ରାଜନୀତି

ରାଉରକେଲା ବିଜେପି ରାଜନୀତି: ନିହାର ଓ ଧୀରେନଙ୍କ ଉପରେ ନଜର – Kalinga News

[ad_1]

ରାଉରକେଲା: ରାଉରକେଲା ବିଧାନସଭା କ୍ଷେତ୍ରରେ ରୋଚକ ହେଉଛି ବିଜେପି ରାଜନୀତି। ରାଜନୀତିରୁ ଦୂରେଇ ଯାଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସେ ବିଜେପିରୁ ରାଉରକେଲା ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ ବୋଲି କହାଯାଉଛି। ଦିଲୀପଙ୍କୁ ଟିକେଟ ମିଳୁଥିବାରୁ ଦୌଡ଼ରେ ଥିବା ଅନ୍ୟ ଦୁଇ ବରିଷ୍ଠ ନେତା ନିହାର ରାୟ ଏବଂ ଧୀରେନ ସେନାପତିଙ୍କ ଭୂମିକା କଣ ହେବ, ତାକୁ ନେଇ ଚର୍ଚ୍ଚା ଜୋର୍‌। ଗତ ବିଧାନସଭା ନିର୍ବାଚନରେ ନିହାର ଏବଂ ଧୀରେନ ଦୁହେଁ ଟିକଟ୍‌ ଦୌଡ଼ରେ ଥିଲେ। ହେଲେ ଦଳ ନିହାର ରାୟଙ୍କୁ ପ୍ରାର୍ଥୀ କରିଥିଲା। ଗତ ୨୦୧୯ ନିର୍ବାଚନରେ ବିଜେପିର ନିହାର ଏବଂ ବିଜେଡିର ସାରଦା ନାୟକଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିଲା। ସାରଦା ୬୦ ହଜାର ୭୦୫ ଏବଂ ନିହାର ୫୦ ହଜାର ୨୭୫ ଖଣ୍ଡ ଭୋଟ ପାଇଥିଲେ। ଦଳ ନିହାର ଏବଂ ଧୀରେନଙ୍କୁ ବାଦ୍‌ ଦେଇ ଦିଲୀପଙ୍କୁ ଟିକେଟ ଦେବାକୁ ଯାଉଥିବାରୁ ଦୁଇ ନେତା ପୂର୍ବପରି ଦଳୀୟ କାର୍ଯ୍ୟକ୍ରମରେ ସେତେଟା ସକ୍ରିୟ ନଥିବା ଦେଖିବାକୁ ମିଳୁଛି। ଅପରପକ୍ଷରେ ଦୁଇ ପ୍ରତିଦ୍ବନ୍ଦ୍ବୀ ଦଳ ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ କଂଗ୍ରେସର ବିଏନ୍ ପଟ୍ଟନାୟକ ଏବଂ ବିଜେଡିର ସାରଦା ନାୟକ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି। ଦଳୀୟ ଟିକେଟ ମିଳି ନଥିଲେ ହେଁ ଦିଲୀପ ରାୟ ମଧ୍ୟ ନିଜ ସମର୍ଥକଙ୍କୁ ନେଇ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ହେଲେ ଦିଲୀପଙ୍କ ପ୍ରଚାରରେ ନିହାର, ଧୀରେନ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ଦେଖିବାକୁ ମିଳୁନି।

ବହୁବର୍ଷ ଧରି ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରିଥିବା ଏହି ଦୁଇ ନେତାଙ୍କୁ ଦଳ ମନାଇ ନ ପାରିଲେ ଦିଲୀପଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ରାଜନୀତି ସମୀକ୍ଷକ ମହଲରେ ଆଲୋଚନା ହେଉଛି। କିନ୍ତୁ ନିହାର ଓ ଧୀରେନ ସଂପୂର୍ଣ୍ଣ ନିରବ ଥିବା ଓ ଏ ସଂପର୍କରେ ମୁହଁ ଖୋଲୁ ନଥିବା ଦେଖିବାକୁ ମିଳୁଛି। ସେପଟେ ସାରଦା ପ୍ରସାଦ ନାୟକ ୨୦୦୦ ମସିହା ସାଧାରଣ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ରାଉରକେଲାରୁ ରାଜନୀତି କ୍ୟାରିୟର ଆରମ୍ଭ କରିଥିଲେ। ୨୦୦୦ରେ ତାଙ୍କୁ ସ୍ବାଧୀନ ଭାବେ ୨୮ ହଜାର ୪୩୨ ଖଣ୍ଡ ଭୋଟ ମିଳିଥିଲା। ୨୦୦୪ରେ ସେ ବିଜେଡିରୁ ଲଢ଼ି ୭୨ ହଜାର ୩୪୩ ଖଣ୍ଡ ଭୋଟ ପାଇ ପ୍ରଥମଥର ବିଧାୟକ ହୋଇଥିଲେ। ସେତେବେଳେ କଂଗ୍ରେସରେ ଥିବା ନିହାର ରାୟଙ୍କୁ ୪୬ ହଜାର ୪୩୮ ଖଣ୍ଡ ଭୋଟ ମିଳିଥିଲା। ୨୦୦୯ରେ ସାରଦା ବିଜେଡି ଟିକଟ୍‌ରୁ ପୁଣି ଜିତି ମନ୍ତ୍ରୀ ହୋଇଥିଲେ। ହେଲେ ୨୦୧୪ରେ ଦିଲୀପ ରାୟ ବିଜେପିରୁ ଟିକେଟ୍‌ ପାଇବା ପରେ ସାରଦାଙ୍କୁ ପରାଜୟର ମୁହଁ ଦେଖିବାକୁ ପଡ଼ିଥିଲା। ୨୦୧୯ରେ ଦିଲୀପଙ୍କ ପରୋକ୍ଷ ସମର୍ଥନରେ ସାରଦା ପୁଣି ବାଜିମାତ କରିଥିଲେ। ହେଲେ ଏବେ ପୁଣିଥରେ ସାରଦା ଓ ଦିଲୀପ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏଭଳି ସ୍ଥିତିରେ ଦୁଇ ବିଜେପି ନେତା ନିହାର ଓ ଧୀରେନଙ୍କ ଭୂମିକା କଣ ହେଉଛି ତା’ ଉପରେ ସମସ୍ତଙ୍କ ନଜର ରହିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button