ସ୍ତ୍ରୀ ଓ ଶାଳୀ ହତ୍ୟାକାରୀକୁ ଆଜୀବନ: ୨ ବର୍ଷରେ ଶୁଣାଣି ଶେଷ – Kalinga News

[ad_1]
ଟାଙ୍ଗିଆ ଓ କଟୁରିରେ ହାଣିଥିଲା, ୨ ଶବ ସହ ୩ ଦିନ ୩ ରାତି
ଭୁବନେଶ୍ବର: ୨୦୨୨ ଏପ୍ରିଲ୍ ୨୪ ତାରିଖ ସକାଳ। ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଖେଳିଯାଇଥିଲା ଚାଞ୍ଚଲ୍ୟ। ଭଡ଼ାରେ ଲାଗିଥିବା ଗୋଟିଏ ଘରୁ ମିଳିଥିଲା ଦୁଇ ଦୁଇ ଜଣ ମହିଳାଙ୍କ ଗଳିତ ଶବ। ଟାଙ୍ଗିଆରେ ହାଣି ସ୍ତ୍ରୀ ଓ ଶାଳୀଙ୍କୁ ବୀଭତ୍ସ ଭାବେ ହତ୍ୟା କରିବା ପରେ ୩ ଦିନ ଓ ୩ ରାତି ପାଖରେ ଲୁଚାଇ ରଖିଥିବା ବିଜୟ କେତନ ସେଠୀକୁ ପୁଲିସ ଧରିସାରିଥିଲା। ଦୁଇ ଦୁଇଟି ରକ୍ତ ଜୁଡ଼ୁବୁଡ଼ୁ ମୃତଦେହକୁ ଜରି ଅଖାରେ ଗୁଡ଼ାଇ ରଖିଥିବା ନରପିଶାଚ ବିଜୟକୁ ଦେଖିବା ପାଇଁ କଲୋନିଟାଯାକର ଲୋକେ ରୁଣ୍ଡ ହୋଇଥିଲେ। ଆଜି ୨ ବର୍ଷ ପରେ ସେହି ଲୋମଟାଙ୍କୁରା ଡବଲ୍ ମର୍ଡର୍ କେସ୍ର ଶୁଣାଣି ସରିଛି ଏବଂ ରାୟ ପ୍ରକାଶ ପାଇଛି। ନରହନ୍ତା ବିଜୟକୁ କୋର୍ଟ ଆଜୀବନ ସଜା ଶୁଣାଇବା ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ୧୭ ଜଣ ସାକ୍ଷୀ, ପୁଲିସର ତଥ୍ୟ ପ୍ରମାଣ(ଫୋରେନ୍ସିକ୍ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ) ଓ ଜବତ ଟାଙ୍ଗିଆ ଓ କଟୁରି ଆଦି ଆଧାରରେ ଆସାମୀ ବିଜୟ(୪୪)କୁ କୋର୍ଟ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି।

Sambad is now on WhatsApp
Join and get latest news updates delivered to you via WhatsApp
ଘଟଣାର ଅନ୍ତରାଳେ
ଆସାମୀ ବିଜୟର ଘର କେନ୍ଦ୍ରାପଡ଼ା ପାଟକୁରା ଥାନା ଗରଦପୁର ଅଞ୍ଚଳରେ। ସେ ଇନ୍ଫୋସିଟି ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଏସି ମେକାନିକ୍ ଭାବେ କାମ କରୁଥିଲା ଏବଂ ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ଇଡବ୍ଲ୍ୟୁଏସ୍ କଲୋନି ୨୩/୨ ଘରେ ଭଡ଼ାରେ ରହୁଥିଲା। ୨୦୧୧ ମସିହାରେ ସେ କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ସୁଦାମ ସେଠୀଙ୍କ ବଡ଼ଝିଅ ଗାୟତ୍ରୀଙ୍କୁ ବିବାହ କରିଥିଲା। ବିବାହର ବହୁ ଦିନ ପର୍ଯ୍ୟନ୍ତ ବିଜୟ ଓ ଗାୟତ୍ରୀ ନିଃସନ୍ତାନ ଥିଲେ। ଏଥିପାଇଁ ବିଜୟକୁ ଦାୟୀ କରାଯାଉଥିଲା ଏବଂ ଶ୍ବଶୁର ଘର ପକ୍ଷରୁ ତାକୁ ବିଭିନ୍ନ କଟୁ ମନ୍ତବ୍ୟ ଶୁଣିବାକୁ ପଡ଼ୁଥିଲା। କିନ୍ତୁ ଏସବୁ ଭିତରେ ସମାନ୍ତରାଳ ଭାବେ ଚାଲିଥିଲା ଆଉ ଏକ ଭିନ୍ନ କାହାଣୀ। ଗାୟତ୍ରୀଙ୍କ ସାନ ଭଉଣୀ ସରସ୍ବତୀ ଭଉଣୀ-ଭିଣୋଇଙ୍କ ପାଖରେ ରହି ନର୍ସିଂ ପଢ଼ୁଥିଲେ। ବିଜୟ ସରସ୍ବତୀଙ୍କ ସବୁ ପଢ଼ା ଖର୍ଚ୍ଚ ବହନ କରୁଥିଲା। ପଢ଼ା ସରିବା ପରେପରେ ସରସ୍ବତୀଙ୍କୁ ଏକ ଘରୋଇ ହସ୍ପିଟାଲ୍ରେ ଚାକିରି ମିଳିଯାଇଥିଲା। ଏହାପରେ ସରସ୍ବତୀଙ୍କର ବିବାହ ହୋଇଯାଇଥିଲା। ଶାଳୀର ବିବାହରେ ମଧ୍ୟ ବିଜୟ ପାଖାପାଖି ସବୁ ଖର୍ଚ୍ଚ କରିଥିଲା। ବିଜୟ ପୁଲିସକୁ ଦେଇଥିବା ବୟାନ ଅନୁସାରେ ସରସ୍ବତୀଙ୍କ ପାଠପଢ଼ା ଓ ବାହାଘର ପାଇଁ ସେ ବେଶ୍ କିଛି ଟଙ୍କା କରଜ କରିଥିଲା। କରଜ ଶୁଝିବାକୁ ସରସ୍ବତୀ ପୂର୍ବରୁ ଭିଣୋଇ ବିଜୟକୁ ପ୍ରତିଶ୍ରୁତି ଦେଇଥିଲେ ହେଁ ବାହାଘର ପରେ ସେଥିରୁ ଓହରିଯାଇଥିଲେ। ତେଣୁ କରଜଭାରରେ ବୁଡ଼ି ରହିଥିବା ବିଜୟ ଚିନ୍ତାଗ୍ରସ୍ତ ରହୁଥିଲା। ଏସବୁ ଭିତରେ ଶାଳୀ-ଭିଣୋଇଙ୍କ ଲୁଚାଛପା ପ୍ରେମ ପ୍ରସଙ୍ଗ ବି ଚର୍ଚ୍ଚାକୁ ଆସିଥିଲା। ସରସ୍ବତୀ ସ୍ବାମୀଙ୍କ ସହ ନ ରହି ଏକ ହଷ୍ଟେଲ୍ରେ ଏକୁଟିଆ ରହୁଥିଲେ। ଏସବୁକୁ ନେଇ ଘରେ ସବୁବେଳେ ବିଜୟ ଓ ସ୍ତ୍ରୀ ଗାୟତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଏମିତି ବିଭିନ୍ନ କାରଣକୁ ନେଇ ବିଜୟ ମାନସିକ ଭାରସାମ୍ୟ ହରାଇ ବସିଥିଲା ଏବଂ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିବ ବୋଲି ଚରମ ନିଷ୍ପତ୍ତି ନେଇଥିଲା।
୨୧ ତାରିଖ କାଳରାତିର କାହାଣୀ
୨୦୨୨ ଏପ୍ରିଲ ୨୧ ତାରିଖ ରାତି ଥିଲା ଦୁଇ ଭଉଣୀ ଗାୟତ୍ରୀ ଓ ସରସ୍ବତୀଙ୍କ ପାଇଁ କାଳ ରାତି। ପୂର୍ବ ପ୍ରସ୍ତୁତି ଅନୁସାରେ ବିଜୟ ତାଙ୍କ ଶାଳୀ ସରସ୍ବତୀଙ୍କୁ ଘରକୁ ଡାକିଥିଲା। ରାତି ପ୍ରାୟ ସାଢ଼େ ୧୦ଟା ବେଳକୁ ଖିଆପିଆ ସରିଥିଲା। ଏହାପରେ ଆରମ୍ଭ ହୋଇଥିଲା ଝଗଡ଼ା। ବିଜୟର ସ୍ବୀକାରୋକ୍ତି ଅନୁସାରେ ପୂର୍ବ ଭଳି ନିଃସନ୍ତାନ ପ୍ରସଙ୍ଗ ସାଙ୍ଗକୁ କରଜ ଶୁଝିବା କଥା ପଡ଼ିବାରୁ ଗାୟତ୍ରୀ ଗାଳିମନ୍ଦ କରିଥିଲେ। ତେଣୁ ପାଖରେ ସାଇତି ରଖିଥିବା ଏକ ଟାଙ୍ଗିଆ ଉଠାଇ ବିଜୟ ଶକ୍ତ ପାହାର ପକାଇଥିଲା ଗାୟତ୍ରୀଙ୍କ ବେକକୁ। ସେଇଠି ଗୋଟିଏ ଚୋଟରେ ଟଳି ପଡ଼ିଥିଲେ ଗାୟତ୍ରୀ। ସରସ୍ବତୀ ପାଟି କରିବା ପୂର୍ବରୁ ରକ୍ତମୁଖା ବିଜୟ ଟାଙ୍ଗିଆ ଛାଡ଼ି ଏକ କଟୁରିରେ ତାଙ୍କୁ ହାଣି ପକାଇଥିଲା। ରକ୍ତାକ୍ତ ଅବସ୍ଥାରେ ଦୁଇ ମହିଳା ଚଟାଣରେ ଛଟପଟ ହେଉଥିବା ବେଳେ ନିର୍ବିକାର ହୋଇ ବିଜୟ ସେମାନଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିଥିଲା। ରାତି ପାହିବା ପରେ ସେ କବାଟ ବନ୍ଦ କରି ଚାଲିଯାଇଥିଲା ଏବଂ ସବୁଦିନ ଭଲି ସନ୍ଧ୍ୟାରେ ଘରକୁ ଫେରିଥିଲା। ଏମିତି ୨ ଦିନ କାଳ ସେ ସକାଳୁ ଯାଇ ସନ୍ଧ୍ୟାରେ ଘରକୁ ଫେରୁଥିଲା। ସ୍ତ୍ରୀ ଗାୟତ୍ରୀ ଗାଁକୁ ଯାଇଛନ୍ତି ବୋଲି ପଡ଼ୋଶୀମାନଙ୍କୁ କହୁଥିଲା। ୨୪ ତାରିଖ ସକାଳୁ ସେହି ଘରୁ ଦୁର୍ଗନ୍ଧ ବାହାରିବା ପରେ କଥା ପ୍ରଘଟ ହୋଇଥିଲା। ଅନ୍ୟପକ୍ଷରେ ୩ ଦିନ କାଳ ଗାୟତ୍ରୀ ଓ ସରସ୍ବତୀଙ୍କ ଫୋନ୍ ବନ୍ଦ ଥିବାରୁ ବାପା ସୁଦାମ ଭୁବନେଶ୍ବରରେ ପହଞ୍ଚିଥିଲେ ଏବଂ ତାଙ୍କ ଅଭିଯୋଗ ଆଧାରରେ ପୁଲିସ ବିଜୟକୁ ଗିରଫ କରିଥିଲା।
[ad_2]