ମୁମ୍ବାଇର ଲଗାତାର ବିଜୟ: ବୁମ୍ରାଙ୍କୁ ୫ ୱିକେଟ୍ – Kalinga News

[ad_1]
ମୁମ୍ବାଇ: ୫ ଥର ଆଇପିଏଲ୍ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଚଳିତ ଋତୁରେ ଲଗାତାର ଦ୍ବିତୀୟ ବିଜୟ ପାଇଛି। ହ୍ୟାଟ୍ରିକ୍ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ଘରୋଇ ପଡ଼ିଆ ୱାଙ୍ଖ୍ଡ଼େରେ ଏହି ଦୁଇ ବିଜୟ ପାଇଛି। ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ଥିବା ଘରୋଇ ଦଳ ଗୁରୁବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୭ ୱିକେଟ୍ରେ ମାତ୍ ଦେଇଛି। ୧୯୭ ରନ୍ର ବଡ଼ ବିଜୟ ଲକ୍ଷ୍ୟକୁ ଏହି ଦଳ ମାତ୍ର ୩ ୱିକେଟ୍ ହରାଇ ୨୭ ବଲ୍ ପୂର୍ବରୁ ହାସଲ କରିନେଇଛି। ଈଶାନ କିଶନ ଓ ରୋହିତ ଶର୍ମା ୮.୫ ଓଭରେ ୧୦୧ ରନ୍ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ଈଶାନ (୬୯, ୩୪ ବଲ୍, ୭ ଚୌକା, ୫ ଛକା) ୨୩ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର୍ ୧୩୯ ରନ୍ ଥିଲା ବେଳେ ରୋହିତ (୩୮) ପ୍ୟାଭିଲିୟନ ଫେରିଥିଲେ। ଏହାପରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୧୭ ବଲ୍ରୁ ଅର୍ଦ୍ଧଶତକ ଅର୍ଜନ କରି ବିଜୟର ନିକଟତର କରିଥିଲେ। ସୂର୍ଯ୍ୟ (୫୨, ୧୯ ବଲ୍, ୫ ଚୌକା, ୪ ଛକା) ଆଉଟ୍ ହେବା ପରେ ଅଧିନାୟକ ହାର୍ଦିକ ପାଣ୍ଡ୍ୟା (୨୧*, ୬ ବଲ୍, ୩ ଛକା) ଓ ତିଲକ ବର୍ମା (୧୬*, ୧୦ ବଲ୍, ୩ ଚୌକା) ଅପରାଜିତ ରହିଥିଲେ। ଆକାଶ ଦୀପଙ୍କୁ ଛକା ମାରି ହାର୍ଦିକ ବିଜୟ ମୁଣ୍ଡି ମାରିଥିଲେ। ଏଥିସହ ୱାଙ୍ଖଡେରେ ୨୦୧୫ ପରଠାରୁ ମୁମ୍ବାଇ ଇଣ୍ଡିଆନ୍ସକୁ ଆର୍ସିବି ହାରାଇ ପାରିନାହିଁ। ଗତବର୍ଷ ମଧ୍ୟ ଏଠାରେ ଆର୍ସିବି ୧୯୯ ରନ୍ କରିବା ସତ୍ତ୍ବେ ୨୧ ବଲ୍ ପୂର୍ବରୁ ୬ ୱିକେଟ୍ରେ ହାରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗୁରୁବାର ଆର୍ସିବି ମାତ୍ର ୧୪ ରନ୍ରେ ତା’ ବ୍ୟାଟିଂକ୍ରମର ମେରୁଦଣ୍ଡ ବିରାଟ କୋହଲି(୩)ଙ୍କୁ ହରାଇଥିଲା। ତଥାପି ଉପରେ ଅଧିନାୟକ ଫାଫ୍ ଡୁ’ପ୍ଲେସିସ୍ (୬୧) ଓ ଇମ୍ପାକ୍ଟ ପ୍ଲେୟାର ରଜତ ପଟିଦାର (୫୦)ଙ୍କ ସହ ଶେଷ ଆଡ଼କୁ ଦୀନେଶ କାର୍ତ୍ତିକ (୫୩)ଙ୍କ ପରାକ୍ରମୀ ଅର୍ଦ୍ଧଶତକ ବଳରେ ଏକ ସମ୍ମାନଜନକ ସ୍କୋର୍ କରି ନେଇଥିଲା। ୬ଜଣ ବ୍ୟାଟର୍ ଏକ ଅଙ୍କରେ ଅଟକିବା ସତ୍ତ୍ବେ ୨୦୦ ରନ୍ ଛୁଇଁବାଠାରୁ ମାତ୍ର ୪ ରନ୍ ଦୂରରେ ରହିଥିଲା। ମଜାଦାର କଥା ହେଲା ଆର୍ସିବି ପାଳିରେ ଦୁଇଟି ଭିନ୍ନ ରୂପ ଦେଖିବାକୁ ମିଳିଥିଲା। ମୁ୍ମ୍ବାଇ ପକ୍ଷରୁ ଯଶପ୍ରୀତ୍ ବୁମ୍ରା ଶାଣିତ ଓ ଶୃଙ୍ଖଳିତ ବୋଲିଂ କରି ୫/୨୧ର ପ୍ରଭାବୀ ବୋଲିଂ ଚିତ୍ର ପାଇଥିଲେ। ତଥାପି ପ୍ରତିପକ୍ଷ ଦଳ ଏକ ଭଲ ସ୍କୋର କରି ନେଇଥିଲା। କାରଣ ଏହି ଦଳର ଅନ୍ୟ ବୋଲର୍ମାନେ ରନ୍ ଗତିରେ ଅଙ୍କୁଶ ଲଗାଇବାରେ ଆପାତତଃ ବିଫଳ ହୋଇଥିଲେ। ବୁମ୍ରା କିନ୍ତୁ ଗୋଟିଏ ଓଭରରେ ଦୁଇଟି ୱିକେଟ୍ ସହ ୫ ଜଣ ଆର୍ସିବି ବ୍ୟାଟର୍ଙ୍କୁ ଶିକାର କରି ସାଂପ୍ରତିକ ସମୟର ଶ୍ରେଷ୍ଠ ଦ୍ରୁତ ବୋଲର ବୋଲି ପୁଣି ଥରେ ପ୍ରମାଣ ଦେଇଥିଲେ।
ସେହିଭଳି ଜେମ୍ସ ଫକନର, ଜୟଦେବ ଉନାଦକଟ୍ ଓ ଭୁବନେଶ୍ବର କୁମାରଙ୍କ ପରେ ଆଇପିଏଲ୍ରେ ଦୁଇ ଥର ୫ ୱିକେଟ୍ ସଫଳତା ଲାଭ କରିବାରେ ଚତୁର୍ଥ ବୋଲର ହୋଇଥିଲେ। ଏହା ମଧ୍ୟ ଆର୍ସିବି ବିପକ୍ଷରେ କୌଣସି ବୋଲରଙ୍କ ପ୍ରଥମ ୫ ୱିକେଟ୍ ସଫଳତା ଥିଲା। ତେବେ କାର୍ତ୍ତିକଙ୍କ ବିସ୍ଫୋରକ ବ୍ୟାଟିଂ ସହ ୨୨ ବଲ୍ ଅର୍ଦ୍ଧଶତକ ପାଇଁ ଆର୍ସିବି ଶେଷ ୫ ଓଭରରୁ ୬୬ ରନ୍ ଅମଳ କରି ୧୯୬ ରନ୍ରେ ପହଞ୍ଚି ଯାଇଥିଲା। ଟ୍ବେଣ୍ଟି-୨୦ ଇତିହାସରେ ପ୍ରଥମ ଥର ପାଇଁ ଗୋଟିଏ ପାଳିରେ ତିନିଟି ୫୦ରୁ ଅଧିକ ସ୍କୋର ଓ ତିନିଟି ‘ଶୂନ’ ଦେଖିବାକୁ ମିଳିଥିଲା। ସେହିଭଳି ଜଣେ ବୋଲର ୫ ୱିକେଟ୍ ନେବା ଏବଂ ସେହି ପାଳିରେ ୩ଜଣ ଅର୍ଦ୍ଧଶତକ ଅର୍ଜନ କରିବାର ବି ଏହା ପ୍ରଥମ ଘଟଣା ଥିଲା।
ସଂକ୍ଷିପ୍ତ ସ୍କୋର୍: ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୧୯୬/୮ (ଫାପ୍ ଡୁ ପ୍ଲେସିସ୍-୬୧, ଦୀନେଶ କାର୍ତ୍ତିକ-୫୩*, ରଜତ ପଟିଦାର-୫୦, ଯଶପ୍ରୀତ ବୁମ୍ରା-୫/୨୧, ଶ୍ରେୟସ ଗୋପାଳ-୧/୩୨, ଗେରାଲ୍ଡ କୋଏତଜେ-୧/୪୨, ଆକାଶ ମଧୱାଲ-୧/୫୭)। ମୁମ୍ବାଇ ଇଣ୍ଡିଆନ୍ସ ୧୫.୩ ଓଭରରେ ୧୯୯/୩ (ଈଶାନ କିଶନ-୬୯, ସୂର୍ଯ୍ୟକୁମାର ୟାଦବ-୫୨, ରୋହିତ ଶର୍ମା-୩୮, ହାର୍ଦିକ ପାଣ୍ଡ୍ୟା-୨୧*, ତିଳକ ବର୍ମା-୧୬*, ୱିଲ ଜ୍ୟାକ୍ସ-୧/୨୪, ବିଜୟ କୁମାର ବୈଶାଖ-୧/୩୨, ଆକାଶ ଦୀପ-୧/୫୫)।
[ad_2]