ଅପରାଧ

ସାଇବର ଠକଙ୍କ ମୁଖ୍ୟ ଅସ୍ତ୍ର ମ୍ୟୁଲ୍‌ ଆକାଉଣ୍ଟ: ଟାର୍ଗେଟ୍‌ରେ ଆର୍ଥିକ ଦୁର୍ବଳ ଶ୍ରେଣୀ ଓ ମହିଳା – Kalinga News

[ad_1]

୮ ହଜାରରୁ ଊର୍ଧ୍ବ ଆକାଉଣ୍ଟ ଠାବ, ପ୍ରାୟ ୩ ହଜାର କୋଟି ଚଳୁ

ଭୁବନେଶ୍ବର: ସାଇବର ଠକଙ୍କ ଅନ୍ୟତମ ଅସ୍ତ୍ର ହେଉଛି ମ୍ୟୁଲ୍‌ ଆକାଉଣ୍ଟ। ଏଭଳି ଆକାଉଣ୍ଟରେ କେତେବେଳେ, କେତେ ଟଙ୍କା, କିଏ କାହାକୁ ଦେଣନେଣ କରୁଛି, ସେସବୁ ଆକାଉଣ୍ଟଧାରୀ ଜାଣିବାର ଅବକାଶ ନଥାଏ। ଆକାଉଣ୍ଟକୁ ଅନ୍ୟ ଜଣେ ପରିଚାଳନା କରୁଥାଏ। ଆକାଉଣ୍ଟଧାରୀକୁ ମାତ୍ର କିଛି ଟଙ୍କା କମିସନ ‌ମିଳୁଥାଏ। ଏଭଳି ଆକାଉଣ୍ଟକୁ ଅସ୍ତ୍ର ଭାବେ ବ୍ୟବହାର କରି ସାଇବର ଠକମାନେ ଲୁଟ୍‌ କରନ୍ତି ଏବଂ ଲୁଟ୍‌ ଅର୍ଥକୁ ୧୦-୧୨ ମ୍ୟୁଲ୍‌ ଆକାଉଣ୍ଟ ଜରିଆରେ ସ୍ଥାନାନ୍ତର କରି ହଡ଼ପ କରିନିଅନ୍ତି। ଏଭଳି ଆକାଉଣ୍ଟ ଏବେ ପୁଲିସ ପାଇଁ ଚିନ୍ତାର କାରଣ। ‘କାଉ ଖାଇବ ପଣସ, ବଗ ମୁଣ୍ଡରେ ଅଠା’ ଭଳି ସାଇବର ଠକ ରୢାକେଟ୍‌ କୋଟିକୋଟି ଟଙ୍କା ହଡ଼ପ କରନ୍ତି ଏବଂ ପ୍ରକୃତ ଆକାଉଣ୍ଟଧାରୀ ମାତ୍ର ୫-୭ ହଜାର ଟଙ୍କା ପାଇ ଶେଷରେ ବନ୍ଧାହୋଇ ଜେଲ୍‌ ଯାଏ। କ୍ରାଇମ୍‌ବ୍ରାଞ୍ଚ, କମିସନରଟ୍‌ ପୁଲିସ ଓ ସାଇବର ଥାନା ପୁଲିସ ୫୦ରୁ ଅଧିକ ମାମଲାରେ ୮ ହଜାରରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଠାବ କରିଛନ୍ତି। ଏହି ଆକାଉଣ୍ଟ ମାଧ୍ୟମରେ ୩,୦୦୦ ‌କୋଟିରୁ ଊର୍ଧ୍ବ ଟଙ୍କାର ଆର୍ଥିକ କାରବାର ହୋଇଥିବା ଜଣାପଡ଼ିଛି। ମୋଟାମୋଟି ଭାବେ ସାଇବର ଲୁଟେରାମାନେ ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟମରେ ୩,୦୦୦ କୋଟିରୁ ଊର୍ଧ୍ବ ଟଙ୍କା ଚୂନ ଲଗାଇଛନ୍ତି। ପୁଣି ଆଶ୍ଚର୍ଯ୍ୟର କଥା, ଯେତିକି ମ୍ୟୁଲ୍‌ ଆକାଉଣ୍ଟ ଠାବ କରାଯାଇଛି, ତା’ଠାରୁ ବହୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ବଜାରରେ ବୁଲୁଛି। ଆଗକୁ କିଭଳି ଏଭଳି ଆକାଉଣ୍ଟ ଉପରେ ଅଙ୍କୁଶ ଲଗାଯିବ, ତାହା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ମ୍ୟୁଲ୍‌ ଆକାଉଣ୍ଟ ପାଇଁ ସାଇବର ଠକ ରୢାକେଟ୍‌ ଲୋକଙ୍କୁ ମାସିକ ୧୫ରୁ ୨୦ହଜାର ଟଙ୍କା ଦରମା ଦେଇ ଏଜେଣ୍ଟ ନିଯୁକ୍ତ କରିଛନ୍ତି। ସେମାନେ ବିଭିନ୍ନ ରାଜ୍ୟକୁ ଯାଇ ନୂଆ ଏଜେଣ୍ଟ ସୃଷ୍ଟି କରୁଛନ୍ତି। ସେମାନେ କିଭଳି ଜାଲ୍‌ ବ୍ୟାଙ୍କ ଆକାଉଣ୍ଟ ଖୋଲିବେ, ସେ ବିଷୟରେ ତାଲିମ୍‌ ଦିଆଯାଉଛି। ବିଶେଷକରି ଗ୍ରାମାଞ୍ଚଳର ଦୁର୍ବଳ ଶ୍ରେଣୀ, କମ୍‌ପାଠ ପଢ଼ିଥିବା ଲୋକ ଓ ମହିଳାଙ୍କୁ ଟାର୍ଗେଟ କରୁଛନ୍ତି। ଘରେ ବସି ବିନା ପୁଞ୍ଜିନିବେଶରେ କିଭଳି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିହେବ, ସେମାନଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି। ସରକାରୀ ଯୋଜନା ମାଧ୍ୟମରେ ଟଙ୍କା ପାଇବେ ବୋଲି କହି ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ପ୍ରବର୍ତ୍ତାଉଛନ୍ତି। ଫସାଇବା ପରେ ସେମାନଙ୍କ ଆଧାର କାର୍ଡ, ପାନ୍‌ କାର୍ଡ ଆଦି ହାତେଇ ବ୍ୟାଙ୍କରେ ଆକାଉଣ୍ଟ ଖୋଲୁଛନ୍ତି। ସେହିଭଳି ପରିଚୟପତ୍ରକୁ ବ୍ୟବହାର କରି ସେମାନଙ୍କ ନାଁରେ ସିମ୍‌ କିଣୁଛନ୍ତି। ପ୍ରତି ଆକାଉଣ୍ଟ ଖୋଲିବା ପାଇଁ ଲୋକଙ୍କୁ ସ୍ବଳ୍ପ ହାତଗୁଞ୍ଜା ଦେଉଛନ୍ତି। ଆକାଉଣ୍ଟଗୁଡ଼ିକରେ ଠକମାନେ ‌ଲୋକଙ୍କ ପରିଚୟପତ୍ର ଦେଇ ଆଣିଥିବା ମୋବାଇଲ୍‌ ନମ୍ବରକୁ ବ୍ୟବହାର କରି ପାସ୍‌ୱାର୍ଡ ହାତେଇ ନେଉଛନ୍ତି ଏବଂ ଆର୍ଥିକ କାରବାରର ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖୁଛନ୍ତି।

ସନ୍ଦେହରେ ବ୍ୟାଙ୍କ କର୍ମଚାରୀଙ୍କ ଭୂମିକା
ତଦନ୍ତରୁ ଜଣାପଡ଼ିଛି ଯେ ବିଶେଷକରି ଘରୋଇ ବ୍ୟାଙ୍କଗୁଡ଼ିକରେ ଏହି ମ୍ୟୁଲ୍‌ ଆକାଉଣ୍ଟ ବେଶି। ସେଠାରେ ଠକ ମାନେ ସହଜରେ ଆକାଉଣ୍ଟ ଖୋଲିପାରୁଛନ୍ତି। ଏଭଳି ହଜାର ହଜାର ଆକାଉଣ୍ଟ ଖୋଲାଯାଉଥିଲେ ହେଁ ବ୍ୟାଙ୍କ କର୍ତ୍ତପକ୍ଷ ନିରବ ରହୁଛନ୍ତି। ତେଣୁ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

ବିଦେଶରେ ମାଷ୍ଟରମାଇଣ୍ଡ କରୁଛି ଅପରେଟ୍‌
ଡିସେମ୍ବର ମାସରେ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଏଭଳି ଏକ ଅନ୍ତଃରାଜ୍ୟ ସାଇବର ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଥିଲା। ଗ୍ୟାଙ୍ଗର ସେକ୍‌ ହାପିଜୁଲ୍‌, ସେକ୍‌ ଜାହାଙ୍ଗୀର, ଜମିରୁଦ୍ଦିନ ଓ ଶମିମ୍‌ ଇସ୍‌ଲାମକୁ ଗିରଫ କରିଥିଲା। ସେମାନଙ୍କଠାରୁ ୫ହଜାରରୁ ଅଧିକ ମ୍ୟୁଲ୍‌ ଆକାଉଣ୍ଟ ଠାବ କରାଯାଇଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଗ୍ୟାଙ୍ଗ୍‌ର ମାଷ୍ଟରମାଇଣ୍ଡ ଦୁବାଇ, ମାଲେସିଆ, ଚୀନ ଭଳି ଦେଶରେ ଥାଇ ରୢାକେଟ୍‌ର ପରିଚାଳନା କରୁଛନ୍ତି। ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟ‌ମରେ ଟଙ୍କା ନେବା ପରେ ସେହି ଟଙ୍କାକୁ କ୍ରିପ୍ଟୋ, ବିଟ୍‌ କଏନ୍‌ରେ ନିବେଶ କରି ପୁଞ୍ଜିକୁ ନିଜ ନିୟନ୍ତ୍ରଣକୁ ନେଉଛନ୍ତି। ସେହିପରି ଅନ୍ୟ କେତେକ ଅନ୍ତଃରାଜ୍ୟ ସାଇବର ଗ୍ୟାଙ୍ଗକୁ ମଧ୍ୟ ଠାବ କରାଯାଇଥିଲା। ସେମାନେ ଟ୍ରେଡିଂ ନାଁରେ ଲୋକଙ୍କୁ ଫସାଇ ମ୍ୟୁଲ୍‌ ଆକାଉଣ୍ଟ ମାଧ୍ୟମରେ ଚୂନ ଲଗାଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button