ରାଜନୀତି

କାହା ସପକ୍ଷରେ ସାଲିଆସାହି ଭୋଟ? ହିସାବ କହୁଛି ବିଜେଡି ହାତଉଛି ଭୋଟ – Kalinga News

[ad_1]

କମ୍ୟୁନିଷ୍ଟ ନେତା ଓ କର୍ମୀଙ୍କୁ ଟାଣୁଛି ବିଜେପି, କର୍ମୀଙ୍କୁ ସଙ୍ଗଠିତ କରୁଛନ୍ତି କଂଗ୍ରେସ ଆଶାୟୀ

ଚନ୍ଦ୍ରଶେଖରପୁର: ଗୋଟିଏ ବସ୍ତି; ୪ଟି ୱାର୍ଡ, ପ୍ରାୟ ୪୭ ହଜାର ଭୋଟ୍‌। କିଏ ହାତେଇବ? ୨୦୧୯ ପରି ବିଜେଡି ନିଜ ଝୁଲାରେ ରଖିବ ନା ଛଡ଼ାଇ ନେବ ବିଜେପି। କଂଗ୍ରେସକୁ କିଛି ଭୋଟ ଯିବ କି? ସାଧାରଣ ନିର୍ବାଚନ ଲାଗି ବିଗୁଲ୍‌ ବାଜିବା ପରେ ଓଡ଼ିଶାର ସବୁଠାରୁ ବଡ଼ ବସ୍ତି ଭାବେ ପରିଚିତ ସାଲିଆସାହିକୁ ନେଇ ଉତ୍ତର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ଏଭଳି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ନିର୍ବାଚନ ପୁର୍ବରୁ ତିନିଟି ଯାକ ରାଜ‌ନୈତିକ ଦଳର ନେତା ଏହି ବଡ଼ ଭୋଟ ବ୍ୟାଙ୍କ ଉପରେ ନଜର ପକାଇଛନ୍ତି। ତିନି ଦଳର ସମର୍ଥକମାନେ କ୍ୟାମ୍ପ ଅଫିସ୍‌ ପ୍ରତିଷ୍ଠା କରି ଭୋଟରଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରୁଛନ୍ତି।

ଏହି ବସ୍ତି ପାଇଁ ବଡ଼ ପ୍ରସଙ୍ଗ ହେଉଛି, ୨୦୦ ଫୁଟିଆ ନୂଆ ରାସ୍ତା। ଜୟଦେବବିହାର-ନନ୍ଦନକାନନ ରାସ୍ତାରୁ ଭିଡ଼ କମାଇବା ଲାଗି ବାମ ପାର୍ଶ୍ବରେ ସମାନ୍ତରାଳ ରାସ୍ତା ନିର୍ମାଣ କରାଯାଉଛି। ଏହା ସାଲିଆସାହି ମଧ୍ୟ ଦେଇ ଏକାମ୍ରକାନନ ନିକଟରେ ବାହାରିବ। ୮ ବର୍ଷ ହେଲା ପ୍ରଶାସନ ଯେତେ ଚାପ ପକାଇଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବସ୍ତି ଭିତରେ ରାସ୍ତା ପଶି ପାରିନାହିଁ। ୯୦୦ ମିଟର ରାସ୍ତା ନିର୍ମାଣ କରିବାକୁ ପ୍ରଶାସନର ଝାଳ ବାହାରି ଗଲାଣି। ଗୋଟିଏ ପଟେ ପ୍ରଥମେ ଥଇଥାନ, ତା’ପରେ ରାସ୍ତା ନିର୍ମାଣ ଜିଦ୍‌ରେ କିଛି ବସ୍ତିବାସିନ୍ଦା ଅଟଳ ରହିଛନ୍ତି। କୌଣସି ବି ପରିସ୍ଥିତିରେ କାଣିଚା‌ଏ ଜମି ଦିଆଯିବ ନାହିଁ ବୋଲି ଅଡ଼ି ବସିଛନ୍ତି। ଆଗାମୀ ନିର୍ବାଚନରେ ଏହା ପ୍ରମୁଖ ପ୍ରସଙ୍ଗ ହେବାକୁ ଯାଉଛି। ଶାସକ ଦଳ କି ପ୍ରତିଶ୍ରୁତି ଦେଇ ବସ୍ତିବାସିନ୍ଦାଙ୍କ ହୃଦୟ ଜିଣିବ। ବିରୋଧୀ ବିଜେପି ଓ କଂଗ୍ରେସ ବସ୍ତିବାସିନ୍ଦାଙ୍କ ଭୋଟ ହାତେଇବାକୁ କେଉଁ ରଣନୀତି ଆପଣାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି। ବିଏମ୍‌ସିର ୧୬, ୨୦, ୨୧ ଓ ୨୬ ନମ୍ବର ୱାର୍ଡରେ ଆସୁଥିବା ଏହି ବସ୍ତିବାସିନ୍ଦା ୨୦୨୨ ମହାନଗର ନିଗମ ନିର୍ବାଚନରେ ବିଜେଡି ସହ ରହିଥିଲେ। ବିଜେଡି ପ୍ରାର୍ଥୀମାନେ ୪ଟି ଯାକ ୱାର୍ଡରୁ ୮ହଜାର ୧୧୩ ଖଣ୍ଡ ଭୋଟ ହାତେଇବା ସହ ବିଜୟୀ ହୋଇଥିଲେ। ଯେତେବେଳେ କି ବିରୋଧୀ ଦଳ ବିଜେପିର ପ୍ରାର୍ଥୀମାନେ ୪ହଜାର ୪୪୩ ଖଣ୍ଡ ଭୋଟ ପାଇଥିଲେ। ୨୦୦୯, ୨୦୧୪ ଓ ୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ଅନୁରୂପ ଭାବେ ବସ୍ତିବାସିନ୍ଦା ବିଜେଡି ସପକ୍ଷରେ ଭୋଟ ଦେଇଥିଲେ। ବିଜେଡି ଓ ବିଜେପି ମଧ୍ୟରେ ଏଥର ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେଉଥିବାରୁ କଡ଼ା ଟକ୍କର ହେବା ଆଶା କରାଯାଉଛି।

ହିସାବ କହୁଛି ବିଜେଡି ହାତଉଛି ଭୋଟ
କମ୍ୟୁନିଷ୍ଟ ନେତା ଓ କର୍ମୀଙ୍କୁ ଟାଣୁଛି ବିଜେପି
କର୍ମୀଙ୍କୁ ସଙ୍ଗଠିତ କରୁଛନ୍ତି କଂଗ୍ରେସ ଆଶାୟୀ
୨୦୦ ଫୁଟିଆ ରାସ୍ତା ସାଜିବ ପ୍ରମୁଖ ପ୍ରସଙ୍ଗ

ବିଜେଡି ସମର୍ଥକଙ୍କ କହିବାନୁଯାୟୀ ବିଜେଡି ସମୟରେ ହିଁ ବସ୍ତିବାସିନ୍ଦାଙ୍କ ବିକାଶ ହୋଇଛି। ବାସିନ୍ଦାମାନଙ୍କ ନିକଟରେ ମୌଳିକ ସୁବିଧା ଉପଲବ୍ଧ କରାଯାଇଛି। ଡ୍ରେନେଜ୍‌ ବ୍ୟବସ୍ଥା ସହ ସ୍ବଚ୍ଛତା ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଆସିଛି। ବସ୍ତିକୁ ସମ୍ପୂର୍ଣ୍ଣ ଆଲୋକୀକରଣ, ଗଳିକନ୍ଦିରେ ରାସ୍ତା ନିର୍ମାଣ, ୨୪ ଘଣ୍ଟିଆ ପାନୀୟ ଜଳ ସୁବିଧା, ପ୍ରତି ୱାର୍ଡରେ ୪ରୁ ୫ଟି ପରିଚୟ ଗୃହ ପ୍ରତିଷ୍ଠା ହୋଇଛି। ସାଲିଆସାହିର କିଛି ବସ୍ତିବାସିନ୍ଦାଙ୍କୁ କୋଠାଘରେ ଥଇଥାନ କରାଯାଇଛି। ୨୦୦ ଫୁଟିଆ ରାସ୍ତା ନିର୍ମାଣ ପୂର୍ବରୁ ଉଚ୍ଛେଦ ହେବାକୁ ଥିବା ପ୍ରାୟ ୬୦୦ ପରିବାରକୁ ଘର ଯୋଗାଇ ଦିଆଯିବ। ତେଣୁ ଏଥର ଭୋଟ ବିଜେଡିକୁ ଯିବ।

ଇତିମଧ୍ୟରେ ରାଜନୈତିକ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତ୍ତନ ହୋଇଛି। ଏହି ବସ୍ତିରେ ଦବ୍‌ଦବା ଥିବା କମ୍ୟୁନିଷ୍ଟ ନେତା ଓ କର୍ମୀଙ୍କୁ ବିଜେପି ହାତେଇଛି। ବିଜେପି ସମର୍ଥକଙ୍କ ଅଭିଯୋଗ ହେଉଛି ଯେ ୨୦୧୯ରେ ବିଜେଡି ଯେଉଁ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରି ନାହିଁ। ବସ୍ତିବାସିନ୍ଦାଙ୍କ ଜମି ପଟ୍ଟା ଦିଆଯାଇ ନାହିଁ। ରାସ୍ତା ହୋଇଥିଲେ ମଧ୍ୟ ଗାଡ଼ି ପଶିବାକୁ ବାଟ ନାହିଁ। ଖେଳ ପଡ଼ିଆର ଉନ୍ନତୀକରଣ ହୋଇ ନାହିଁ। ରାସ୍ତା ନିର୍ମାଣ କରିବାକୁ ବସ୍ତିବାସିନ୍ଦାଙ୍କୁ ଜୋର ଜବରଦସ୍ତ ଉଚ୍ଛେଦ କରାଯାଉଛି। ତେଣୁ ଏଥର ବସ୍ତିବାସିନ୍ଦାଙ୍କ ଭୋଟ ବିଜେପିକୁ ଯିବ। କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ନ ଥିଲେ ମଧ୍ୟ ଟିକେଟ୍‌ ଆଶାୟୀ କୃଷ୍ଣଚନ୍ଦ୍ର ପତି ଏକ କ୍ୟାମ୍ପ ଅଫିସ୍‌ ଖୋଲି କର୍ମୀଙ୍କୁ ସଙ୍ଗଠିତ କରୁଥିବା ଦେଖିବାକୁ ମିଳିଛି। ଆଦିବାସୀ ଓ ପଛୁଆ ବର୍ଗଙ୍କ ଭୋଟ ହାତେଇବାକୁ ଦଳ ଲକ୍ଷ୍ୟ ରଖିଛି। କର୍ମୀଙ୍କ କହିବା କଥା ହେଉଛି ଯେ ଉଭୟ ବିଜେଡି ଓ ବିଜେପି ସାଲିଆସାହି ବସ୍ତିବାସିନ୍ଦାଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରିଛନ୍ତି। ବର୍ଷ ବର୍ଷ ଧରି ସେମାନଙ୍କୁ ନିଜର ହକ୍‌ ଦେଇ ନାହାନ୍ତି। ତେଣୁ ବସ୍ତିବାସିନ୍ଦାଙ୍କ ମୁଡ୍‌ ପରିବର୍ତ୍ତନ ହୋଇଛି। ପୁଣି କଂଗ୍ରେସ ଆସୁଛି।



[ad_2]

Kalinga News

Related Articles

Leave a Reply

Your email address will not be published. Required fields are marked *

Back to top button