ଅପରାଧ

ଅଭିଯୁକ୍ତଙ୍କୁ ଆସାମୀ ସଜାଇଲା ଡିଏନ୍‌ଏ: ୨ ପତ୍ନୀହନ୍ତାଙ୍କୁ ଆଜୀବନ – Kalinga News

[ad_1]

ଭୁବନେଶ୍ବର: କୌଣସି ହତ୍ୟାକାଣ୍ଡର ଅଭିଯୁକ୍ତକୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରିବା ପୁଲିସ ପାଇଁ ସବୁବେଳେ ଚ୍ୟାଲେଞ୍ଜ ସୃଷ୍ଟି କରିଥାଏ। ବେଶି ସମସ୍ୟା ହୁଏ ପ୍ରତ୍ୟକ୍ଷଦର୍ଶୀ ନ ଥିବା ମାମଲାରେ। କିନ୍ତୁ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ଏସବୁ ସମସ୍ୟା ଦୂର କରିପାରିଛି। ହତ୍ୟାକାଣ୍ଡ ମାମଲାରେ କେହି ଜଣେ ବି ପ୍ରତ୍ୟକ୍ଷଦର୍ଶୀ ନ ଥିଲେ ମଧ୍ୟ ବୈଷୟିକ ଜ୍ଞାନକୌଶଳ ବଳ‌ରେ ପ୍ରକୃତ ଦୋଷୀକୁ ସଜା ହୋଇପାରୁଛି। ନିକଟରେ କମିସନରେଟ୍‌ ପୁଲିସ ଦୁଇ ଦୁଇଟି ହତ୍ୟାକାଣ୍ଡ ମାମଲାରେ ଏଭଳି ସଫଳତା ପାଇଛି। ରାଜ୍ୟ ଫୋରେନ୍‌ସିକ୍‌ ଲାବରେଟୋରିରେ ହୋଇପାରିଥିବା ଡିଏନ୍‌ଏ ମ୍ୟାଚିଂ ପାଇଁ ୨ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡ ମିଳିପାରିଛି।

୨୦୨୧ ଜୁନ୍‌ ୨୫। ଜଟଣୀ ଥାନା ନୂଆଗାଁ ପାଇକରାପୁରରେ ଅଭିଯୁକ୍ତ ସୁକାନ୍ତ ମଲ୍ଲିକ ତା’ର ଦ୍ବିତୀୟ ପତ୍ନୀ ପୂଜାଙ୍କ ତଣ୍ଟି କାଟି ହତ୍ୟା କରିଥିଲା। ଘରେ ୨ ଝିଅଙ୍କ ଅନୁପସ୍ଥିତିରେ ସୁକାନ୍ତ ପତ୍ନୀ ପୂଜାଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲା। ପୂଜାଙ୍କ ଚରିତ୍ରକୁ ସନ୍ଦେହ କରିଆସୁଥିବା ସୁକାନ୍ତ ଏହି କାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଥିଲେ ବି କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ମାତ୍ର ତାକୁ ଦୋଷୀ ପ୍ରମାଣିତ କରିବାକୁ ଫୋରେନ୍‌ସିକ୍‌ ଲାବ୍‌ର ବିଭିନ୍ନ ପରୀକ୍ଷା ଯଥେଷ୍ଟ ଥିଲା। ଜିଲ୍ଲା ସାଇଣ୍ଟିଫିକ୍‌ ଅଫିସର ସୁଶ୍ରୀ ସବିନୟା ଓ ତାଙ୍କ ଟିମ୍ ବୈଜ୍ଞାନିକ ପଦ୍ଧତିରେ ସୁକାନ୍ତର ହାତ ନଖରେ ଲାଗିରହିଥିବା ହତ୍ୟାକାଣ୍ଡ ସମୟର ରକ୍ତକଣିକା ସଂଗ୍ରହ କରିଥିଲେ। ସେହି ରକ୍ତକଣିକାରୁ ଡିଏନ୍‌ଏ ସଂଗ୍ରହ କରାଯାଇଥିଲା ଏବଂ ପୂଜାଙ୍କ ମୃତଦେହରୁ ସଂଗ୍ରହ କରାଯାଇଥିବା ରକ୍ତ ନମୁନାର ଡିଏନ୍‌ଏ ସହ ମେଳ କରାଯାଇଥିଲା। ଡିଏନ୍‌ଏ ମେଳ ଖାଇଥିଲା। ତେଣୁ ସୁକାନ୍ତ ହିଁ ପତ୍ନୀହନ୍ତା ବୋଲି ପ୍ରମାଣିତ ହୋଇଥିଲା ଏବଂ କୋର୍ଟ ତାକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ।

ସେହିପରି ୨୦୨୨ ଏପ୍ରିଲ ୪ର ଘଟଣା। ଚନ୍ଦ୍ରଶେଖରପୁର ଥାନା ବିଡିଏ ହାଉସିଂବୋର୍ଡ କଲୋନି ଅଞ୍ଚଳରେ ଘଟିଥିଲା ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଅଭିଯୁକ୍ତ ବିଜୟ ସେଠୀ ତା’ର ସ୍ତ୍ରୀ ଗାୟତ୍ରୀ ଓ ଶାଳୀ ସରସ୍ବତୀଙ୍କୁ ଟାଙ୍ଗିଆ ଓ କଟୁରିରେ ହାଣି ବଡ଼ ନିର୍ମମ ଭାବେ ହତ୍ୟା କରିଥିଲା। କିନ୍ତୁ ଏହି ବୀଭତ୍ସ ହତ୍ୟାକାଣ୍ଡର କେହି ପ୍ରତ୍ୟକ୍ଷଦର୍ଶୀ ନଥିଲେ। ପୁଣି ମୃତଦେହଗୁଡ଼ିକ ଗଳିତ ଅବସ୍ଥାରେ ଜବତ ହୋଇଥିବାରୁ ସେଥିରୁ ରକ୍ତ ନମୁନା ସଂଗ୍ରହ କରିବା କାଠିକର ପାଠ ଥିଲା। କେବଳ ସେତିକି ନୁହେଁ, ଅଭିଯୁକ୍ତ ବିଜୟକୁ ୩ ଦିନ ପରେ ଗିରଫ କରାଯାଇଥିବାରୁ ତା’ ହାତରୁ ରକ୍ତକଣିକା ସଂଗ୍ରହ କରିବା ମଧ୍ୟ ଅସମ୍ଭବ ମନେ ହେଉଥିଲା। କାରଣ ୩ ଦିନ ଭିତରେ ସେ ବାରମ୍ବାର ହାତ ଧୋଇ ସାରିଥିଲା। କିନ୍ତୁ ଫୋରେନ୍‌ସିକ୍‌ ଲାବ୍‌ର ଟିମ୍‌ ବେଞ୍ଜିଡାଇନ୍‌ ରାସାୟନିକ ପଦାର୍ଥ ବ୍ୟବହାର କରି ଅଭିଯୁକ୍ତ ବିଜୟର ହାତ ନଖରୁ ଗାୟତ୍ରୀ ଓ ସରସ୍ବତୀଙ୍କ ରକ୍ତକଣିକା ପାଇପାରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button