ରାଜନୀତି

ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ନିର୍ବାଚନ ଲଢ଼ିପାରିବେନି ମୋକିମ – Kalinga News

[ad_1]

ରହିତାଦେଶ ଦେବାକୁ ମନାକଲେ ସୁପ୍ରିମ୍‌କୋର୍ଟ, ସ୍ଥଗିତ ରହିଲା ଦଣ୍ଡାଦେଶ

ନୂଆଦିଲ୍ଲୀ: ଓଡ଼ିଶା ଗ୍ରାମ୍ୟ ଗୃହନିର୍ମାଣ ଉନ୍ନୟନ ନିଗମ (ଓଆର୍‌ଏଚ୍‌ଡିସି) ଦୁର୍ନୀତି ମାମଲାରେ ବିଧାୟକ ମହମ୍ମଦ ମୋକିମଙ୍କୁ ଦୋଷୀ ସାବ୍ୟସ୍ତ କରି କୋର୍ଟ ଦେଇଥିବା ଆଦେଶ ଉପରେ ରହିତାଦେଶ ଜାରି କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଏହାଫଳରେ ମୋକିମ ଆଗାମୀ ନିର୍ବାଚନ ଲଢ଼ିପାରିବେ ନାହିଁ। ବିଚାରପତି ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଓ ବିଚାରପତି ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି। ତେବେ ୩ ବର୍ଷର ଜେଲଦଣ୍ଡାଦେଶକୁ ଚୂଡ଼ାନ୍ତ ରାୟ ଆସିବା ପର୍ଯ୍ୟନ୍ତ ସସ୍‌ପେଣ୍ଡ୍ କରିଛନ୍ତି। ‌ଏହି ମାମଲାରେ ମୋକିମଙ୍କୁ ଜାମିନ ପ୍ରଦାନ କରାଯାଇଛି।

ସର୍ବୋଚ୍ଚ ନ୍ୟାୟାଳୟ ମୋକିମଙ୍କ ଦ୍ବାରା ଦାଖଲ କରାଯାଇଥିବା ମୂଳ ପିଟିସନକୁ ଗ୍ରହଣ କରିବା ସହିତ ରାଜ୍ୟ ଭିଜିଲାନ୍‌ସ ବିଭାଗକୁ ନୋଟିସ ଜାରି କରିଛନ୍ତି। ୪ ସପ୍ତାହ ମଧ୍ୟରେ ଜବାବ ଦେବାକୁ କହିଛନ୍ତି। ଏଥିସହିତ ମୂଳ ଏସ୍‌ଏଲ୍‌ପିର ଚୂଡ଼ାନ୍ତ ଫଏସଲା ପର୍ଯ୍ୟନ୍ତ ଜେଲ ସଜା ଉପରେ ସସ୍‌ପେଣ୍ଡ୍ ଆଦେଶ ଜାରି ରହିବ ବୋଲି ଖଣ୍ଡପୀଠ ଆଦେଶରେ ସ୍ପଷ୍ଟ କରିଛନ୍ତି। ଜନପ୍ରତିନିଧି ଆଇନ ଅନୁଯାୟୀ ଜଣେ ବ୍ୟକ୍ତି ଯଦି ୨ ବର୍ଷ ବା ତା ଠାରୁ ଅଧିକ ଜେଲଦଣ୍ଡରେ ଦଣ୍ଡିତ ହୁଅନ୍ତି ‌ତେବେ ସେ ବିଧାୟକ ଅଥବା ସାଂସଦ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିପାରିବେ ନାହିଁ। ଭୁବନେଶ୍ବର ଭିଜିଲାନ୍‌ସ କୋର୍ଟ ୨୦୨୨ ସେପ୍ଟେମ୍ବର ୨୯ରେ ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲାରେ ରାୟ ପ୍ରକାଶ କରି ବିଧାୟକ ମୋକିମଙ୍କୁ ୩ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। ଭିଜିଲାନ୍‌ସ କୋର୍ଟଙ୍କ ଆଦେଶ ବିରୋଧରେ ମୋକିମ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଚଳିତ ମାସ ୧୦ରେ ହାଇକୋର୍ଟ ମୋକିମଙ୍କ ଅର୍ଜିକୁ ଖାରଜ କରିବା ସହିତ ଭିଜିଲାନ୍‌ସ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ। ଏହା ବିରୋଧରେ ମୋକିମ୍ ସୁପ୍ରିମ କୋର୍ଟରେ ସ୍ବତନ୍ତ୍ର ଲିଭ୍ ପିଟିସନ ଦାଖଲ କରିଥିଲେ।

ଆଜିର ଶୁଣାଣିରେ ମୋକିମଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ, ଏସ୍‌. ମୁରଲୀଧର ଏବଂ ପୀତାମ୍ବର ଆଚାର୍ଯ୍ୟ ଯୁକ୍ତି ଉପସ୍ଥାପନ କରିବା ସହିତ ଭିଜିଲାନ୍‌ସ କୋର୍ଟ ଓ ହାଇକୋର୍ଟଙ୍କ ଆଦେଶ ତ୍ରୁଟିପୁର୍ଣ୍ଣ ଥିବା ଦର୍ଶାଇଥିଲେ। ଉଭୟ ଅଦାଲତ ତଥ୍ୟ ଓ ପ୍ରମାଣକୁ ଉଚିତ ତର୍ଜମା ନ କରି ରାୟ ପ୍ରଦାନ କରିଥିଲେ ବୋଲି କହିଥି‌ଲେ। ମୋକିମଙ୍କ ବିରୋଧରେ ଋଣ ଜାଲିଆତିର କୌଣସି ସତ୍ୟତା ନଥିବା ମଧ୍ୟ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ହାଇକୋର୍ଟଙ୍କ ଆଦେଶନାମା ଯୋଗୁ ମୋକିମ ଆଗାମୀ ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିବାରୁ ଦୋଷୀ ସାବ୍ୟସ୍ତ ଓ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଏପରିକି କୋଇଲା ବ୍ଲକ୍‌ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଥିବା ଆଶ୍ବସ୍ତି ସଂପର୍କ‌ରେ ଦୃଷ୍ଟାନ୍ତ ଦିଆଯାଇଥିଲା। ଅନ୍ୟପକ୍ଷରେ ଏହି ମାମଲାରେ ରାଜ୍ୟ ଭିଜିଲାନ୍‌ସ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଆର୍.ବସନ୍ତ ଓ ପ୍ରକାଶ ରଞ୍ଜନ ନାୟକ ଭିଜିଲାନ୍‌ସ କୋର୍ଟଙ୍କ ଜେଲ ଦଣ୍ଡାଦେଶକୁ ହାଇକୋର୍ଟ କାଏମ ରଖିଥିବାରୁ ‌ସୁପ୍ରିମକୋର୍ଟଙ୍କ ପକ୍ଷରୁ ରହିତାଦେଶ ଜାରି କରାନଯାଉ ବୋଲି ଦୃଢ଼ ଯୁକ୍ତି ବାଢ଼ିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button