ଗ୍ରୀଷ୍ମ ପ୍ରବାହ ସତ୍ତ୍ବେ ଜମୁଛି ପ୍ରଚାର: ଖରାକୁ ନେତାଙ୍କ ଖାତିର ନାହିଁ – Kalinga News

[ad_1]
ହାତରେ କମ୍ ସମୟ, ଖରାକୁ ଡରିଲେ ହେବନି, ଜଳଛତ୍ର ସାଜିଛି ପ୍ରଚାରର ମାଧ୍ୟମ
ଭୁବନେଶ୍ବର: ପାରଦ ୪୧ ଟପିଗଲାଣି। ୪/୫ ଦିନ ଭିତରେ ୪୫ ପାର୍ ହେବାର ଆଶଙ୍କା ରହିଛି। ଗରମରେ ଛଟପଟ ହେଉଛି ସାରା ଓଡ଼ିଶା। ଦିନ ୧୦ ପରେ ଘରୁ ବାହାରି ହେଉନି। କିନ୍ତୁ ନେତାଙ୍କ ଉପରେ ଖରା ପ୍ରଭାବହୀନ। ରାଜନୀତିର ତାତିରେ ଆଉଟୁପାଉଟୁ ହେଉଥିବା ନେତାଙ୍କୁ ଏ ପ୍ରକୃତିର ପ୍ରକୋପ ଯେମିତି କାଟୁ କରୁନି। ତାତିକୁ ଖାତିର ନକରି ପ୍ରଚାର ସରଗରମ କରିଦେଇଛନ୍ତି ପ୍ରାର୍ଥୀମାନେ। ଭୟ ରହିଛି, ଖରାକୁ ଡରି ବସିଗଲେ କାଳେ ଅଙ୍କ ଗଡ଼ବଡ଼ ହୋଇଯିବ।

Sambad is now on WhatsApp
Join and get latest news updates delivered to you via WhatsApp
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ମେ’ ୧୩ରେ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ୧୮ ତାରିଖରୁ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ। ଭୋଟର୍ଙ୍କ ପାଖରେ ପହଞ୍ଚି ଭୋଟ୍ ମାଗିବାକୁ ହାତରେ ଏକ ମାସରୁ ବି କମ୍ ସମୟ ଅଛି। ତେଣୁ ସେହିସବୁ ଅଞ୍ଚଳରେ ଭୀଷଣ ଗରମ ସତ୍ତ୍ବେ ପ୍ରାର୍ଥୀମାନେ ଦିନତମାମ ପ୍ରଚାରରେ ମାତିଛନ୍ତି। ପ୍ରବଳ ଖରାରେ ବି ରୋଡ୍ ସୋ’, କର୍ମୀ ସମ୍ମିଳନୀ ଜାରି ରହିଛି। ପ୍ରାର୍ଥିପତ୍ର ଦାଖଲ ବେଳେ କିପରି ବିଶାଳ ଶୋଭାଯାତ୍ରା ସବୁ ହେବ, ତାହାର ବି ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ ଚାଲିଛି। ଖରା ସତ୍ତ୍ବେ ଅଧିକ ଲୋକଙ୍କୁ ଏକାଠି କରିବା ପାଇଁ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ଲାଗି ପଡ଼ିଛନ୍ତି।
ଖରାରେ କୌଣସି ରାଜନୈତିକ ସଭା, ପ୍ରଚାର ନକରିବାକୁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି। କିନ୍ତୁ ତାହାକୁ ମାନିବା ଅବସ୍ଥାରେ ନାହାନ୍ତି ପ୍ରାର୍ଥୀ ଓ ତାଙ୍କ ସମର୍ଥକ। ମୁଣ୍ଡଫଟା ଖରରେ ମଧ୍ୟାହ୍ନ ସମୟରେ ମଧ୍ୟ କିଛି ଜାଗାରେ ପ୍ରଚାର ଚାଲୁଥିବା ଦେଖିବାକୁ ମିଳୁଛି। ଯଦିଓ ଭୋର୍ ଓ ସନ୍ଧ୍ୟା ସମୟରେ ଏବେ ଅଧିକ ପ୍ରଚାର ହେଉଛି, ତେବେ ଖରାବେଳେ ବି ତାହା ଜାରି ରହିଛି। ପ୍ରାର୍ଥୀମାନଙ୍କର କହିବା କଥା, ଏଥର ତ ପ୍ରାର୍ଥୀ ଘୋଷଣାରେ ସବୁ ଦଳ ବିଳମ୍ବ କରିସାରିଛନ୍ତି। ତେଣୁ ଆଉ ଖରାକୁ ଡରି ସକାଳେ, ସନ୍ଧ୍ୟାରେ କେବଳ ପ୍ରଚାର କଲେ ସମୟ ଅଣ୍ଟିବନି। ସାରା ନିର୍ବାଚନମଣ୍ଡଳୀ ଏତିକି ସମୟରେ ବୁଲିବା ସମ୍ଭବ ହେବନି। ତେଣୁ ଖରାକୁ ଖାତିର ନକରି ପ୍ରଚାର ଜାରି ରଖିବାକୁ ପଡ଼ୁଛି। ଏଥର ପ୍ରାର୍ଥୀଙ୍କ ପ୍ରଚାରର ଏକ ବଡ଼ ମାଧ୍ୟମ ସାଜିଛି ଜଳଛତ୍ର। ସବୁ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯାଉଛି। ସେଠାରେ ପ୍ରାର୍ଥୀଙ୍କ ବ୍ୟାନର୍ ଲାଗି ପାଣି ଦିଆଯାଉଛି। ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ କୌଣସି ନା କୌଣସି ସ୍ଥାନରେ ପ୍ରତିଦିନ ଜଳଛତ୍ର ଉଦ୍ଘାଟନ ହେଉଛି। ସେଠାରେ ନିଜେ ପ୍ରାର୍ଥୀମାନେ ଠିଆ ହୋଇ ଲୋକଙ୍କୁ ଦହିପାଣି ପରସୁଛନ୍ତି। ଅବଶ୍ୟ ଦିନେ ଦୁଇ ଦିନ ଭିତରେ ଜଳଛତ୍ରରେ ପାଣି ନଥିବାରୁ ଅଭିଯୋଗ ସବୁ ଆଡ଼ୁ ଆସୁଛି।
ଆଗକୁ ପ୍ରଚାର ଆହୁରି ଘମାଘୋଟ ହେବ। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥିପତ୍ର ଦାଖଲ କଲା ପରେ ସବୁ ଦଳର ହେଭିୱେଟ୍ମାନେ ପ୍ରଚାରକୁ ଓହ୍ଲାଇବେ। ସବୁ ଜିଲ୍ଲାରେ ବଡ଼ ବଡ଼ ସମାବେଶ ଆୟୋଜନ କରିବାର ଯୋଜନା ରହିଛି। ଏହି ଧାରା ଶେଷ ପର୍ଯ୍ୟାୟ ମତଦାନ ପର୍ଯ୍ୟନ୍ତ ଜାରି ରହିବ। ଅର୍ଥାତ ଏପ୍ରିଲ୍ ଶେଷ ସପ୍ତାହ ଓ ମେ’ ମାସରେ ନିର୍ଧୁମ ଖରାରେ ହିଁ ପ୍ରଚାର ଜମିବ। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ନିକଟ ଅତୀତରେ ତାତିରୁ ନିସ୍ତାର ନାହିଁ। ନିର୍ବାଚନର ସୂଚୀ ଅନୁଯାୟୀ ଜୁନ୍ ୧ରେ ମତଦାନ ସରିବ। ଏପ୍ରିଲ୍ ଶେଷ ସପ୍ତାହ ଓ ମେ’ ମାସରେ ଖରାର ପ୍ରକୋପ ଆହୁରି ବଢ଼ିବ। ତେଣୁ ଏହି ତାତିରେ ହିଁ ସମସ୍ତଙ୍କୁ ବଡ଼ ସମାବେଶ ଆୟୋଜନ କରିବାକୁ ପଡ଼ିବ।
[ad_2]