ଇନ୍ଦୋରରେ ସୁରତ ନାଟକ: ଓହରିଲେ କଂଗ୍ରେସ ପ୍ରାର୍ଥୀ, ବିଜେପିରେ ମିଶିଲେ – Kalinga News

[ad_1]
ଇନ୍ଦୋର: ଚଳିତ ନିର୍ବାଚନରେ ଭୋଟ୍ ପଡ଼ିବା ପୂର୍ବରୁ ସୁରତ ଲୋକସଭା ଆସନ ହାତେଇଛି ବିଜେପି। ଏହି ଆସନରେ ବିଜେପିର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଥିଲା। କଂଗ୍ରେସର ଆଉ ଜଣେ ଡମି ପ୍ରାର୍ଥୀଙ୍କର ପ୍ରାର୍ଥିପତ୍ର ମଧ୍ୟ ନାକଚ ହୋଇଯାଇଥିଲା। ଏହାପରେ ଅନ୍ୟ ୭ ଜଣ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପରେ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଆଜି ଇନ୍ଦୋରରେ ମଧ୍ୟ ସମାନ ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି। ଇନ୍ଦୋର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଅକ୍ଷୟକାନ୍ତି ବାମ୍ ଆଜି ତାଙ୍କର ନାମାଙ୍କନପତ୍ର ପ୍ରତ୍ୟାହାର କରିଛନ୍ତି। ମଧ୍ୟପ୍ରଦେଶ ମନ୍ତ୍ରୀ ତଥା ବିଜେପି ନେତା କୈଳାସ ବିଜୟବର୍ଗୀୟ ଅକ୍ଷୟକାନ୍ତିଙ୍କ ଏକ ଫଟୋ ପୋଷ୍ଟ କରିବା ସହ ଦଳରେ ତାଙ୍କୁ ସ୍ୱାଗତ କରୁଛୁ ବୋଲି ଲେଖିଛନ୍ତି। ଅକ୍ଷୟକାନ୍ତି ଇତିମଧ୍ୟରେ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ଏଠାରେ ମଧ୍ୟ କଂଗ୍ରେସକୁ ବଡ଼ ଧରଣର ଝଟକା ଲାଗିଛି। ମେ ୧୩ ତାରିଖରେ ହେବାକୁ ଥିବା ଏହି ଆସନରୁ କଂଗ୍ରେସ ଅକ୍ଷୟକାନ୍ତିଙ୍କୁ ବର୍ତ୍ତମାନର ବିଜେପି ସାଂସଦ ଶଙ୍କର ଲାଲୱାନୀଙ୍କ ବିପକ୍ଷରେ ପ୍ରାର୍ଥୀ କରିଥିଲା। ଅକ୍ଷୟକାନ୍ତି ନାମାଙ୍କନପତ୍ର ପ୍ରତ୍ୟାହାର କରିବା ପ୍ରସଙ୍ଗରେ କଂଗ୍ରେସ ନେତା ସୁଭାଷିଣୀ ଶରଦ ଯାଦବ କହିଛନ୍ତି, ସେ ଭୟରେ ଏପରି କରିଛନ୍ତି। କିନ୍ତୁ ଏହାଦ୍ବାରା କଂଗ୍ରେସ ଦୁର୍ବଳ ହୋଇଯିବ ନାହିଁ। ଗଣତନ୍ତ୍ରକୁ କିଭଳି ହତ୍ୟା କରାଯାଉଛି ଏହି ଘଟଣାରୁ ତାହା ସ୍ପଷ୍ଟ ହୋଇଛି। ଏହି ଆସନରୁ ତିନି ଜଣ ସ୍ବାଧୀନ ପ୍ରାର୍ଥୀ ମଧ୍ୟ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି।
[ad_2]