକ୍ତି ଏବଂ ଘୋଡ଼ା ବେପାର ଆଦି ବାବଦ ଖର୍ଚ୍ଚ ଅନ୍ତର୍ଭୁକ୍ତ। ତେବେ ନିର୍ବାଚନ କମିସନ ଯେଉଁ ଖର୍ଚ୍ଚ ସୀମା ଧାର୍ଯ୍ୟ କରିଛନ୍ତି ତାହା ମୋଟ ବ୍ୟୟର ୧୦ରୁ ୧୫ ପ୍ରତିଶତ ରହିବ ବୋଲି ବିଶେଷଜ୍ଞ କହିଛନ୍ତି।
ଭୋଟର ପିଛା ଖର୍ଚ୍ଚ ୧୪୦୦ ଟଙ୍କା
ଦେଶରେ ମତଦାତାଙ୍କ ସଂଖ୍ୟା ଏଥର ୯୬.୬ କୋଟିକୁ ବୃଦ୍ଧି ପାଇଛି। ଅର୍ଥାତ୍ ଭୋଟର ପିଛା ଖର୍ଚ୍ଚ ୧୪୦୦ ଟଙ୍କା ରହିବ ବୋଲି ଆକଳନ କରାଯାଇଛି। ଉକ୍ତ ଖର୍ଚ୍ଚ ୨୦୨୦ ଆମେରିକା ନିର୍ବାଚନ ଠାରୁ ମଧ୍ୟ ଅଧିକ ବୋଲି କୁହାଯାଉଛି। ୨୦୨୦ ଆମେରିକା ନିର୍ବାଚନରେ ୧୪.୪ ବିଲିଅନ ଡଲାର ବା ୧.୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଓପନସିକ୍ରେଟ୍ସ ଡଟ୍ ଓଆର୍ଜି ନାମକ ୱାସିଂଟନଭିତ୍ତିକ ସଂସ୍ଥା ପକ୍ଷରୁ କୁହାଯାଇଛି। ୨୦୧୪ ସାଧାରଣ ନିର୍ବାଚନରେ ହୋଇଥିବା ଖର୍ଚ୍ଚର ୪୫ ପ୍ରତିଶତ ବିଜେପି ପକ୍ଷରୁ ହୋଇଥିଲା। ଚଳିତଥର ଏହା ବୃଦ୍ଧି ପାଇବ ବୋଲି କୁହାଯାଉଛି। ନିର୍ବାଚନ ଖର୍ଚ୍ଚ ବଢ଼ିବାର କେତେକ ପ୍ରମୁଖ କାରଣ ହେଲା ନିର୍ବାଚନ କାର୍ଯ୍ୟକଳାପ ଦୀର୍ଘଦିନ ଧରି ଲାଗି ରହୁଛି। ସେହିଭଳି ନିର୍ବାଚନ ରଣାଙ୍ଗନରେ ଅପେକ୍ଷାକୃତଭାବେ ଅଧିକ ସଂଖ୍ୟକ ଧନୀ ପ୍ରାର୍ଥୀ ପ୍ରତିଯୋଗିତା କରୁଛନ୍ତି। ଏଥିସହିତ ଖର୍ଚ୍ଚରେ ସ୍ବଚ୍ଛତାର ଅଭାବ ଓ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି। ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମୁଖ୍ୟତଃ ହୋର୍ଡିଂ, ପୋଷ୍ଟର, ଛାପା ଗଣମାଧ୍ୟମ ଏବଂ ଟେଲିଭିଜନ ଆଦି ଜରିଆରେ ପ୍ରଚାର କରୁଥିଲେ। ଏବେ ପ୍ରଚାରରେ ଡିଜିଟାଲ ମାଧ୍ୟମ ଏକ ବଡ଼ ଭୂମିକା ନେଇଛି। ରାଜନୈତିକ ଦଳଗୁଡ଼ିକ ଗୁଗୁଲ୍ ଏବଂ ମେଟା ଭଳି କମ୍ପାନିର ଇଣ୍ଟରନେଟ୍ ଏବଂ ସାମାଜିକ ଗଣମାଧ୍ୟମକୁ ପ୍ରଚାରର ଏକ ମାଧ୍ୟମ ଭାବେ ଉପଯୋଗ କରୁଛନ୍ତି।
୨୦୨୨ରେ ଶେଷଥର ପାଇଁ ସଂଶୋଧନ
୨୦୨୨ ମସିହା ଜାନୁଆରି ୬ ତାରିଖରେ କେନ୍ଦ୍ର ସରକାର ସାଂସଦ ଏବଂ ବିଧାୟକ ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ସଂପର୍କିତ ସଂଶୋଧିତ ଅଧିନିୟମ ଜାରି କରିଛନ୍ତି। ଏହି ଅନୁଯାୟୀ ବିଭିନ୍ନ ରାଜ୍ୟର ସାଂସଦ ଏବଂ ବିଧାୟକ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ନିର୍ଦ୍ଧାରଣ କରାଯାଇଛି। ଏଥିରୁ ଜଣାଯାଇଛି ଯେ ଦେଶର ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ୨୫ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ଏବେ ୯୫ ଲକ୍ଷ ଟଙ୍କା ରହିଛି। କିନ୍ତୁ ୩ଟି ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶ, ଗୋଆ ଓ ସିକିମ୍ ଏବଂ ୬ଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଆଣ୍ଡାମାନ ଏବଂ ନିକୋବର, ଚଣ୍ଡୀଗଡ଼, ଦାଦ୍ରା ଓ ନଗର ହାବେଳି ତଥା ଡାମନ ଡିୟୁ, ଲକ୍ଷଦ୍ବୀପ, ପୁଡ଼ୁଚେରୀ, ଲଦାଖରେ ସାଂସଦ ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ୭୫ ଲକ୍ଷ ଟଙ୍କା ରହିଛି। ଯେଉଁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ୯୫ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି ତାହା ହେଲା ଦିଲ୍ଲୀ ଏବଂ ଜମ୍ମୁ-କଶ୍ମୀର। ଏଥିସହିତ ୧୩ଟି ରାଜ୍ୟର ୨୬ଟି ବିଧାନସଭା ଆସନ ପାଇଁ ମଧ୍ୟ ଦେଶରେ ଏବେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ବିଭିନ୍ନ କାରଣରୁ ଖାଲି ପଡ଼ିଥିବା ଆସନରେ ମଧ୍ୟ ଧାର୍ଯ୍ୟ ସୀମା ମଧ୍ୟରେ ଖର୍ଚ୍ଚ ନେଇ ନିର୍ଦ୍ଦେଶ ରହିଛି।
ରାଜନୈତିକ ଦଳଙ୍କ ପାଇଁ ସୀମା ନାହିଁ
ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀଙ୍କ ପାଇଁ ଖର୍ଚ୍ଚ ସୀମା ସ୍ଥିର ହେଉଥିଲେ ମଧ୍ୟ ରାଜନୈତିକ ଦଳଗୁଡ଼ିକ ପାଇଁ ଏ ନେଇ କୌଣସି ସୀମା ଧାର୍ଯ୍ୟ ହୋଇ ନଥାଏ।
ଖର୍ଚ୍ଚ ସୀମା କ’ଣ?
ନିର୍ବାଚନ ଖର୍ଚ୍ଚ ସୀମା କହିଲେ ଜଣେ ପ୍ରାର୍ଥୀ ଆଇନଗତ ଭାବେ ଖର୍ଚ୍ଚ କରି ପାରୁଥିବା ସୀମାକୁ ବୁଝାଇଥାଏ। ଅର୍ଥାତ୍ ସାଧାରଣ ସଭା, ରାଲି, ବିଜ୍ଞାପନ, ପୋଷ୍ଟର, ବ୍ୟାନର, ଗାଡ଼ି ଆଦି ବାବଦରେ ଯେତିକି ଖର୍ଚ୍ଚ କରନ୍ତି ତାହାକୁ ଏଥିରେ ସାମିଲ କରାଯାଇଥାଏ। ତେଣୁ ନିର୍ବାଚନ ପ୍ରଚାର ସହ ଜଡ଼ିତ ଖର୍ଚ୍ଚକୁ ଏଥିରେ ହିସାବକୁ ନିଆଯାଇଥାଏ। ନିର୍ବାଚନ ଶେଷ ହେବାର ୩୦ ଦିନ ମଧ୍ୟରେ ପ୍ରାର୍ଥୀଙ୍କୁ ସେମାନଙ୍କ ଖର୍ଚ୍ଚର ହିସାବ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କରିବାକୁ ହୋଇଥାଏ।
ନିର୍ବାଚନ କମିସନ ସମୟକୁ ସମୟ ଏହି ଖର୍ଚ୍ଚ ସୀମାରେ ସଂଶୋଧନ ଆଣିଥାନ୍ତି। ଶେଷଥର ପାଇଁ ୨୦୨୨ରେ ଏଥିରେ ସଂଶୋଧନ ହୋଇଥିଲା।
[ad_2]