ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟରେ ଭୋଟିଂ ଜାରି: ପଶ୍ଚିମବଙ୍ଗରେ ଇଭିଏମ୍ ଜାଲିଆତି ଅଭିଯୋଗ – Kalinga News

[ad_1]
ନୂଆଦିଲ୍ଲୀ : ନିର୍ବାଚନ ଇସ୍ତାହାର ଏବଂ ଟିକସକୁ ନେଇ ବିଜେପି ଏବଂ କଂଗ୍ରେସ ମଧ୍ୟରେ ତୀବ୍ର ବିବାଦ ଲାଗି ରହିଥିବାବେଳେ ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଜାରି ରହିଛି। କେରଳରେ ସମସ୍ତ ୨୦ଟି ଆସନ, ରାଜସ୍ଥାନରେ ୧୩, ଉତ୍ତରପ୍ରଦେଶ ଏବଂ ମହାରାଷ୍ଟ୍ରରେ ୮ ଲେଖାଏଁ ଆସନ, ମଧ୍ୟପ୍ରଦେଶରେ ୭, ଆସାମ ଏବଂ ବିହାରରେ ୫ ଲେଖାଏଁ ଆସନ, ପଶ୍ଚିମବଙ୍ଗ ଏବଂ ଛତିଶଗଡ଼ରେ ୩ ଲେଖାଏଁ ଆସନ, ଜମ୍ମୁ କାଶ୍ମୀର, ମଣିପୁର ଏବଂ ତ୍ରିପୁରାରେ ଗୋଟିଏ ଲେଖାଏଁ ଆସନରେ ଆଜି ଭୋଟ୍ ଗ୍ରହଣ ହେଉଛି। ଭୋଟ୍ ଗ୍ରହଣ ଆରମ୍ଭ ହେବାର ୪ ଘଣ୍ଟା ମଧ୍ୟରେ ତଥା ପୂର୍ବାହ୍ନ ୧୧ଟା ସୁଦ୍ଧା ୨୫.୧ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି। ପୂର୍ବରୁ ୮୯ଟି ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ମଧ୍ୟପ୍ରଦେଶର ବେତୁଲରେ ଜଣେ ବହୁଜନ ସମାଜ ପାର୍ଟି ନେତାଙ୍କ ମୃତ୍ୟୁ ପରେ ଉକ୍ତ ଆସନରେ ପରବର୍ତ୍ତୀ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ। ବେତୁଲରେ ମେ’ ୭ ତାରିଖରେ ତୃତୀୟ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ । ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି କଂଗ୍ରେସର ରାହୁଲ ଗାନ୍ଧି, କେସି ବେଣୁଗୋପାଳ, ଭୂପେଶ ବାଘେଲ ଏବଂ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ, ବିଜେପିର କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ଉଭୟ ବିଜେପି ଏବଂ ବିରୋଧୀଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ୨ଟି ହେଉଛି କର୍ଣ୍ଣାଟକ ଏବଂ କେରଳ। ୨୦୧୯ ଲୋକସଭା ନିର୍ବାଚନରେ ବିଜେପି କର୍ଣ୍ଣାଟକରେ ୨୮ ଲୋକସଭା ଆସନରୁ ୨୫ଟି ଜିତିଥିଲା। ଦଳ ଚଳିତ ଥର ମଧ୍ୟ କର୍ଣ୍ଣାଟକରେ ଭଲ କରିବ ବୋଲି ଆଶା ରଖିଛି। କେରଳରେ ବିଜେପି ଏହାର ଖାତା ଖୋଲିବାକୁ ଆଶା ରଖିଛି। କେରଳର ୱାୟନାଡ଼ ଆସନ ଉପରେ ସାରା ଦେଶର ନଜର ରହିଛି। ୱାୟନାଡ଼ରେ କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସ ଦଳର ପ୍ରାର୍ଥୀ ହୋଇଥିବାବେ୍ଳେ ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ। ଇତି ମଧ୍ୟରେ ନିର୍ବାଚନ କମିସନ ପଶ୍ଚିମବଙ୍ଗରେ ୨୯୦ରୁ ଅଧିକ ଅଭିଯୋଗ ଗ୍ରହଣ କରିଛି। ଇସି ନିକଟରେ ଅଧିକାଂଶ ଇଭିଏମ୍ ଜାଲିଆତି ଅଭିଯୋଗ ହୋଇଛି। ନିର୍ବାଚନ କମିସନଙ୍କ ନିକଟକୁ ଏକ ଚିଠି ଲେଖି ଶାସକ ଟିଏମସି ନିର୍ବାଚନ କମିସନର ତତ୍କାଳ ହସ୍ତକ୍ଷେପ ଲୋଡ଼ିଛି। ତେବେ ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର ଟିଏମସିକୁ କଡ଼ା ସମାଲୋଚନା କରିଛନ୍ତି। ସିଇସି ରାଜୀବ କୁମାର କହିଛନ୍ତି, ଇଭିଏମରେ କୌଣସି ତ୍ରୁଟି ନାହିଁ ତଥାପି ଟିଏମସି ଦଳ ଲଗାତାର ଭାବେ ଇଭିଏମ୍ ଜାଲିଆତିକୁ ନେଇ ପ୍ରଶ୍ନ ଉଠାଉଛନ୍ତି।
[ad_2]