ଅପରାଧ

ଜେଲ୍‌ ଗଲା ୭ ଜଣିଆ ନକଲି ପୁଲିସ ଗ୍ୟାଙ୍ଗ୍‌: ୩.୫ଲକ୍ଷ ଟଙ୍କା, ଗହଣା, କାର୍‌, ବାଇକ୍‌ ଜବତ – Kalinga News

[ad_1]

ଗ୍ରହପଥର ଓ ଚଷମା ବେପାରୀ ବେଶରେ ବୁଲୁଥିଲେ

ଭୁବନେଶ୍ବର: ପୁଲିସ ବେଶରେ ୩ ମାସ ହେଲା ରାଜଧାନୀରେ ଲୁଟ୍‌ତରାଜ ଚଳାଇଆସିଥିବା ୭ ଜଣିଆ ଲୁଟେରା ଗ୍ୟାଙ୍ଗ୍‌କୁ ଆଜି କୋର୍ଟ ଚାଲାଣ କରାଯାଇଛି। କମିସନରେଟ୍‌ ପୁଲିସର ନିଦ ହଜାଇ ଦେଇଥିବ‌ା ମଧ୍ୟପ୍ରଦେଶର ଏହି ୭ ଜଣ ହେଲେ ଗ୍ୟାଙ୍ଗ୍‌ ମୁଖିଆ ସ‌ଦାକ୍‌ ହୁସେନ୍‌(୫୬), ସବିର୍‌ ଅଲ୍ଲୀ(୩୩), ହାସନ୍‌ ଅଲ୍ଲୀ(୨୦), ରାଜେନ୍ଦ୍ର କୁମାର କୁଶୱାହା(୩୨), ଫୟାଜ୍‌ ହୁସେନ୍‌(୩୬), ଆବୁଜାର୍‌ ଅଲ୍ଲୀ(୨୩) ଓ ଜାହିର୍‌ ଅଲ୍ଲୀ(୩୪)। ସେମାନଙ୍କ ନିକଟରୁ ନଗଦ ସାଢ଼େ ୩ଲକ୍ଷ ଟଙ୍କା, ବିପୁଳ ସୁନାଗହଣା, ଲୁଟ୍‌ରେ ବ୍ୟବହୃତ ଗୋଟିଏ କାର୍‌, ଦୁଇଟି ବାଇକ୍‌ ଜବତ କରାଯାଇଛି। ସେହିଭଳି ବେପାର କରିବା ଆଳରେ ରାଜ୍ୟରୁ ରାଜ୍ୟ ବୁଲୁଥିବା ଏହି ଗ୍ୟାଙ୍ଗ୍‌ ନିକଟରୁ ବିପୁଳ ଗ୍ରହପଥର ଓ ଚଷମା ଜବତ କରାଯାଇଛି। ସେମାନଙ୍କଠାରୁ ମିଳିଥିବା ୬ ମୋବାଇଲ୍‌ ଫୋନ୍‌ର କଲ୍‌ ଡିଟେଲସ୍‌କୁ ନେଇ ଖୋଳତାଡ଼ ଚାଲିଛି। ଅଧିକ ତଦନ୍ତ ପାଇଁ ସେମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସିପି ସଞ୍ଜୀବ ପଣ୍ଡା ଓ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହି ଗ୍ୟାଙ୍ଗ୍‌ ବହୁ ଲୁଟ୍‌ପାଟ କରିଥିବାରୁ କମିସନରେଟ୍‌ ପୁଲିସ ସେସବୁ ରାଜ୍ୟ ପୁଲିସ ସହ ଯୋଗାଯୋଗରେ ରହିଛି ବୋଲି ସିପି ଶ୍ରୀ ପଣ୍ଡା କହିଛନ୍ତି।

ଟାର୍ଗେଟ୍‌ରେ ମହିଳା ଓ ବୟସ୍କ ବ୍ୟକ୍ତି
ଏହି ଗ୍ୟାଙ୍ଗ୍‌ ସକାଳେ ସନ୍ଧ୍ୟାରେ ଚାଲୁଥିବା ମହିଳା ଓ ବୟସ୍କ ଲୋକଙ୍କୁ ଟାର୍ଗେଟ୍‌ କରୁଥିଲା। ସେମାନଙ୍କୁ ପୁଲିସ ପରିଚୟ ଦେଇ ସହରରେ ବଢ଼ୁଥିବା ଲୁଟ୍‌ତରାଜ ବାବଦ‌ରେ ସଚେତନ କରାଉଥିଲେ। ସତ୍ୟନଗରର ମହିଳା ପ୍ରମିଳା ଓ ରାଜମହଲ ଛକରେ ବ୍ୟବସାୟୀ ସମ୍ବିତଙ୍କୁ ଲୁଟିବା ଢଙ୍ଗରେ ଲୁଟ୍‌ କରି ଚମ୍ପଟ୍‌ ମାରୁଥିଲେ। କାଗଜପୁଡ଼ିଆରେ ଗୁଡ଼ାଇବା ବେଳେ ସେମାନେ ହାତ ସଫେଇ କୌଶଳରେ ଅସଲି ଗହଣାକୁ ନେଇ ନକଲି ଗହଣା ଦେଉଥିଲେ।

୩ ମାସରେ ୧୧ଲୁଟ୍‌
୩ ମାସରେ ଏହି ଗ୍ୟାଙ୍ଗ୍‌ ରାଜଧାନୀରେ ୧୧ ଲୁଟ୍‌ କରି ହଇଚଇ ସୃଷ୍ଟି କରିଥିଲା। କ୍ୟାପିଟାଲ, ଲିଙ୍ଗରାଜ, ନୂଆପଲ୍ଲୀ, ସହିଦନଗର, ବଡ଼ଗଡ଼, ଚନ୍ଦ୍ରଶେଖରପୁର, ଖାରବେଳନଗର ଆଦି ଥାନା ଅଞ୍ଚଳରୁ ପୁଲିସ ପରିଚୟରେ ଲୁଟ୍‌ କରି କମିସନରେଟ୍‌ ପୁଲିସର ନିଦ ହଜାଇଥିଲେ। ରମ୍‌ଜାନ୍‌ ମାସ ଥିବାରୁ ସେମାନେ କିଛି ଦିନ ପାଇଁ ମଧ୍ୟପ୍ରଦେଶ ଚାଲିଯାଇଥିଲେ ଏବଂ ୪ ଦିନ ତଳେ ଭୁବନେଶ୍ବର ଫେରିଆସି ଡେରା ପକାଇଥିଲେ। ସେମାନେ ଲୁଟ୍‌ରେ ବ୍ୟବହାର କରୁଥିବା କାର୍‌କୁ ପୁଲିସ ଚିହ୍ନଟ କରିସାରିଥିଲା ଏବଂ ତାକୁ ପିଛା କରି ସ୍ପେସାଲ୍‌ ସ୍କ୍ବାଡ୍‌ ସେମାନଙ୍କ ନିକଟରେ ପହଞ୍ଚିଯାଇଥିଲା। କାର୍‌ ସମେତ ମୁଖିଆ ସଦାକ୍‌ ହୁସେନ୍‌କୁ ଖଣ୍ଡଗିରି ଅଞ୍ଚଳରୁ ଠାବ କରାଯିବା ପରେ ଅନ୍ୟମାନଙ୍କୁ ପାହାଳ ଓ ପଟିଆ ଅଞ୍ଚଳରୁ ଗିରଫ କରାଯାଇଥିଲା।

ପଢ଼ା କମ୍, କିନ୍ତୁ ବିଚକ୍ଷଣ
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଏରାଗୋଲା ଗ୍ୟାଙ୍ଗ୍‌ ଭଳି ଏମାନେ ମଧ୍ୟପ୍ରଦେଶର ଇରାନୀ ଗ୍ୟାଙ୍ଗ୍‌ ନାଁରେ କୁଖ୍ୟାତ। ୯ ପିଢ଼ି ପୂର୍ବରୁ ଏମାନଙ୍କ ପୂର୍ବପୁରୁଷ ଇରାନରୁ ଆସିଥିବାରୁ ଏମାନଙ୍କୁ ଇରାନୀ ବୋଲି କୁହାଯାଏ। ଏମାନଙ୍କର ସମ୍ପର୍କୀୟମାନଙ୍କ ମଧ୍ୟରୁ ଅନେକ ଓଡ଼ିଶା‌ରେ ମଧ୍ୟ ଅଛନ୍ତି। ଗ୍ରହପଥର ଓ ଚଷମା ବେପାର ଏମାନଙ୍କ କୌଳିକ ବୃତ୍ତି। ଏଥିସହିତ ଚୋରି କରିବା ମଧ୍ୟ ଏମାନଙ୍କ ଅନ୍ୟତମ କୌଳିକ ବୃତ୍ତି। ଏରାଗୋଲା ଗ୍ୟାଙ୍ଗ ଭଳି ଏମାନଙ୍କ ପାଠପଢ଼ା କମ୍‌। କିନ୍ତୁ ଏମାନେ ଏରାଗୋଲା ଲୁଟେରାଙ୍କଠାରୁ ବହୁ ବିଚକ୍ଷଣ। ନିଜକୁ ପୁଲିସ ଅଧିକାରୀ ବୋଲି ପରିଚୟ ଦେଉଥିଲେ ବି କେହି ସହଜରେ ଠଉରେଇବା ସମ୍ଭବ ହେଉନଥିଲା। ମାର୍ଚ୍ଚ ୩ ତାରିଖ ରାତି ପ୍ରାୟ ୮ଟା ବେଳେ ମହିଳା ଏସ୍‌. ପ୍ରମିଳା ସତ୍ୟନଗର କାଳୀମନ୍ଦିର ନିକଟରେ ଯାଉଥିବା ବେଳେ ଏହି ଗ୍ୟାଙ୍ଗ୍‌ର ୨ ଜଣ ନିଜକୁ ପୁଲିସ ଅଧିକାରୀ କହି ତାଙ୍କୁ ଅଟକାଇଥିଲେ। ରାଜଧାନୀରେ ଲୁଟ୍‌ପାଟ ବଢ଼ୁଥିବାରୁ ସେମାନେ ଲୋକଙ୍କୁ ସଚେତନ କରୁଛନ୍ତି ବୋଲି କହିବା ସହ ତାଙ୍କୁ ହାର ଓ ମୁଦି ଓହ୍ଲାଇବାକୁ କହିଥିଲେ। ଏତିକିବେଳେ ଗ୍ୟାଙ୍ଗ୍‌ର ଅନ୍ୟ ଜଣେ ସେଠ‌ାରେ ପହଞ୍ଚିଥିଲା ଏବଂ ନକଲି ପୁଲିସଙ୍କ ପରାମର୍ଶ ମାନି ବେକରୁ ସୁନାଚେନ୍‌ ଓହ୍ଲାଇଥିଲା। ତେଣୁ ପ୍ରମିଳାଙ୍କ ମନରେ ବିଶ୍ବାସ ହୋଇଥିଲା ଏବଂ ସେ ବି ହାର ଓ ମୁଦି ଓହ୍ଲାଇ ସେମାନଙ୍କୁ ଦେଇଥିଲେ। ସେମାନେ କାଗଜପୁଡ଼ିଆରେ ଗହଣାତକ ଗୁଡ଼ାଇ ଫେରାଇଦେଇଥିଲେ। କିନ୍ତୁ ଘରେ ପହଞ୍ଚିବା ପରେ କାଗଜ ପୁଡ଼ିଆରେ ନକଲି ଗହଣା ଦେଖି ସେ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ସେହିଭଳି ରାଜମହଲ ଛକରୁ ବନମାଳୀପୁରର ବ୍ୟବସାୟୀ ସମ୍ବିତ ସାହୁଙ୍କ ବ୍ୟାଗ୍‌ରେ ଗଞ୍ଜେଇ ଥିବା ଧମକ ଦେଇ ଯାଞ୍ଚ କରିବା ଆଳରେ ୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button