ପୁଣି ଜଟିଳ ବାରବାଟୀ-କଟକ ଗଣିତ: ଶେଷରେ ଡାକ୍ତର ପୂର୍ଣ୍ଣ ମହାପାତ୍ରଙ୍କୁ ଛିଡ଼ାକଲା ବିଜେପି – Kalinga News

[ad_1]
କଟକ: ରାଜ୍ୟ ରାଜନୀତିରେ ସବୁବେଳେ ଅପ୍ରତ୍ୟାଶିତ ଆଉ ରୋଚକ ଫଳାଫଳ ଦେଇ ଆସିଥିବା ବାରବାଟୀ-କଟକ ବିଧାନସଭା ନିର୍ବାଚନମଣ୍ଡଳୀ ଏଥର ପୁଣି ଥରେ ସେହିଭଳି ଏକ ଲଢେଇ ଆଡକୁ ମୁହାଁଉଛି। ବିଜେପି ଏହି ଲଢେଇରେ କିଛିଟା ବିଳମ୍ବରେ ସାମିଲ ହୋଇଥିଲେ ବି ବିଶିଷ୍ଟ ଚିକିତ୍ସକ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ନିର୍ବାଚନ ମଇଦାନକୁ ଉତାରି କ୍ଷତିଭରଣା କରିବାକୁ ଉଦ୍ୟମ କରିଛି। ଗୋଟିଏ ପଟେ ବିଧାୟକ ମହମ୍ମଦ ମୋକିମଙ୍କ ବଦଳରେ ତାଙ୍କ ଝିଅ ସୋଫିଆ ଫିରଦୋସ୍ କଂଗ୍ରେସର ପ୍ରାର୍ଥୀ ହେବା, ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ସାଲେପୁରରୁ ଆସି ପୂର୍ବତନ ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା ବିଜେଡିର ପ୍ରାର୍ଥୀ ହେବା ଏବଂ ଶେଷରେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ବିଜେପି ପ୍ରାର୍ଥୀ ହେବା ଘଟଣା ଏକ ଜୋରଦାର ଲଢେଇର ଆଭାସ ଦେଉଛି। ଉଭୟ ସୋଫିଆ ଓ ଡାକ୍ତର ମହାପାତ୍ର ରାଜନୀତିରେ ସଂପୂର୍ଣ୍ଣ ନୂଆ। ସୋଫିଆଙ୍କ ପାଇଁ ପରୋକ୍ଷରେ ବିଧାୟକ ମହମ୍ମଦ ମୋକିମ ନିର୍ବାଚନ ଲଢେଇ ଲଢୁଛନ୍ତି ସତ, କିନ୍ତୁ ବାରବାଟୀ-କଟକ ଭୋଟର ଏଥର ସଂପୂର୍ଣ୍ଣ ଭାବେ ୩ ନୂଆ ମୁହଁ ଭିତରୁ ଜଣକୁ ବାଛିବେ। ପ୍ରକାଶ ଯଦିଓ ରାଜନୀତିରେ ପୁରୁଣା ଖେଳାଳି, ସେ କିନ୍ତୁ କଂଗ୍ରେସ ଆଉ ବିଜେପିରେ ରହି ସାଲେପୁରରେ ଭାଗ୍ୟ ପରୀକ୍ଷା କରି ଆସୁଥିଲେ। ନିର୍ବାଚନ ସମୟରେ ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବା ସହିତ ବାରବାଟୀ-କଟକରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ସେ ଉଭୟ ଦଳ ଆଉ ଭୋଟରଙ୍କ ପାଇଁ ବାରବାଟୀ-କଟକରେ ନୂଆ।

Sambad is now on WhatsApp
Join and get latest news updates delivered to you via WhatsApp
ଏହି ୩ ନୂଆ ଚେହେରାଙ୍କ ପାଇଁ ସେମାନଙ୍କ ନିଜନିଜ ଦଳର ହାରାହାରି ଭୋଟ ପୁଞ୍ଜି ହୋଇ ରହିଛି। ସେହି ପୁଞ୍ଜିକୁ ଖଟାଇ କେଉଁ ପ୍ରାର୍ଥୀ କେତେ ଆଗକୁ ଯିବେ ଅଥବା ପଛେଇ ଯିବେ, ତାହା ଉପରେ ହାରଜିତର ଫଳାଫଳ ନିର୍ଭର କରିବ। ୨୦୦୯, ୨୦୧୪, ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ କଂଗ୍ରେସ ଲଗାତାର ଭାବେ ନିଜର ଭୋଟ ବୃଦ୍ଧି କରିଚାଲିଛି। ୨୦୦୯ରେ ୨୭ ହଜାର ଭୋଟରୁ ଆରମ୍ଭ କରି ୨୦୧୯ରେ ୫୦ ହଜାର ଭୋଟରେ ପହଞ୍ଚିଛି। କିନ୍ତୁ ୨୦୨୨ ପୌର ନିର୍ବାଚନରେ ବାରବାଟୀ-କଟକରେ କଂଗ୍ରେସର ଭୋଟ ୩୬ ହଜାରରୁ ଅଳ୍ପ ଅଧିକ ରହିଥିଲା। ଗଲା ୩ଟି ସାଧାରଣ ନିର୍ବାଚନରେ ବିଜେଡିର ଭୋଟ ଉପରତଳ ହେଇଥିଲେ ବି ୫୦ ହଜାର ପାଖାପାଖି ରହି ଆସିଛି। ୨୦୦୯ରେ ୫୨ ହଜାର, ୨୦୧୪ରେ ୫୭ ହଜାର ଓ ୨୦୧୯ରେ ୪୬ ହଜାର ଭୋଟ ପାଇଛି ବିଜେଡି। ୨୦୨୨ ପୌର ନିର୍ବାଚନରେ କିନ୍ତୁ ବାରବାଟୀ-କଟକରେ ବିଜେଡି ଭୋଟ ୫୯ ହଜାର ଟପି ଯାଇଥିଲା। ଅନ୍ୟପଟେ ବିଜେପି ୨୦୦୯ରେ ୧୫ ହଜାର ଭୋଟ ପାଇଥିବା ବେଳେ ୨୦୧୪ରେ ୨୦ ହଜାର ଓ ୨୦୧୯ରେ ୩୩ ହଜାରରୁ ଅଧିକ ଭୋଟ ପାଇଥିଲା। ୨୦୨୨ ପୌର ନିର୍ବାଚନରେ ବିଜେପି ଭୋଟ ୨୩ ହଜାରରୁ ସାମାନ୍ୟ ଅଧିକ ରହିଥିଲା। ବାରବାଟୀ-କଟକରେ ୧୬ ପ୍ରତିଶତ ସଂଖ୍ୟାଲଘୁ ଭୋଟ୍ ରହିଛି। ୨୦୧୪ ଓ ୨୦୧୯ରେ ଏହି ଭୋଟ୍ର ସିଂହଭାଗ ବିଧାୟକ ମହମ୍ମଦ ମୋକିମଙ୍କ ସହିତ ଯାଇଥିଲା। କିନ୍ତୁ ପୌର ନିର୍ବାଚନରେ ସେହି ଭୋଟ୍ର ସିଂହଭାଗ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ନ ଯାଇ ବିଜେଡି ସପକ୍ଷରେ ଯାଇଥିଲା।
ନିର୍ବାଚନ ଆରମ୍ଭରୁ ମହମ୍ମଦ ମୋକିମ ସକ୍ରିୟ ରହିବା ସହିତ ଲଗାତାର ଭାବେ ନିଜର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସୋଫିଆ ବି ନୂଆ ଯୁବ ଚେହେରା ଭାବେ ପ୍ରଚାର ଅଭିଯାନକୁ ଅଧିକ ବଳ ଦେଇଛନ୍ତି। ବିଜେଡି ନିଜର ସଙ୍ଗଠନ ବଳରେ ପ୍ରକାଶଙ୍କୁ ନେଇ ପ୍ରଚାର ପ୍ରକ୍ରିୟାକୁ ତ୍ବରାନ୍ବିତ କରୁଛି। କିନ୍ତୁ ବିଜେପି କେବଳ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବଙ୍କ କେତେକ କାର୍ଯ୍ୟକ୍ରମକୁ ବାଦ ଦେଲେ ବିଧିବଦ୍ଧ ଭାବେ ଏଯାଏ ଅଭିଯାନ ଆରମ୍ଭ କରି ପାରିନି। ପୂର୍ଣ୍ଣ ମହାପାତ୍ର ନିଜର ପତିଆରା ଆଉ ପରିଚୟ ବଳରେ ତାହାକୁ କେତେ ଗତି ଦେଇ ପାରିବେ, ତାହା ହୁଏତ ଆଗକୁ ସ୍ପଷ୍ଟ ହେବ। ଅନ୍ୟପଟେ ବିଜେପିର ଭୋଟ ବୃଦ୍ଧି ବିଜେଡିକୁ କ୍ଷତି ପହଞ୍ଚାଉଥିବା ବେଳେ ବିଜେପି ଭୋଟ ହ୍ରାସ ପାଇଲେ ତାର ଫାଇଦା ଅଧିକ ପରିମାଣରେ ବିଜେଡିକୁ ଯାଉଥିବା ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ଏବେ ନିର୍ବାଚନ ରାଜନୀତିରେ ଡାକ୍ତର ପୂର୍ଣ୍ଣ ମହାପାତ୍ରଙ୍କ ଲମ୍ପ ପ୍ରଦାନ କେବଳ ବାରବାଟୀ-କଟକ ଲଢେଇକୁ ରୋଚକ କରିବାକୁ ଯାଉ ନାହିଁ, ହାରଜିତର ଫଇସଲାକୁ ବି ଉନିଶ-ବିଶ୍ କରିବାକୁ ଯାଉଛି।
[ad_2]