ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ପାଇଁ ପ୍ରଚାର ଶେଷ – Kalinga News

[ad_1]
ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ତାରିଖରେ ୧୩ଟି ରାଜ୍ୟର ୮୯ଟି ଆସନରେ ଭୋଟ୍ ଗ୍ରହଣ ହେବ। ଏପ୍ରିଲ ୧୯ତାରିଖରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ମତଦାନ ପ୍ରାୟ ୬୪ ପ୍ରତିଶତ ଥିଲା। ଉଲ୍ଲେଖଯୋଗ୍ୟ ଯେ ଚଳିତ ଲୋକସଭା ନିର୍ବାଚନ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି। ଜୁନ୍ ପହିଲାରେ ଶେଷ ପର୍ଯ୍ୟାୟ ମତଦାନ ହେବ ଏବଂ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ଦ୍ୱିତୀୟ ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ଟି ଲୋକସଭା ଆସନ ପାଇଁ ଆସାମ, ବିହାର, ଛତିଶଗଡ଼, କର୍ଣ୍ଣାଟକ, କେରଳ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ରାଜସ୍ଥାନ, ତ୍ରିପୁରା, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କଶ୍ମୀରରେ ମତଦାନ ହେବ। କଂଗ୍ରେସ ନେତା ରାହୁଲ ଗାନ୍ଧି ଦ୍ୱିତୀୟ ପର୍ଯ୍ୟାୟରେ କେରଳର ୱାୟନାଡ଼ ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢୁଛନ୍ତି । ରାହୁଲ ଗାନ୍ଧିଙ୍କ ବିରୋଧରେ ସିପିଆଇର ଆନି ରାଜା ଏବଂ ବିଜେପିର କେ ସୁରେନ୍ଦ୍ରନ ପ୍ରାର୍ଥୀ ହୋଇଛନ୍ତି। ଏଥର ମୁକାବିଲା ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରହିଥିବା ବେଳେ ଏହି ଆସନ ଉପରେ ପୂରା ଦେଶର ନଜର ରହିଛି। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହେଉଛି ତିରୁଅନନ୍ତପୁରମ। କଂଗ୍ରେସ ନେତା ଶଶି ଥରୁର କେରଳର ତିରୁନନନ୍ତପୁରମ ଆସନରୁ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିପକ୍ଷରେ ନିର୍ବାଚନ ଲଢୁଛନ୍ତି। ଅଭିନେତ୍ରୀରୁ ରାଜନେତା ପାଲଟିଥିବା ହେମା ମାଳିନୀ ମଥୁରାରୁ ତୃତୀୟ ଥର ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ମିରଟ ଆସନରେ ବିଜେପି ‘ରାମାୟଣ’ ଧାରାବାହିକର ଅଭିନେତା ଅରୁଣ ଗୋଭିଲଙ୍କୁ ପ୍ରାର୍ଥୀ କରିଛି। ମଥୁରା ଓ ମିରଟ ଲୋକସଭା ଆସନ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ। ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛତିଶଗଡ଼ର ସରଗୁଜା ଏବଂ ମଧ୍ୟପ୍ରଦେଶର ସାଗର ଏବଂ ବେତୁଲରେ ବିଶାଳ ଜନସଭାରେ ଉଦ୍ବୋଧନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଭୋପାଳରେ ଏକ ରୋଡ୍ ସୋ’ରେ ମଧ୍ୟ ସାମିଲ ହୋଇଥିଲେ।
[ad_2]