‘ଭାରତଯୋଡ଼ୋ ନ୍ୟାୟଯାତ୍ରା’ରେ ଗର୍ଜିଲେ ରାହୁଲ: ଓଡ଼ିଶାରେ ବିଜେଡି-ବିଜେପି ଭାଗୀଦାରି ସରକାର ଚାଲିଛି – Kalinga News

[ad_1]
ରାଉରକେଲା: ଓଡ଼ିଶାରେ ବିଜେଡି-ବିଜେପି ଭାଗୀଦାରି (ପାର୍ଟନରସିପ୍) ସରକାର ଚାଲିଛି। ଯାହା ସଂସଦରେ ମଧ୍ୟ ଦେଖିବାକୁ ମିଳୁଛି। ଯେତେବେଳେ ବିଜେପି ଚାହୁଛି, ସେତେବେଳେ ବିଜେଡି ଆଖିବୁଜି ସମର୍ଥନ ଦେଉଛି। ଏଠି କେବଳ କଂଗ୍ରେସ ଲୋକଙ୍କ ପାଇଁ ଲଢ଼େଇ କରୁଛି। ଓଡ଼ିଶାରେ ‘ଭାରତଯୋଡ଼ୋ ନ୍ୟାୟଯାତ୍ରା’ର ଦ୍ବିତୀୟ ଦିବସ ଅବସରରେ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏହିଭଳି ଟାର୍ଗେଟ୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପୂର୍ବାହ୍ନ ସକାଳ ୯ଟାରେ ରାହୁଲ ଗାନ୍ଧୀ ପ୍ରସିଦ୍ଧ ବେଦବ୍ୟାସ ଶୈବପୀଠରେ ପୂଜାର୍ଚ୍ଚନା ପରେ ନିଜ ଯାତ୍ରା ଆରମ୍ଭ କରିଥିଲେ। ରାଉରକେଲା ସହରରେ ବିଶାଳ ରୋଡ୍ସୋ’ ସାରି ପାନପୋଷ ଗାନ୍ଧୀ ଛକଠାରେ ଆୟୋଜିତ ଜନସଭାରେ ସମ୍ବୋଧିତ କରିବା ଅବସରରେ ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ଦେଶରେ ଦିନକୁ ଦିନ ବେକାରି ସଂଖ୍ୟା ବଢ଼ି ଚାଲିଛି। ଓଡ଼ିଶାର ମଧ୍ୟ ଏହା ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ଏଠାରେ ନିଯୁକ୍ତି ନାହିଁ, ୩୦ ଲକ୍ଷ ବେକାର ଦେଶର ବିଭିନ୍ନ ରାଜ୍ୟରେ ଯାଇ କାମ କରୁଛନ୍ତି। ଅନ୍ୟପଟେ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ୩୦ ଉଦ୍ୟୋଗପତି ଓଡ଼ିଶା ସଂପଦ ଲୁଟି ଚାଲିଛନ୍ତି। କେବଳ ଏତିକି ନୁହେଁ, ଓଡ଼ିଶା ଏକ ଆଦିବାସୀ ବହୁଳ ରାଜ୍ୟ ହୋଇଥିବା ବେଳେ ଏଠାରେ ଆଦିବାସୀ, ଦଳିତ, ପଛୁଆବର୍ଗର ଲୋକ ଆଦୌ ସୁରକ୍ଷିତ ନୁହନ୍ତି। ଏମାନଙ୍କ ଜଳ, ଜମି ଓ ଜଙ୍ଗଲକୁ ଛଡ଼ାଇ ନିଆଯାଉଛି। ସେମାନଙ୍କୁ ଅକଥନୀୟ ଅତ୍ୟାଚାରର ଶିକାର ହେବାକୁ ପଡୁଛି ବୋଲି ସେ ଅଭିଯୋଗ କରିଥିଲେ। ଓଡ଼ିଶାରେ ବହୁ ଶିଳ୍ପ ପ୍ରତିଷ୍ଠାନ ବି ବନ୍ଦ ହୋଇଯାଇଛି। ଅପରପକ୍ଷେ ରାହୁଲ କହିଥିଲେ ଯେ କଂଗ୍ରେସ ସର୍ବଦା ଏହା ବିରୋଧରେ ଲଢ଼େଇ କରିଛି। ଆଦିବାସୀଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ କଂଗ୍ରେସ ଆଦୗ ବରଦାସ୍ତ କରିବ ନାହିଁ। ତେଣୁ ଲୋକଙ୍କ ସୁଖଦୁଃଖ ଶୁଣିବାକୁ ଭାରତଯୋଡ଼ୋ ନ୍ୟାୟଯାତ୍ରା କରୁଥିବା ସେ କହିଥିଲେ। ଏଥିସହିତ, ଘୃଣା ବଜାରରେ ଚାଲନ୍ତୁ ପ୍ରେମର ଦୋକାନ ଖୋଲିବା ବୋଲି ଦୋହରାଇଥିଲେ। ପୂର୍ବରୁ ସେ କନ୍ୟାକୁମାରୀରୁ କଶ୍ମୀର ପର୍ଯ୍ୟନ୍ତ ପ୍ରାୟ ୪ ହଜାର କିଲୋମିଟର ପଦଯାତ୍ରା କରିଥିଲେ। ପଦଯାତ୍ରାରେ ଲକ୍ଷଲକ୍ଷ ଲୋକ ଯୋଡ଼ି ହୋଇଥିଲେ। ଏବେ ପୂର୍ବରୁ ପଶ୍ଚିମ ଅର୍ଥାତ୍ ମଣିପୁରରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ଆରମ୍ଭ ହୋଇଛି। ପ୍ରତ୍ୟେକ ସ୍ଥାନରେ ଲୋକଙ୍କ ବିପୁଳ ସମର୍ଥନ ମିଳୁଛି। ବିଜେପିକୁ ସମର୍ଥନ କରି ଆସୁଥିବା ତେଲେଙ୍ଗାନା ସରକାରକୁ ଯେମିତି ଲୋକେ ନିର୍ବାଚନରେ ପ୍ରତ୍ୟାଖାନ କଲେ, ସେହି ସମାନ ସ୍ଥିତି ଚଳିତ ନିର୍ବାଚନରେ ଓଡ଼ିଶାରେ ପ୍ରତିଫଳିତ ହେବ ବୋଲି ରାହୁଲ କହିଥିଲେ।
ରାଉରକେଲା ପରେ ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟଯାତ୍ରା ରାଜଗାଙ୍ଗପୁର, କୁତ୍ରା ଦେଇ ବଡଗାଁରେ ପହଞ୍ଚିଥିଲା। ସେଠାରେ ମଧ୍ୟ ସେହି ସମାନ କଥା କହିଥିଲେ। ଶେଷରେ ନ୍ୟାୟଯାତ୍ରା ସୁନ୍ଦରଗଡ଼ରେ ପହଞ୍ଚିଥିଲା। ‘ଭାରତଯୋଡ଼ୋ ନ୍ୟାୟଯାତ୍ରା’ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ରାଜ୍ୟ ପ୍ରଭାରୀ ଡକ୍ଟର ଅଜୟ କୁମାର, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ, ବିଏମ୍ ସନ୍ଦୀପ, ବବିତା ଶର୍ମା ଦେବୀ, ମିଡିଆ ସେଲ୍ର ବିଶ୍ବରଞ୍ଜନ ମହାନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ, ସାଂସଦ ସପ୍ତଗିରି ଉଲାକା, ବିଧାୟକ ଡା. ସିଏସ୍ ରାଜେନ ଏକ୍କା, ତାରାପ୍ରସାଦ ବାହିନୀପତି, ସୁର ରାଉତରାୟ, ମହମ୍ମଦ ମୋକିମ୍, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ବିଧାୟକ ଉପସ୍ଥିତ ଥିଲେ।
[ad_2]




